ନୂଆପଡ଼ା ପୋଲିସକୁ ପ୍ରଶଂସା : ଅସହାୟ ନାବାଳିକାଙ୍କ ପାଇଁ ରକ୍ତଦାନ

ସମ୍ବଲପୁର/ନୁଆପଡ଼ା, ୮/୯ (ଓଡ଼ିଆ ପୁଅ) – ସାଧାରଣତଃ ଆଇନ ଶୃଙ୍ଖଳା ଏବଂ ଅନ୍ୟ ଅପରାଧ ବାବଦରେ ଅଭିଯୋଗ ନେଇ ଲୋକେ ଥାନାକୁ ଯାଇଥାନ୍ତି। ହେଲେ ନୂଆପଡ଼ା ଜିଲ୍ଲା ଅଭ୍ୟନ୍ତରୀଣ କୋମନା ଥାନାକୁ ଜଣେ ଅସହାୟ ମହିଳା ନିଜ ନାବାଳିକା କନ୍ୟାଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତ ସକାଶେ ଯାଇ ନିରାଶ ହୋଇନାହାନ୍ତି। ଥାନାର ପୋଲିସ ଅଧିକାରୀଙ୍କ କର୍ତ୍ତବ୍ୟ ପରାୟଣତା ଏବଂ ସେବା ମନୋବୃତ୍ତି ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ପ୍ରଶଂସିତ ହୋଇଛି। ରାଜ୍ୟ ପୋଲିସ ଡିଜି ଡା. ରାଜେନ୍ଦ୍ର ଶର୍ମା ପୋଲିସ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପ୍ରକାଶ ଯେ, କୋମନା ଥାନା ପେଣ୍ଡେରାବନ୍ଧ ଗ୍ରାମ ନିବାସୀ ଶୁଶୀଲା ଲୋହାର ନିଜ ୧୦ ବର୍ଷ ବୟସ୍କା ନାବାଳିକା ଝିଅ ସଂଯୁକ୍ତାକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ସଦର ହସପିଟାଲରେ ଭର୍ତ୍ତି କରିଥିଲେ। ସଂଯୁକ୍ତାଙ୍କ ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ଅତ୍ୟନ୍ତ କମ୍ ଥିବାରୁ ଡାକ୍ତରମାନେ ଏହାଙ୍କ ପାଇଁ ରକ୍ତ ଦରକାର ଥିବାର ପରାମର୍ଶ ଦେଇଥିଲେ। ହେଲେ ହାସପିଟାଲ ରକ୍ତଭଣ୍ଡାରରେ ଏହି ବର୍ଗର ରକ୍ତ ନଥିବାରୁ ଶୁଶୀଲା ରକ୍ତଦାତା ଖୋଜିବାରେ ଲାଗିଥିଲେ। ହେଲେ ସେ ଏହି ବର୍ଗର ରକ୍ତ ନ ପାଇବାରୁ କୋମନା ଥାନାରେ ସାନ ଝିଅଙ୍କ ସହ ପହଞ୍ଚିଥିଲେ। କୋମନା ଥାନାର ଆଇଆଇସି ବି. ମହନ୍ତ ତତ୍କ୍ଷଣାତ୍ ଗୃହରକ୍ଷୀ ଶରତ ହଂସଙ୍କୁ ହାସପାତାଲ ଯିବାପାଇଁ କହିଥିଲେ। ଶ୍ରୀ ହଂସ ସେହିକ୍ଷଣି ଡାକ୍ତରଖାନା ଯାଇ ସ୍ୱେଚ୍ଛାରେ ରକ୍ତଦାନ କରିଥିଲେ। ଏହା ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ଭାବରେ ସହାୟକ ହୋଇଥିଲା। ଶୁଶୀଲା ଲୋହାର ଏହି କାର୍ଯ୍ୟ ପାଇଁ ନୂଆପଡ଼ା ଜିଲ୍ଲା ପୋଲିସକୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *