ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦ୍ୱାରା “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ ଗୁରୁଗାଓଁ ଠାରେ ଆୟୋଜିତ

ମହାନ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ସମାରୋହ ପାଳନ

ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦ୍ୱାରା “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ ଗୁରୁଗାଓଁ ଠାରେ ଆୟୋଜିତ

– ଇଂରେଜ ବିରୁଦ୍ଧରେ ଭାରତର ପ୍ରଥମ ବିଦ୍ରୋହର ଏହି ପ୍ରେରଣାଦାୟୀ ଗାଥାକୁ ବଜାୟ ରଖିବା ନିମନ୍ତେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଗୁରଗାଓଁ/ନୂଆଦିଲ୍ଲୀ, ୧୪ ଅକ୍ଟୋବର ୨୦୧୭ (ଓଡ଼ିଆ ପୁଅ) : ୧୮୧୭ ମସିହାରେ ହୋଇଥିବା ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ସମାରୋହ ପାଳନ ଅବସରରେ ନୂଆଦିଲ୍ଲୀର ଅଗ୍ରଣୀ ସଂଗଠନ ‘ଓଡ଼ିଆ ସମାଜ’, ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ର ସହଯୋଗରେ ଇଂରେଜ ବିରୋଧରେ ଭାରତର ପ୍ରଥମ ବିଦ୍ରୋହର ଏହି ପ୍ରେରଣାଦାୟୀ ଗାଥାକୁ ବଜାୟ ରଖିବା ନିମନ୍ତେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସ୍ୱରୂପ “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ ଗତକାଲି ଗୁରୁଗାଓଁ ଠାରେ ଆୟୋଜିତ କରିଛି।

୧୮୫୭ ମସିହାରେ ହୋଇଥିବା ବିଦ୍ରୋହର ଚାରି ଦଶକ ପୂର୍ବରୁ ଇଂରେଜ ମୁକ୍ତ ଭାରତ ଗଠନ ପାଇଁ ଓଡ଼ିଶାର ପାଇକମାନେ ଦେଇଥିବା ବଳିଦାନକୁ ସମ୍ମାନ ଜଣାଇବା ସହ ଏ ଦିଗରେ ଅଧିକ ଗବେଷଣା କରି ଆମର ସ୍ୱାଧିନତା ସଂଗ୍ରାମର ଇତିହାସକୁ ମନେ ପକାଇବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଆର୍ ଏନ୍ ନାୟକ ମତପୋଷଣ କରିଥିଲେ।

ପୂର୍ବରୁ ଲକ୍ଷ୍ନୌ ଏବଂ ଦିଲ୍ଲୀରେ ପରିବେଷଣ କରାଯାଇଥିବା “ଓଡ଼ିଆ ପାଇକ” ନୃତ୍ୟାଭିନୟ ଗୁରୁଗାଓଁରେ ତୃତୀୟଥର ପାଇଁ ପରିବେଷଣ ହୋଇଥିଲା। ଶ୍ରୀ ସନ୍ଦିପ ମହାପାତ୍ର, ଓଡ଼ିଆ ସମାଜର ଟ୍ରଷ୍ଟି ଏହି କାର୍ଯ୍ୟକ୍ରମ ଅବସରରେ ନିଶ୍ଚିତ କରିଥିଲେ ଯେ “ଅନ୍ୟ ରାଜ୍ୟମାନଙ୍କରେ ଏପରି କାର୍ଯ୍ୟକ୍ରମ କରି ଏହି ଐତିହାସିକ ଘଟଣାକୁ ସର୍ବଭାରତୀୟ ସ୍ତରୀୟ ଘଟଣା କରିବା ନିମନ୍ତେ ଯୋଜନା କରାଯାଉଛି”।

ଓଡ଼ିଆ ସମାଜ ପରିବାରର ସଦସ୍ୟ ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ଶ୍ରୀ ଚାରୁଦତ ପାଣିଗ୍ରାହୀ, ଶ୍ରୀ ହିରଣ୍ୟ ମହାନ୍ତି ଏବଂ ଐତିହାସିକ, ଶିକ୍ଷାବିତ୍, ବୁଦ୍ଧିଜିବୀ, ଦିଲ୍ଲୀ ଏନସିଆର୍ ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଗୁରଗାଓଁରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ଏବଂ କୁରୁକ୍ଷେତ୍ରକୁ ଏକା ସାଙ୍ଗରେ ଆଣିବା ପାଇଁ ଏକ ପ୍ରୟାସ ଥିଲା ଏବଂ ସ୍ଥାନୀୟ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ହରିୟାଣାର ସମୃଦ୍ଧ ସଂସ୍କୃତିର ପ୍ରଦର୍ଶନ ମଧ୍ୟ କରାଯାଇଥିଲା।

