ଓଡ଼ିଶା

ନୂତନ ଏସ୍.ପି. ବି. ଗଂଗାଧରଙ୍କ ଦାୟିତ୍ୱ ଗ୍ରହଣ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ନବମୀ ମହୋତ୍ସବର ସଫଳତା ନେଇ ଉଭୟ ଅଧିକାରୀ ଭଦ୍ରକବାସୀଙ୍କୁ କୃତଜ୍ଞତା ଜଣାଇଲେ

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକର ଜିଲା ଆରକ୍ଷୀ ଅଧିକ୍ଷକ ଅନୁପ କୁମାର ସାହୁଙ୍କ ବଦଳି ପରେ ସେ ବିଧିବଦ୍ଧ ଭାବେ ତାଙ୍କର ଦାୟିତ୍ୱ ନୂତନ ଜିଲା ଆରକ୍ଷୀ ଅଧିକ୍ଷକ ବାତୁଲ ଗଂଗାଧରଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏଥିରେ ଉଭୟ ପଦାଧିକାରୀ ଉପସ୍ଥିତ ରହି ଇତିମଧ୍ୟରେ ମହାସମାରୋହରେ ସଂପନ୍ନ ହୋଇଥିବା ଶ୍ରୀରାମ ମହାଯଜ୍ଞ ସମିତିର କଳସ ଶୋଭାଯାତ୍ରାରୁ ଆରମ୍ଭ କରି ନଗର ସଂକୀର୍ତ୍ତନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଉଭୟ ସଂପ୍ରଦାୟର ଜନସାଧାରଣ, ରାଜନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଅକୁଣ୍ଠ ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ। ଏବଂ ଭଦ୍ରକ ଭଳି ଏକ ଭାଇଚାରାର ସହରରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ଯେଭଳି ଭାବେ ସେମାନଙ୍କର ପାରମ୍ପରିକ ଉତ୍ସବକୁ ମିଳିମିଶି ପାଳନ କରିଆସୁଛନ୍ତି, ତାହା ଅନ୍ୟତ୍ର ବିରଳ ବୋଲି ସ୍ୱୀକାର କରିଥିଲେ। ବିଶେଷକରି ନୂତନ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର ଗତ ୩/୪ ଦିନ ପୂର୍ବରୁ ଭଦ୍ରକ ଆସି ଉତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷା ନିମିତ୍ତ ସାମିଲ ହୋଇଥିଲେ ମଧ୍ୟ ଏଠାକୁ ଆସିବା ପୂର୍ବରୁ ଭଦ୍ରକ ଏକ ଉତ୍ତେଜନା ପ୍ରବଣ ସାଂପ୍ରଦାୟିକ ଦଙ୍ଗାଗ୍ରସ୍ତ ସହର ବୋଲି ଯେଉଁ ଭ୍ରାନ୍ତଧାରଣା ଥିଲା, ତାହା ଆଦୌ ସଠିକ୍ ନୁହେଁ ବୋଲି ସ୍ୱୀକାର କରିଥିଲେ। ଏବଂ ଆଗାମୀ ଦିନରେ ତାଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ସମସ୍ତ ଜନସାଧାରଣ ଶ୍ରୀରାମ ନବମୀ ସମାରୋହ ଭଳି ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଅଦ୍ୟାବଧି ଏହି ଜିଲାର ବିଭିନ୍ନ ଥାନାରେ ପଡିରହିଥିବା ପେଣ୍ଡିଂ କେଶ୍ଗୁଡିକର ଫଏସଲା ହେବା ସଂପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଜଣେ ସ୍ୱତନ୍ତ୍ର ପଦସ୍ଥ ଅଧିକାରୀଙ୍କୁ ନିଯୁକ୍ତ କରି ସେଗୁଡିକର ସମାଧାନ କରିବା ଦିଗରେ ଅଗ୍ରାଧିକାର ଦେବେବୋଲି ନୂତନ ଏସ୍ପି ବି. ଗଂଗାଧର ପ୍ରତିଶ୍ରୁତି ଦେଇଥିଲେ। ତେବେ ଜିଲା ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆୟୋଜିତ ଶ୍ରୀରାମ ନବମୀ ଉତ୍ସବ ପାଳନ ଦିଗରେ ଜିଲା ପ୍ରଶାସନର କଟକଣା ଜନିତ ଅଂକୁଶ ଓ ପରବର୍ତ୍ତୀ ସମୟରେ ପୂର୍ବବର୍ଷ ଭଳି ପାରମ୍ପରିକ ଭାବେ ପାଳନ ଦିଗରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଯେଭଳି ଭାବେ ପ୍ରଶାସନକୁ ଅଡୁଆରେ ପକାଇଥିଲା, ସେ ଦିଗରେ ପ୍ରଶାସନ ଚାହିଁଥିଲେ ଉଭୟ ସଂପ୍ରଦାୟର ବ୍ୟକ୍ତିବିଶେଷକୁ ଶାନ୍ତି କମିଟି ଜରିଆରେ ବସାଇ ବିହିତ ବ୍ୟବସ୍ଥା ଗ୍ରହଣ କରିପାରିଥାଆନ୍ତା ବୋଲି ସାମ୍ବାଦିକ ମାନେ ଯେଉଁ ଯୁକ୍ତି ଉପସ୍ଥାପନ କରିଥିଲେ, ତାହାର ଉତ୍ତରରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ଧାର୍ମିକ ପରାମ୍ପରାକୁ ବଜାୟ ରଖି ନାଚଗୀତ ଓ ଡିଜେ ଭଳି ବର୍ଣ୍ଣାଢ୍ୟକୁ ନିରାଡମ୍ବର ଭାବେ ପାଳନ କରିବା ନେଇ ସେମାନଙ୍କର ଲକ୍ଷ୍ୟ ଥିଲା ବୋଲି କହିଥିଲେ। ଏବଂ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଥିଲେ ବି ପ୍ରଶାସନ କାହାର ଶତ୍ରୁ କିମ୍ବା ମିତ୍ର ନୁହେଁ ଯୁକ୍ତିରେ ସମସ୍ତଙ୍କ ସହଯୋଗ ତାଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଶେଷରେ ଉଭୟ ପଦାଧିକାରୀ ଏହି ସହରରେ ସାଂପ୍ରଦାୟିକ ସଦ୍ଭାବ ପୂର୍ଣ୍ଣ ମାତ୍ରାରେ ରହିଥିବାର ସ୍ୱୀକାର କରି ପ୍ରଶାସନ ଉପରେ ସମସ୍ତଙ୍କର ବିଶ୍ୱାସ ଫେରିଆସୁ ବୋଲି କାମନା ପୂର୍ବକ ଏଠାରେ ପୂର୍ବରୁ ଦଙ୍ଗା ହୋଇଥିବାରୁ ତାହା ପୁନର୍ବାର ଘଟିବାର ଯେଉଁ ଭୟ ଓ ଆଶଙ୍କା ଯୋଗୁଁ ଏବେବି ଲୋକେ ଘରଛାଡି ଅନ୍ୟତ୍ର ପଳାୟନ କରିଛନ୍ତି, ତାହା ଆଉ ପରିଲକ୍ଷିତ ହେବନାହିଁ ବୋଲି ବିଶ୍ୱାସର ସହ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top