ନୂଆ ଦିଲ୍ଲୀ ସ୍ଥିତ ଓଡିଶା ନିବାସ କ୍ୟାଂଟିନକୁ କେବଳ ସେଠାର ଅତିଥି ନୁହନ୍ତି ସମସ୍ତଙ୍କ ପାଇଁ ଖୋଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ରୁଚିକର ଓଡିଆ ଖାଦ୍ୟ ପ୍ରତି ନୂଆଦିଲ୍ଲୀରେ ଲୋକ ମାନଙ୍କର ମଧ୍ୟରେ ପ୍ରବଳ ଆଗ୍ରହ ରହିଛି
– ଏଥିପାଇଁ ସୋସିଆଲ ମିଡିଆରେ ଲୋକ ମାନେ ବାରମ୍ବାର ଦାବି କରୁଛନ୍ତି
-ପୂର୍ବରୁ ସମସ୍ତଙ୍କ ପାଇଁ ଏହି କ୍ୟାଂଟିମ ଖୋଲା ଥିବା ବେଳେ ୨୦୧୬ରୁ ବନ୍ଦ କରାଯିବା ଦୁଃଖର ବିଷୟ
ନୂଆଦିଲ୍ଲୀ /ଭୁବନେଶ୍ୱର, ୨୬ ଏପ୍ରିଲ (ଓଡ଼ିଆ ପୁଅ) – ନୂଆଦିଲ୍ଲୀ ସ୍ଥିତ ଓଡିଶା ନିବାସ କ୍ୟାଂଟିନକୁ କେବଳ ସେଠାରେ ରହୁଥିବା ଅତିଥି ମାନଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଖୋଲା କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଋଚିକର ଓଡିଆ ଖାଦ୍ୟ ଦିଲ୍ଲୀ ଓ ଆଖପାଖ ଅଂଚଳରେ ରହୁଥିବା ଓଡିଆ ଲୋକ ତଥା ଅନ୍ୟ ମାନେ ଖୁବ ପସନ୍ଦ କରୁଥିବାରୁ ଏହା ସମସ୍ତଙ୍କ ପାଇଁ ଖୋଲିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତିା ଓଡିଶା ନିବାସର କ୍ୟାଂଟିନକୁ ସମସ୍ତଙ୍କ ପାଇଁ ଖୋଲା କରିବା ଦ୍ୱାରା ସମସ୍ତେ ଓଡିଆ ଭୋଜନର ସ୍ୱାଦ ନେଇ ପାରିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଖାଦ୍ୟ କେବଳ ଯେ ଅତ୍ୟନ୍ତ ରୁଚିକର ତା ନୁହେଁ ବରଂ ଏହି ଖାଦ୍ୟ କହିବାକୁ ଗଲେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ। ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ପାଖାପାଖି ୨୦ ଲକ୍ଷ ଓଡିଆ ଲୋକ ବସବାସ କରନ୍ତି। ସେମାନଙ୍କ ପାଇଁ ଦୀର୍ଘ ବର୍ଷ ଧରି ଓଡିଆ ଖାଦ୍ୟ ଖାଇବାର ସବୁଠାରୁ ଭଲ ବିକଳ୍ପ ଓଡିଶା ନିବାସର କ୍ୟାଂଟିନ ଥିଲା। ସେହି ରି ଅଣ ଓଡିଆ ଲୋକ ମାନେ ମଧ୍ୟ ସୁସ୍ୱାଦୁ ଓଡିଆ ଖାଦ୍ୟ ଓଡିଶା ନିବାସରେ ପାଇ ପାରୁଥିଲେ।

ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ୨୦୧୬ ମସିହା ଠାରୁ ଓଡିଶା ନିବାସରେ ରହୁଥିବା ଅତିଥି ମାନଙ୍କ ବ୍ୟତୀତ ଅନ୍ୟ ମାନଙ୍କ ପାଇଁ ଏହି କ୍ୟାଂଟିନକୁ ବନ୍ଦ କରି ଦିଆ ଯାଇଛି। ଏହା ଦ୍ୱାରା ସେମାନେ ଓଡିଆ ଖାଦ୍ୟ ଖାଇବାରୁ ବଂଚିତ ହେଉଛନ୍ତି। ଏହାକୁ ସମସ୍ତଙ୍କ ପାଇଁ ଖୋଲା ରଖିବାକୁ ସେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଅନୁରୋଧ ମିଳିଛି।

Leave a Reply

Your email address will not be published. Required fields are marked *