ଗୁରୁ ଶ୍ରୀ ପ୍ରଭାତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଓଡ଼ିଶାର ରାଜଧାନୀ ତଥା ଭୁବନେଶ୍ୱରସ୍ଥିତ ଅନୁଷ୍ଠାନ, ନୃତ୍ୟ ନୈବେଦ୍ୟର ଛାତ୍ରଛାତ୍ରୀ “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଗୁରୁ ଶ୍ରୀ ସ୍ୱାଇଁ ଇଂରେଜ ଶାସନ ବିରୋଧରେ ଐତିହାସିକ ପାଇକ ବିଦ୍ରୋହର ଗାଥାକୁ ବର୍ଣ୍ଣନା କରିଥିଲେ। ଖୋର୍ଦ୍ଧାର ରାଜାଙ୍କ ଆଧ୍ୟାତ୍ମିକ ଶିକ୍ଷକ ତଥା ପରାମର୍ଶଦାତା ସହିଦ୍ ଜୟୀ ରାଜଗୁରୁ କିପରି ପାଇକ ପରିବାରକୁ ଏହି ବିଦ୍ରୋହ ପାଇଁ ଉତ୍ସାହିତ କରିଥିଲେ ଏବଂ ୧୮୦୩ ମସିହାରେ ଆକ୍ରମଣ କରିଥିବା ଇଂରେଜମାନଙ୍କ ବିରୋଧରେ ବିଭିନ୍ନ ଯୁଦ୍ଧ କୌଶଳମାନ କିପରି ତାଲିମ ପ୍ରଦାନ କରିଥିଲେ ସେ ସବୁକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହର ମଙ୍ଗ ଧରିଥିବା ଖୋର୍ଦ୍ଧା ଗଡ଼ର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ମାଧବ ଚନ୍ଦ୍ର ରାଉତରାୟ, ପିଣ୍ଡିକି ବାହୁବଳେନ୍ଦ୍ର ଏବଂ କୃତିବାସ ପାଟ୍ଟସାଣୀ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଇଂରେଜମାନଙ୍କ ବିରୁଦ୍ଧରେ ଲଢିଥିଲେ ସେମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଥିଲା।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ଓଡ଼ିଶାରେ ମହାନ ପାଇକ ବିଦ୍ରୋହର, (ଯାହାକି ବ୍ରିଟିଶ ଶାସନ ବିରୁଦ୍ଧରେ ପାଇକମାନଙ୍କ ସବୁଠାରୁ ବଡ଼ ବିଦ୍ରୋହ ଥିଲା) ୨୦୦ ବର୍ଷ ପୂର୍ତି ସମାରୋହ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ, ୨୦ ଜୁଲାଇ, ୨୦୧୭ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଦ୍ୱାରା ଉଦ୍ ଘାଟିତ ହୋଇଥିଲା। ଏହି ଆୟୋଜନ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିଲା। ଓଡ଼ିଶାର ଏହି ଐତିହାସିକ ପାଇକ ବିଦ୍ରୋହର ୨୦୦ ବର୍ଷ ଉତ୍ସବର ଏକ ଅଂଶ ଭାବେ ଦେଶର ବିଭିନ୍ନ ସହରରେ ନୂଆଦିଲ୍ଲୀସ୍ଥିତ ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ‘ଓଡ଼ିଆ ସମାଜ’ ଦ୍ୱାରା “ଓଡ଼ିଆ ପାଇକ” ନାମକ ଏକ ଚିତାକର୍ଷକ ନୃତ୍ୟାଭିନୟର ଆୟୋଜନ କରାଯାଉଛି। ଓଡ଼ିଆ ସମାଜର ଏହି ପଦକ୍ଷେପକୁ ବିଭିନ୍ନ ଓଡ଼ିଆ ସଂଘ ଉତ୍ସାହର ସହ ସମର୍ଥନ କରିଛନ୍ତି।

ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ଏକ ପ୍ରଭାବଶାଳୀ ଏବଂ ନିରପେକ୍ଷ ବିଚାରକ ମଣ୍ଡଳୀ ଭାବେ ନିଜକୁ ଅବସ୍ଥାପିତ କରିପାରିଛି। ଏହା ମୁଖ୍ୟତଃ ବିକାଶକୁ ପ୍ରାଥମିକତା ଦେବା ସହିତ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ରାଜନୀତିକ ଲୋକାଚାରକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଆସୁଛି। “ଓଡ଼ିଆ ସମାଜ” ଦିଲ୍ଲୀ ଏନ୍ ସିଆର୍ ଏବଂ ଏହାର ଆଖପାଖରେ ରହୁଥିବା ଓଡ଼ିଆ ସମୁଦାୟକୁ ଏକତ୍ରିତ କରିବା ପାଇଁ ନିଜ ପ୍ରୟାସକୁ ସମର୍ପିତ କରିଛି। ୨୦୧୭ ଏପ୍ରିଲ ୨୯ ରୁ ମେ ୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଓଡ଼ିଶା ପର୍ବର ଅଭୂତପୂର୍ବ ସଫଳତା, ଯେଉଁଠାରେ ଦେଢଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶକ ସାମିଲ ହୋଇଥିଲେ ଓ ‘ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶା’ ଭଳି ସମକାଳୀନ ବିଷୟବସ୍ତୁ ଉପରେ ‘ଗୋଲଟେବୁଲ ଆଲୋଚନାଚକ୍ର’ ଆୟୋଜନ କରିବା ପରେ, ଓଡ଼ିଆ ସମାଜ ଓଡ଼ିଶା ଇତିହାସର ସେହି ଯୁଗକୁ ପୁନଃ ଫେରି ଆସିଛି, ଯାହା ଆମର ମହାନ ତଥା ପରାକ୍ରମୀ ପାଇକଙ୍କ ଦ୍ୱାରା ଦର୍ଶାଯାଇଛି। ଓଡିଆ ସମାଜ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ନୃତ୍ୟ ନୈବେଦ୍ୟ, ଭୁବନେଶ୍ୱର, ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଏକ ଉଚ୍ଚକୋଟୀର ନୃତ୍ୟାଭିନୟ “ଓଡ଼ିଆ ପାଇକ” ପରିବେଷଣ କରାଯିବ।

ଏହି ଦ୍ୱିଶତବାର୍ଷିକୀ ସମାରୋହର ଏକ ଅଂଶ ଭାବେ, ଓଡ଼ିଆ ସମାଜ ପକ୍ଷରୁ ନୂଆଦିଲ୍ଲୀ ଏବଂ ଲକ୍ଷ୍ନୌରେ ଏହି ନୃତ୍ୟାଭିନୟର ଆୟୋଜନ କରାଯାଇଥିବାବେଳେ ଏବଂ ଏହା ଅକ୍ଟୋବର ୧୩, ୨୦୧୭ରେ ଗୁରÿଗାଓଁ ରେ ଆୟୋଜନ ହେବ। ଏହା ବ୍ୟତୀତ ଚେନ୍ନାଇ, ବେଙ୍ଗାଲୁର, ଅହମଦାବାଦ, ସୂରତ ଏବଂ କୋଲକତାରେ ଆୟୋଜନ କରିବା ପାଇଁ ଓଡ଼ିଆ ସମାଜ ପକ୍ଷରୁ ଯୋଜନା ରଖାଯାଇଛି।

ପାଇକ ବିଦ୍ରୋହ – ୧୮୧୭

୧୮୦୩ ମସିହାରେ ଇଂରେଜମାନେ ଯେତେବେଳେ ରାଜସ୍ୱ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ ସେତେବେଳେ ଓଡ଼ିଶାର କୃଷକ ଗୋଷ୍ଠୀମାନେ ବିଦ୍ରୋହର ସ୍ୱର ଉଠାଇଥିଲେ। ଓଡ଼ିଶାର ଗଜପତି ମୁକୁନ୍ଦ ଦେବ-୨ ସେ ସମୟରେ ନାବାଳକ ଥିଲେ ଏବଂ ପ୍ରାଥମିକ ସ୍ତରରେ ବିଦ୍ରୋହର ମଙ୍ଗ ଧରିଥିଲେ ଗଜପତି ମୁକୁନ୍ଦ ଦେବ-୨ଙ୍କ ପ୍ରତିରକ୍ଷକ ଜୟୀ ରାଜଗୁରୁ। ଇଂରେଜମାନେ ଏହି ଯୁଦ୍ଧର ଦମନ କରିବା ସହିତ ଜୟୀ ରାଜଗୁରୁଙ୍କୁ ମାରି ଦେଇଥିଲେ। କିଛି ବର୍ଷ ପରେ ଖୋର୍ଦ୍ଧାଗଡ଼ର ଗଜପତି ରାଜାଙ୍କ ସଶସ୍ତ୍ର ବାହିନୀର ଉତରାଧିକାରୀ ତଥା ସେନାମୁଖ୍ୟ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ହିଁ ବିଦ୍ରୋହ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ପାଇକର ସଶସ୍ତ୍ର ବାହିନୀର ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀର ସଶସ୍ତ୍ର ସେନା ବାହିନୀକୁ ପଛଘୁଂଚା ଦେବା ପାଇଁ ବାଧ୍ୟ କରିଥିଲା। ଏହି ବିଦ୍ରୋହ ‘ପାଇକ ବିଦ୍ରୋହ’ ନାମରେ ବେଶ୍ ପରିଚିତ, ଯାହା କି ଭାରତର ପୂର୍ବ ପ୍ରାନ୍ତରେ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲା।

ଏହି ବିଦ୍ରୋହ ମାର୍ଚ୍ଚ ୧୮୧୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ଖୁବଶୀଘ୍ର ବ୍ୟାପିଥିଲା। ଯେହେତୁ ଇଂରେଜମାନଙ୍କ ବିରୋଧରେ ହୋଇଥିବା ଏହି ବିଦ୍ରୋହରେ ପାଇକମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ, ତେଣୁ ଏହା ଏକ ଛୋଟ ଦଳ ଦ୍ୱାରା ହୋଇଥିବା ବୋଲି କୁହାଯାଇନପାରେ। ଘୁମୁସର ର ଆଦିବାସୀ (ବର୍ତମାନ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ଅବସ୍ଥାପିତ କରୁଛନ୍ତି) ଏବଂ ଅନ୍ୟ ଲୋକମାନେ ଏହି ବିଦ୍ରୋହରେ ସକ୍ରିୟ ଭାବେ ଯୋଗଦେଲେ। ପ୍ରକୃତରେ ପାଇକ ବିଦ୍ରୋହ ବ୍ୟାପିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିଥିଲା ଯେତେବେଳେ ୪୦୦ ଘୁମୁସର ଆଦିବାସୀ ଇଂରେଜ ଶାସନକୁ ବିରୋଧ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାରେ ପ୍ରବେଶ କଲେ। ପାଇକମାନଙ୍କୁ କନିକା, କୁଜଙ୍ଗ, ନୟାଗଡ ଏବଂ ଘୁମୁସରର ରାଜା ଏବଂ ବିଭିନ୍ନ ଜମିଦାର, ଗ୍ରାମ ମୁଖ୍ୟ, ସାଧାରଣ ଚାଷୀମାନେ ସମର୍ଥନ କରୁଥିଲେ। ଏହି ବିଦ୍ରୋହ ପୁରୀ, ପିପିଲି, କଟକ ଏବଂ ଅନ୍ୟାନ୍ୟ ପ୍ରାନ୍ତକୁ କ୍ଷୀପ୍ର ବେଗରେ ବ୍ୟାପି ଯାଇଥିଲା। ବିଶେଷଜ୍ଞ ଏବଂ ଐତିହାସିକମାନଙ୍କ ମତରେ ଇଂରେଜ ମାନଙ୍କ ବିରୋଧରେ ଏହା ଏକ ସଂଗଠିତ ଏବଂ ପ୍ରଥମ ସଶସ୍ତ୍ର ବିଦ୍ରୋହ।

ତିନୋଟି ମୁଖ୍ୟ କାରକ ଯୋଗୁଁ ଇଂରେଜ ଶାସନ ବିରୋଧରେ ହୋଇଥିବା ଏହି ବିଦ୍ରୋହର ଦାନା ବାନ୍ଧିଥିଲା। ଯେପରିକି- ଶୁଳ୍କମୁକ୍ତ ପୈତୃକ ଜମିରୁ ପାଇକ ମାନଙ୍କୁ ଦୂରେଇ ରଖିବା, ପ୍ରଚଳିତ କଉଡ଼ି ମୁଦ୍ରା ଲୋପ ପରେ ନୂତନ ମୁଦ୍ରା (ଚାନ୍ଦି ବା କାଂସ୍ୟ) ର ପ୍ରଚଳନ, ଆର୍ଥିକ ଶୋଷଣ ଏବଂ ସମୁଦ୍ର ଜଳରୁ ଲୁଣ ମାରିବା ଉପରେ ପ୍ରତିବନ୍ଧକ।

Leave a Reply

Your email address will not be published. Required fields are marked *