ଜିଲ୍ଲା ପରିକ୍ରମା

ନୂଆ ପାର୍କ ନିର୍ମାଣ କାର୍ଯ୍ୟରୁ ନୂତନ ବର୍ଷର ଆରମ୍ଭ

ସମ୍ବଲପୁର, ୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ସହରକୁ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମର ଯୋଜନା ସ୍ୱରୂପ ଆଜି ନୂତନ ବର୍ଷର ପ୍ରଥମ ସକାଳରେ ଏକ ନୂଆ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ଏବଂ ତିନି ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହି ପାର୍କରେ ରଙ୍ଗୀନ ଆଲୋକ, ମୁକ୍ତାକାଶ ଜିମ୍ନାସିୟମ, ଶିଶୁମାନଙ୍କ ପାଇଁ ଖେଳ ଉପକରଣ, ବେଞ୍ଚ ଏବଂ ଚାରିପଟେ ଭ୍ରମଣ ପାଇଁ ପାଥୱେ ନିର୍ମାଣ କରାଯିବ। ଏଥି ସହିତ ପାର୍କ ଭିତରେ ଉଦ୍ୟାନକୁ ଆକର୍ଷଣୀୟ ଫୁଲଗଛ ଓ ବୃକ୍ଷରେ ସୌନ୍ଦର୍ଯ୍ୟକରଣ କରାଯିବ। ନେଲସନ ମଣ୍ଡେଲା ଛକ ନିକଟସ୍ଥ ମେଟ୍ରିକ୍ ବୋର୍ଡ଼ ଅଫିସ ସନ୍ନିକଟ ଜୋର କୂଳରେ ୧୦୫୦ ବର୍ଗମିଟର ଜମିରେ ଏହି ପାର୍କ ନିର୍ମାଣ କରାଯିବ। ମହାନଗର ନିଗମ ପ୍ରକଳ୍ପିତ ଏହି ପାର୍କକୁ ସର୍ବଶିକ୍ଷା ଅଭିଯାନର ବୈଷୟିକ ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯାଉଛି। ଏହି ଜମିର ସାମ୍ନାରେ ୪ ଥାକିଆ ରାସ୍ତା ଏଲଇଡ଼ି ରଙ୍ଗୀନ ଲାଇଟ ଯୋଗୁଁ ସନ୍ଧ୍ୟାରେ ଆସୁଥିବା ଲୋକେ ଏହି ପାର୍କରେ ଅବସର ବିନୋଦନ ପାଇଁ ସମୟ ଅତିବାହିତ କରିପାରିବେ। ଏହି ପାର୍କର ତଳମୁଣ୍ଡରେ ଥିବା ଯୋର ଖଣ୍ଡିରେ ପରବର୍ତ୍ତୀ ସମୟରେ ଫିଟ୍ନେସ ଜୋନ, ଯୋଗ ପ୍ଲାଟଫର୍ମ, ପୁଷ୍କରିଣୀ ଏବଂ ମହିଳାମାନଙ୍କ ପାଇଁ ଅବସର ବିନୋଦନର ବ୍ୟବସ୍ଥା କରାଯିବାକୁ ମହାନଗର ନିଗମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଗତବର୍ଷ ମହାନଗର ନିଗମ ପକ୍ଷରୁ ସମ୍ବଲପୁରର ଜଗନ୍ନାଥ କଲୋନୀ, ଆରଟିଓ ଅଫିସ ପଡ଼ିଆ, ଗୋବିନ୍ଦତୋଲା, ବୁର୍ଲାର ଶ୍ରୀରାମ ବିହାର, ହୀରାକୁଦର ଆଇଟିଆଇ ପାଖରେ ୧ କୋଟି ୩ ଲକ୍ଷ ଟଙ୍କା ବ୍ୟୟରେ ଏହି ୫ଟି ପାର୍କ ନିର୍ମାଣ କରାଯାଇଛି। ସେହିଭଳି ଏବେ ସମ୍ବଲପୁରର ପୁରାତନ ସେନ୍ ପାର୍କ ଓ ଭୀମଭୋଇ ପାର୍କର୍ର ବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

ସହରର ମଧ୍ୟସ୍ଥଳରେ ରହିଛି ଅନ୍ୟତମ ପୁରାତନ ସେନ୍ ପାର୍କ। କିଛି ବର୍ଷ ଆଗରୁ ଏହାର ପୁନରୁଦ୍ଧାର କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥାରେ ବିଶେଷ ଉନ୍ନତି ହୋଇନାହିଁ। ହେଲେ ସ୍ଥାନୀୟ ଲୋକେ ଏପରିକି ମହିଳାମାନେ ଅବସର ବିନୋଦନ ଏବଂ ଜଗିଂ ପାଇଁ ଏହି ପାର୍କକୁ ଆସୁଛନ୍ତି। ଏବେ ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୩୮ ଲକ୍ଷ ୫୮ ହଜାର ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ପାର୍କ ଭିତରେ ପାଦଚଲା ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ ୧୨.୩୬ ଲକ୍ଷ ଟଙ୍କା, ଲେଣ୍ଡସ୍କେପିଙ୍ଗ ଓ ଉଦ୍ୟାନ ସକାଶେ ୫ ଲକ୍ଷ ଟଙ୍କା, ଶିଶୁମାନଙ୍କ ଖେଳ ଉପରକରଣ ପାଇଁ ୩.୯୫ ଲକ୍ଷ ଟଙ୍କା, ବ୍ୟାୟାମ ଉପକରଣ ସକାଶେ ୧.୯୧ ଲକ୍ଷ ଟଙ୍କା, ଗାର୍ଡ଼େନ ବେଞ୍ଚ ସ୍ଥାପନ ପାଇଁ ୫.୦୯ ଲକ୍ଷ ଟଙ୍କା, ବିଦ୍ୟୁତ, ପାନୀୟ ଜଳ, ପ୍ରଶାଧନ ଗୃହ ପ୍ରଭୃତି କାର୍ଯ୍ୟ ପାଇଁ ୧୦.୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ସେହିପରି ଫାଟକ ନିକଟସ୍ଥ ଦାନୀପାଲି – ଭୀମଭୋଇ ନଗରରେ ଥିବା ଭୀମଭୋଇ ପାର୍କର ନବୀକରଣ ପାଇଁ ୪୪.୨୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏଠାରେ ପାଦଚଲା ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ ୧୧.୭୭ ଲକ୍ଷ ଟଙ୍କା, ଲେଣ୍ଡସ୍କେପିଙ୍ଗ ଓ ଉଦ୍ୟାନ ପ୍ରସ୍ତୁତ ସକାଶେ ୫.୧୦ ଲକ୍ଷ ଟଙ୍କା, ଶିଶୁମାନଙ୍କ କ୍ରୀଡ଼ା ଉପକରଣ ପାଇଁ ୩.୯୫ ଲକ୍ଷ ଟଙ୍କା, ବ୍ୟାୟାମ ଉପକରଣ ସକାଶେ ୧.୮୦ ଲକ୍ଷ ଟଙ୍କା, ଗାର୍ଡ଼େନ ବେଞ୍ଚ ପାଇଁ ୧୦.୮୮ ଲକ୍ଷ ଟଙ୍କା ଓ ବିଦ୍ୟୁତ, ପାନୀୟ ଜଳ ତଥା ପ୍ରଶାଧନ ଗୃହ ପାଇଁ ୧୦.୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ହେଲେ ସହର ମଧ୍ୟରେ ଥିବା ଆହୁରି ୫ଟି ପୁରାତନ ପାର୍କ ବଡ଼ବଜାର, ଜିଏମ କଲେଜ ଛକ, ବାଲିବନ୍ଧା ପ୍ରଭୃତି ସ୍ଥାନରେ ରହିଛି। ଆଜିର ନୂଆ ପାର୍କର ଭୂମିପୂଜା ସମୟରେ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲାପାଳ ସମର୍ଥ ବର୍ମା, ଏସଡ଼ିଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି, ମହାନଗର ନିଗମ କମିଶନର ବିମଳେନ୍ଦୁ ରାୟ, ସର୍ବଶିକ୍ଷା ଅଭିଯାନର ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top