ନୂଆଦିଲ୍ଲୀର ଓଡିଶା ପର୍ବର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ ସଂଘର୍ଷ କରିବା ହିଁ ଓଡିଆର ଚରିତ୍ର – ଜଷ୍ଟିସ ଦୀପକ ମିଶ୍ର

ଓଡିଆ ଜାତିର ଶୌର୍ଯ୍ୟ, ବୀରତ୍ୱ, କଳା, ଭାସ୍କର୍ଯ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଓଡିଶା ପର୍ବରେ ନିଖୁଣ ଭାବେ ପ୍ରତିଫଳିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
କାର୍ଯ୍ୟକ୍ରମରେ ଓଡିଶୀ ସମେତ ଓଡିଆ କଳାକାରଙ୍କ ଦ୍ୱାରା ଓଡିଆ କଳା ସଂସ୍କୃତିର ପ୍ରଦର୍ଶନ, ଓଡିଆ ଖାଦ୍ୟର ଅନନ୍ୟ ସମ୍ଭାର
ନୂଆଦିଲ୍ଲୀ, ଭୁବନେଶ୍ୱର, ୦୯ ମାର୍ଚ୍ଚ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଇଣ୍ଡିଆ ଗେଟ ଲନରେ ଓଡିଶା ପର୍ବର ଉଦଘାଟନ କରିଛନ୍ତି ସୁପ୍ରୀମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଏହି ଅବସରରେ ଜଷ୍ଟିସ ମିଶ୍ର କହିଛନ୍ତି ଯେ ଓଡିଆ ଜାତିର ସମସ୍ତ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ, ସଂଘର୍ଷ କରିବା ହିଁ ଓଡିଆର ଚରିତ୍ର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଓଡିଆ ମାନଙ୍କର ଏହି ବୀରତ୍ୱ ଯୋଗୁ ଗୋଟିଏ ସମୟରେ ଓଡିଶାର ସୀମା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଲମ୍ବିଥିଲା। ବାଣପୁର ମାଟିରେ ତାଙ୍କର ଜନ୍ମ। ବାଣପୁର ମାଟିରୁ ସେ ଓଡିଆ ଲୋକର ବୀରତ୍ୱର ପରିଚୟ ପାଇଛନ୍ତି ବୋଲି ଜଷ୍ଟିସ ମିଶ୍ର ଏହି ଅବସରରେ କହିଛନ୍ତି।

ଓଡିଆ ଜାତିର ଶୌର୍ଯ୍ୟ, ବୀରତ୍ୱ, କଳା, ଭାସ୍କର୍ଯ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ନୂଆଦିଲ୍ଲୀ ଠାରେ ଓଡିଶା ପର୍ବରେ ନିଖୁଣ ଭାବେ ପ୍ରତିଫଳିତ ହୋଇଛି ବୋଲି ଏହି ଉତ୍ସବରେ ଯୋଗ ଦେବା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀର ଇଣ୍ଡିଆ ଗେଟ ଲନରେ ତିନି ଦିନ ଧରି ଆୟୋଜିତ ଓଡିଆ ପର୍ବର ଦ୍ୱିତୀୟ ସଂସ୍କରଣରେ ମୁଖ୍ୟ ଥିମ ପାଇକ ବିଦ୍ରୋହ ଓଡିଆ ବୀରତ୍ୱକୁ କେବଳ ନୂଆଦିଲ୍ଲୀ ବା ଜାତୀୟ ରାଜଧାନୀ କ୍ଷେତ୍ର ନୁହେଁ ବରଂ ବିଶ୍ୱର କୋଣ ଅନୁକୋଣ ଓ ସମଗ୍ର ବିଶ୍ୱରେ ରହୁଥିବା ଓଡିଆଙ୍କ ଆତ୍ମ ସ୍ୱାଭିମାନ ଓ ଗୌରବକୁ ବହୁଗୁଣିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହା ଯାଉଥିବା ବେଳେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢିଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ ଠାରେ ଓଡିଶୀ ସମେତ ଓଡିଆ କଳାକାରଙ୍କ ଦ୍ୱାରା ଓଡିଆ କଳା ସଂସ୍କୃତିର ପ୍ରଦର୍ଶନ, ଓଡିଆ ଖାଦ୍ୟର ଅନନ୍ୟ ସମ୍ଭାର, ଓଡିଆ ଲୋକ କଳା, ଲୋକ ନୃତ୍ୟର ପ୍ରଦର୍ଶନ ସମଗ୍ର ଦେଶ ସାମନାରେ ଓଡିଆ ସମାଜ ଉପସ୍ଥାପିତ କରି ଓଡିଶାର ଗୌରବକୁ ଆହୁରି ବଢାଇଛି।

Leave a Reply

Your email address will not be published. Required fields are marked *