ନୂତନ ନନ୍ଦପୁର ସବ୍ଡିଭିଜନ ଗଠନ ଦାବି ପ୍ରସଙ୍ଗରେ ସର୍ବଦଳୀୟ ପ୍ରତିନିଧି ଦଳ ରାଜ୍ୟ ବିଜେପିକୁ ପ୍ରଦାନ କଲା ଦାବିପତ୍ର

ଦାବି ଯଥାର୍ଥ, ରାଜ୍ୟ ସରକାରଙ୍କ ସହ କରିବୁ ଆଲୋଚନା: ବିଜେପି

ଭୁବନେଶ୍ୱର, ତା ୧୧/୦୯ (ଓଡ଼ିଆ ପୁଅ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ସମସ୍ତ ଜନ ପ୍ରତିନିଧି (ସରପଂଚ, ସମିତି ସଭ୍ୟ, ବ୍ଲକ ଚେୟାରମେନ ଆଦି) ଦଳମତ ନିର୍ବିଶେଷରେ ଆଜି ପ୍ରମୁଖ ରାଜନୈତିକ ଦଳ ନେତୃବୃନ୍ଦଙ୍କୁ ଭେଟି ନୂତନ ସବ୍ଡିଭିଜନ (ଉପଖଣ୍ଡ) ଗଠନ ପାଇଁ ଦାବି ଜଣାଇଛନ୍ତି। ଏହି ଅବସରରେ ଏହି ପ୍ରତିନିଧି ଦଳ ‘ନନ୍ଦପୁର-ମାଛକୁଣ୍ଡ-ଲମତାପୁଟ-ପାଡୁଆ’ ବ୍ଲକ ଓ ତହସିଲକୁ ନେଇ ଏକ ନୂତନ ସବ୍ଡିଭିଜନ ଗଠନ ପାଇଁ ସର୍ବଦଳୀୟ ପ୍ରତିନିଧି ଦଳ ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।

ଐତିହାସିକ, ଭୈାଗଳିକ, ପ୍ରଶାସନିକ ଆଦି ସମସ୍ତ ଦୃଷ୍ଟିକୋଣରୁ ଏହି ଦାବିର ଯଥାର୍ଥତା ରହିଛି। ଭାରତୀତ ଜନତା ପାର୍ଟୀ ଏହି ଦାବିକୁ ପୂର୍ଣ୍ଣ ସମର୍ଥନ କରୁଛି। ବହୁ ଶୀଘ୍ର ଏ ଦାବିକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବକ୍ସିପାତ୍ର କହିଛନ୍ତି।

ଏହି ସର୍ବଦଳୀୟ ପ୍ରତିନିଧି ଦଳରେ କଂଗ୍ରେସର ପ୍ରତିନିଧି ତଥା ବ୍ଲକ ବେୟାରମେନ ମଧୁସୁଦନ ମୁଦୁଲି ଓ ସିମାଂଚଳ ବେହେରା; ବିଜେଡିର ଜଗନ୍ନାଥ ପାଙ୍ଗୀ, ରାମେଶ୍ୱର ଡୋରା, କାର୍ତି ଖେମାଣ୍ଡୁ ଏବଂ ବିଜେପିର ରାମ ପାଙ୍ଗୀ, ବିଶ୍ୱନାଥ ସିଶା, ଭଗବାନ ମୁଦୁଲି, ଭଗବାନ ପେଂଟିଆ, ଦୁର୍ଗା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *