ନୂଆଦିଲ୍ଲୀ ମହାଧାରଣାରେ ସମ୍ବଲପୁରର ପ୍ରତିନିଧି

ସମ୍ବଲପୁର, ୧୨/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସାଧାରଣ ବିତରଣ ବ୍ୟବସ୍ଥାକୁ ସାର୍ବଜନୀନ କରାଯାଇ ଦରଦାମ ବୃଦ୍ଧିକୁ ରୋକାଯିବା ଏବଂ ନିଯୁକ୍ତି ସୃଷ୍ଟି ପାଇଁ ସୁଦୃଢ଼ ପଦକ୍ଷେପ ଦ୍ୱାରା ବେକାରୀ ବୃଦ୍ଧିକୁ ନିୟନ୍ତ୍ରଣ ଦାବି ନେଇ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ନୂଆଦିଲ୍ଲୀ ସଂସଦ ସମ୍ମୁଖରେ ଗତ ତିନିଦିନ ଧରି ହୋଇଥିବା ମହାଗଣଧାରଣାରେ ସମ୍ବଲପୁରର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ। ରାଜ୍ୟ ସିଟୁର ସଭାବତି ଲମ୍ବୋଦର ନାୟକ, ସମ୍ପାଦକ ବିଷ୍ଣୁ ମହାନ୍ତି, ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ମହେଶ୍ୱର ଷଣ୍ଢ, ସିଟୁର ଝାରସୁଗୁଡ଼ା ଜିଲ୍ଲା ସଭାପତି ରତ୍ନାକର ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତିଙ୍କ ନେତୃତ୍ୱରେ ଓଡ଼ିଶାରୁ ବହୁସଂଖ୍ୟକ ଶ୍ରମିକ ଓ କର୍ମଚାରୀ ଏହି ମହାଧାରଣାରେ ସାମିଲ ହୋଇଥିଲେ। ସମସ୍ତ ଶ୍ରମିକମାନଙ୍କୁ ପେନସନ, ପ୍ରଚଳିତ ବଜାର ମୂଲ୍ୟ ଅନୁସାରେ ଶ୍ରମିକ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ମଜୁରି, ସମସ୍ତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ, ଅଙ୍ଗନବାଡ଼ି, ଆଶା, ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ସ୍ଥାୟୀ କରାଯିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରାଯିବା ଦାବି ନେଇ ସିଟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଏଆଇଟିୟୁସି, ଇନ୍ଟକ୍, ହିନ୍ଦ ମଜଦୂର ସଭା ପ୍ରଭୃତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନ କ୍ରମେ ଏହି ଧାରଣା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *