ନିୟମରାଜା ପୂଜା ଅନୁଷ୍ଠିତ । ନିୟମଗିରି ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ର ଶପଥ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଅଂଚଳରେ ଥିବା ନିୟମଗିରି ପାହାଡକୁ କୌଣସି ପ୍ରକାରେ ଧ୍ୱଂସ ହେବାକୁ ଦିଆଯିବା ନାହିଁ ବୋଲି ବାର୍ଷିକ ନିୟମରାଜା ପୂଜା ଅବସରରେ ଆୟୋଜିତ ସମାବେଶରେ ଉପସ୍ଥିତ ଆଦିବାସୀମାନେ ବଜ୍ରଶପଥ ନେଇଛନ୍ତି । ଏଥି ସହିତ ନିୟମଗିରି ସୁରକ୍ଷା ସମିତିର ଅନେ୍ଦାଳନକୁ ସମର୍ଥନ କରୁଥିବା ଅନେକ ସଂଗଠନର ନେତୃବୃନ୍ଦ ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିବା ଜଣାପଡିଛି । ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁସାରେ ପାଳନ ହୋଇଆସୁଥିବା ବାର୍ଷିକ ନିୟମରାଜା ପୂଜା ପର୍ବ ଗତ ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନିୟମଗିରି ପାହାଡ ଉପରେ ଖୋଲା ଆକାଶ ତଳେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନ ସମାରୋହରେ ନିୟମଗିରି ଆନେ୍ଦାଳନକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟ ନେଇ ସମାବେଶ ଆୟୋଜିତ ହୋଇଥିବା ପ୍ରକାଶ । ସ୍ାନୀୟ ଆଦିବାସୀଙ୍କ ମତାମତକୁ ଉପେକ୍ଷା କରି ଓ ପରିବେଶକୁ ବିପର୍ଯ୍ୟୟ ଆଡକୁ ଠେଲି ଦେଇ ସରକାର ଏହାକୁ ବହୁରାଷ୍ଟ୍ରୀୟ କମ୍ପାନୀ ହାତରେ ଟେକି ଦେବାକୁ ଯୋଜନା କରୁଥିବା ଆଦିବାସୀମାନେ ଅଭିଯୋଗ କରିଥିଲେ । ଏଠାରେ ଖଣି ଖୋଲାଗଲେ ଶହଶହ ଡଙ୍ଗରିଆ ଆଦିବାସୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିବ ବୋଲି ମତପ୍ରକାସ ପାଇଥିଲା । ଯୋକୌଣସି ମୂଲ୍ୟ ଦେଇ ନିୟମଗିରିକୁ ସେମାନେ ସୁରକ୍ଷା ଦେବେ ବୋଲି ଆଦିବାସୀମାନେ ରକ୍ତ ଚାଉଳ ଧରି ବଜ୍ର ଶପଥ ନେଇଥିବା ଜଣାପଡିଛି । ପାରମ୍ପରିକ ବେଶ ଭୂଷା ଓ ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ହୋଇ ଆଦିବାସୀମାନେ ଏହି ନିୟମରାଜା ପୂଜାରେ ସାମିଲ ହୋଇ ଏକପ୍ରକାର ମାତି ଉଠିଥିଲେ । ଶେଷ ଦିନରେ ନିୟମ ରାଜାଙ୍କୁ ଆବାହନ କରାଯାଇ ମହାପୂଜାରେ ମହାପଶୁ ପୋଡ ବଳି ଦିଆଯାଇଥିଲା । ପ୍ରାରମ୍ଭରୁ ଶୁଭ ଖମ୍ବ ସ୍ଥାପନ କରାଯାଇ କାଳିସମାନେ ନାଚି ନାଚି ବାଉଂଶ ପାତିଆେ ନିର୍ମିତ କୁଳାରେ ମନ୍ତୁରା ଚାଉଳରେ ବନ୍ଦାପନା କରିବା ପରେ ଆଦିବାସୀ କନ୍ଧ ଯୁବକ ମାନେ ଟାଙ୍ଗି ଟାଙ୍ଗିଆ ଧରି ନୃତ୍ୟ କରିବା ସହ ବଳି ବୋଦା କୁକୁଡା ଆଦି ଧରି ପୀଠରେ ବଳି ଦେଇଥିଲେ । ନିୟମରାଜା ଅଛି ବୋଲି ନିୟମଗିରି ସବୁଜିମା କ୍ଷେତରେ ମାଣ୍ଡିଆ,କାନ୍ଦୁଳ,ମକା,ବିରି ଆଦି ଶସ୍ୟ ଫଳୁଛି । ଡଙ୍ଗର ଭିତରୁ ଝରଣା ବୋହି ଚାଷିକୁ ପାଣି ମିଳୁଛି । ଡଙ୍ଗର ଅଛି ବୋଲି ଆମକୁ ଆମ୍ବ,ପଣସ,ଖଜୁରୀ,ସପୁରୀ,କମଳା ଆଦି ଫଳ ମଧ୍ୟ ମିଳୁଛି ଏପରିକି ରୋଗ ବେମାରରେ ପଡିଲେ ଆମକୁ ଚେରୀ ମୂଳି ଦେଇ ଜୀବନ ଦାନ କରୁଛି ବୋଲି ଆଦିବାସୀମାନେ ନିୟମ ଗରିରକୁ ସେମାନଙ୍କ ମାଟି ମାଆଁ ବୋଲି ମାନୁଛନ୍ତି । ନିୟମ ରାଜା ଅଚି ବୋଲି ସବୁ ଅଛି ଓ ଆମକୁ ସବୁକିଛି ଦେଉଛି ବୋଲି ଆଦିବାସୀମାନେ ପ୍ରକାଶ କରୁଛନ୍ତି । ଏହି ଜଙ୍ଗଲ ଆମର,ଏହି ଡଙ୍ଗର ଆମର ବାପା ମାଆଁ, ଆମେ ତାକୁ ଛାଡି ରହି ପାରିବୁ ନାହିଁ ବୋଲି ଆଦିବାସୀମାନେ କହୁଛନ୍ତି । ନିୟମଗିରି ଡଙ୍ଗରିଆ କନ୍ଧ ମାନଙ୍କ ଜୀବନ ଜୀବିକା ସମେତ ସେମାନଙ୍କ ଧର୍ମୀୟ ଭାବନା ସହିତ ଓତପ୍ରେତ ଭାବେ ଜଡିତ । ସେଥିପାଇଁ ସର୍ବୋଚ୍ଚ ଅଦାଲତର ଆଦେଶାନୁସାରେ ୧୨ ଖଣ୍ଡ ଗ୍ରାମରେ ଗ୍ରାମ ସଭା ହୋଇଥିଲେହେଁ କେହି ଜଣେ ହେଲେ ନିୟମଗରିର ଛାଡିବାକୁ ମତ ଦେଇନଥିଲେ । ଗ୍ରାମସଭା ରାୟ ଅନୁସାରେ ବେଦାନ୍ତ କମ୍ପାନୀର ଖଣି ଖନନ ଯୋଜନା ବନ୍ଦ ହୋଇଯାଇଛି । ଡଙ୍ଗରିଆ ଆଦିବାସୀ କନ୍ଧମାନେ ଆଗାମୀ ଦିନରେ ମଧ୍ୟ ଏହି ନିୟମଗିରି ପାହାଡକୁ କାହା ହାତରେ ଟେକି ଦେବେ ନାହିଁ ବୋଲି ଆଦିବାସୀମାନେ ରକ୍ତ ଭିଜା ପୂଜା ଚାଉଲ ଧରି ବଜ୍ର ଶପଥ ନେଇଛନ୍ତି । ଏହି ପରବରେ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର ଆଖପାଖ ୫୦ ରୁ ଅଧିକ ଗ୍ରାମର ଆଦିବାସୀମାନେ ଯୋଗ ଦେଇଥିଲେ । ନିୟମରାଜା ପୂଜା ଅବସରରେ ରାତିସାରା ଜାନି କନ୍ଧ ଦେବାଦେବୀ ପୁରୁଷ ପୁଝାରୀ ଓ ଦିନରେ ବେଜୁଣୀ ମହିଳା ପୁଝାରୀ ମାନେ ନିୟମରାଜାଙ୍କ ସହିତ ଆଖପାଖ ଗାଁରେ ଥିବା ଦେବାଦେବୀମାନଙ୍କ ନାମ ଆହ୍ୱାନ କରି ମାଟିର ମଣିଷ ମାନଙ୍କୁ ଭଲ ଫସଲ ଦେବାକୁ ଏବଂ ରୋଗ ବୈରାଗରୁ ଦୁରେଇ ରଖିବାକୁ ମନାସୀ ଥାନ୍ତି । ନିୟମଗିରି ସମେତ ଖଣ୍ଡୁଆଳମାଳି,ସିଜୁମାଳି, ଶାଶୁବୋହୁମାଳି,ବଫଲାମାଳି,ଗୁଣ୍ଡିରାଣିମାଳି,କୁଟ୍ରୁମାଳି ଭଲି ପାହାଡର ସୁରକ୍ଷା କରିବାକୁ ଆଦିବାସୀମାନେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *