ନୂଆଦିଲ୍ଲୀରେ ସୁନ୍ଦରଗଡ଼ ଦଲାଲଙ୍କ ରାଜ୍! କ୍ରୀତଦାସୀ ଭାବେ ଜୀବନ କାଟୁଛନ୍ତି ବାସୁମତୀ

ରାଉରକେଲା/୨୨/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ଆଦିବାସୀ ଅଧୁ୍ୟଷିତ ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ବାହାର ରାଜ୍ୟକୁ ଯୁବତୀ ଚାଲାଣ ର୍ୟାକେଟ ବଢିବାରେ ଲାଗିଛି । ଦଲାଲ ମାନେ ସକ୍ରୀୟ ହୋଇ ଯୁବତୀ ମାନଙ୍କ ପରିବାରକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାହାରରାଜ୍ୟ ଯେପରି ଛତିଶଗଡ, ମହାରାଷ୍ଟ୍ର, ତାମିଳନାଡୁ, ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀକୁ ମଧ୍ୟ ନିରୀହ ଆଦିବାସୀ ଯୁବତୀ ମାନଙ୍କୁ ଦଲାଲ ମାନେ ଟ୍ରେନରେ ଚାଲାଣ କରୁଛନ୍ତି । ଏକ ଆକଳନରୁ ଜଣାପଡିଛିଯେ, ସୁନ୍ଦରଗଡ ଜିଲ୍ଲାରୁ ପ୍ରାୟ ୪୩ ହଜାର ମହିଳାଙ୍କୁ ଚାଲାଣ କରାଯାଇଥିବା ବେଳେ, ୧୩ ହଜାରଙ୍କ ପତା ମିଳିପାରିନାହିଁ । ନିରୀହ ଯୁବତୀ ମାନେ ଦିଲ୍ଲୀରେ ଦାଦନ ଖଟିବା ସହ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ନିଜକୁ ଲିପ୍ତ କରାଯାଉଥିବା ଖବର ମିଳିଛି । ସୁନ୍ଦରଗଡର ୩ ଜଣ ଯୁବତୀଙ୍କୁ କ୍ରୀତଦାସୀ ଭାବରେ ଦିଲ୍ଲୀରେ ଖଟାଯାଉଛି ବୋଲି ଏକ ଖବର ସାମନାକୁ ଆସିଛି । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ପାତକୀଯୋର ଗ୍ରାମର ଜଣେ ଓ ବିରବିରା ଅଂଚଳର ଦୁଇ ଜଣ ଯୁବତୀଙ୍କୁ ଦଲାଲ ମାନେ ଦିଲ୍ଲୀରେ ବିକ୍ରୀ କରି ଦେଇଛନ୍ତି । ଦୀର୍ଘ ୪ ବର୍ଷ ଧର ଦିଲ୍ଲୀରେ ଏକ ପ୍ରକାର ପଣବନ୍ଦୀ ଅବସ୍ଥାରେ ଦିନରାତି କାମ କରୁଥିଲେ ମଧ୍ୟ ମୁକ୍ତିର ଉପାୟ ପାଉନାହାନ୍ତି । ଅର୍ଦ୍ଧାହାରରେ ସେମାନେ କାମ କରୁଛନ୍ତି, ମାତ୍ର ଟଙ୍କାଟିଏ ପାରିଶ୍ରମିକ ପାଉ ନାହାନ୍ତି । ଘରକୁ ଯିବାପାଇର୍ ଚାହିଁଲେ ମାଲିକଙ୍କ ଠାରୁ ଧମକ ଓ ନିର୍ଯ୍ୟାତନା ପାଉଛନ୍ତି । ଏକ ଭିଡିଓ ଚିତ୍ର ଭାଇରାଲ ହେବା ପରେ ଏହି ଘଟଣା ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବାସୁମତୀକୁ କିଜିଂରିକେଲା ଅଚଂଳର ଜଣେ ଦଲାଲ ଛତିଶଗଡ ବିଳାସପୁରରେ ଭଲ ରୋଜଗାର କରାଇ ଦେବା ପ୍ରତିଶୃତି ଦେଇ ଦିଲ୍ଲୀ ନେଇ ଯାଇଥିଲା । ସେଠାରେ ଏକ ଠିକା ସଂସ୍ଥାକୁ ୪୦ ହଜାର ଟଙ୍କାରେ ବିକ୍ରୀ କରି ଦଲାଲ ପଳାଇ ଆସିଥିଲା । ଏହାପରେ ସେହି ସଂସ୍ଥା ସଙ୍ଗମବିହାରରେ ବାସୁମତୀକୁ ବିକ୍ରୀ କରିଥିଲେ । ସେହିଦିନ ଠାରୁ ବାସୁମତୀ ସେଠାରେ କ୍ରୀତଦାସୀ ଭାବରେ ଜୀବନ ଅତିବାହିତ କରୁଛନ୍ତି । ସେ ଆଉ ଫେରିବାର ରାହା ପାଇ ପାରୁ ନାହାନ୍ତି । ସେହପରି ବିରବିରା ଅଂଚଳର ୨ ଜଣ ଯୁବତୀଙ୍କୁ ଭବାନୀପୁର ଅଂଚଳର ଜଣେ ଦଲାଲ ୪ ବର୍ଷ ତଳେ ଭଲ ରୋଜଗାରର ପ୍ରଲୋଭନ ଦେଖାଇ ଦିଲ୍ଲୀ ନେଇଯାଇଥିଲା । ସେଠାରେ ଏକ ଠିକା ସଂସ୍ଥାକୁ ବିକ୍ରୀ କରି ପଳାଇ ଆସିଥିଲା । ଏହି ଦୁଇ ଯୁବତୀଙ୍କୁ ସଙ୍ଗମବିହାରରେ ବିକ୍ରୀ କରି ଦିଆଯାଇଛି । ଏହି ଘଟଣା ସମ୍ପର୍କରେ ସୁନ୍ଦରଗଡ ଏସପି ପିନାକ ମିଶ୍ର ଅବଗତ ହେବା ପରେ ୩ ଜଣ ଯୁବତୀଙ୍କୁ ଚାଲାଣ କରିଥିବା ଦଲାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକଙ୍କ ସହ ପୁଲିସର ଏକ ସ୍ୱତନ୍ତ୍ର ଟିମ ଦିଲ୍ଲୀ ଯାତ୍ରା କରିଛି । ଏହାସହ ସୁନ୍ଦରଗଡ ଜିଲ୍ଲାରୁ କେତେ ଯୁବତୀ ଦିଲ୍ଲୀ ଚାଲାଣ ହୋଇଛନ୍ତି, ଏହାର ଏକ ସବିଶେଷ ତଥ୍ୟ ଦେବାକୁ ସବୁ ଥାନାକୁ ନିଦେ୍ର୍ଦଶ କରାଯାଇଛି ।

Leave a Reply

Your email address will not be published. Required fields are marked *