ନିଷ୍ଠାପର ପ୍ରଶାସନ, ଅମାନିଆ ଜନତା

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ବେପରୁଆ ଗାଡିଚାଳନା, ବିନା ହେଲମେଣ୍ଟରେ ବାଇକ୍ ଚାଳନା ଓ ବିପଦପୂର୍ଣ୍ଣ ଭାବେ ମାଲବୁହା ଗାଡିରେ ଯାତ୍ରୀ ପରିବହନ ଦ୍ୱାରା ବହୁ ସମୟରେ ରାସ୍ତା ଦୁର୍ଘଟଣା ବଢି ଚାଲିଛି । ଫଳରେ ପ୍ରତିଦିନ ବହୁ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ଦ୍ୱାରା ସେମାନଙ୍କ ପରିବାର ନିଜ ଲୋକଟିଏକୁ ହରାଇ ମିୟମ୍ରାଣ ହୋଇ ପଡୁଛନ୍ତି । ଦୁର୍ଘଟଣାରେ ଯଦି ପରିବାରର ରୋଜଗାରକ୍ଷମ ଲୋକଟିର ମୃତ୍ୟୁ ହେଲା ତେବେ ପରିବାର ତଳିତଳାନ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ କିଭଳି ନିରାପଦ ଭାବେ ରାସ୍ତାରେ ଗତାଗତ କରିବେ, କିଭଳି ଦୁର୍ଘଟଣାରୁ ରକ୍ଷା ପାଇବେ ଏହାକୁ ନେଇ ପ୍ରଶାସନ ସବୁ ସମୟରେ ନିଷ୍ଠାପର ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ମାନେ ଅଧିକ ସଂଖ୍ୟାରେ ମୃତାହତ ହେଉଥିବାରୁ ବାଇକ୍ ଚାଳନା ସମୟରେ ଚାଳକ ହେଲମେଣ୍ଟ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି । ଏବେ ପୁନର୍ବାର ବାଇକ୍ ପଛରେ ବସିଥିବା ଆରୋହୀ ମଧ୍ୟ ହେଲମେଣ୍ଟ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି । ଏ ସବୁ ପରେ ମଧ୍ୟ ବାଇକ୍ ଚାଳକମାନେ ହେଲମେଣ୍ଟ ପିନ୍ଧିବାକୁ ଆଦୈା ଗୁରୁତ୍ୱ ଦେଉନାହାନ୍ତି । ଫଳସ୍ୱରୁପ ଦୁର୍ଘଟଣାରେ ସର୍ବାଧିକ ଚାଳକଙ୍କ ମୃତ୍ୟୁ ମୁଣ୍ଡରେ ଗଭିର ଆଘାତ ଲାଗିବା ଦ୍ୱାରା ହେଉଥିବା ଜଣାଯାଇଛି । ଅନ୍ୟ ପକ୍ଷରେ କାର ଚାଳନା କରିବା ସମୟରେ ସିଟବେଲ୍ଟ ଲଗାଇବାକୁ ଗୁରୁତ୍ୱାରୋପ କରାଯାଉଥିଲାବେଳେ ସେଥିପ୍ରତି ମଧ୍ୟ କାରଚାଳକ ମାନେ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି । ଏହା ଏକ ସମସ୍ୟାରେ ପରିଣତ ହୋଇଥିଲାବେଳେ ପ୍ରଶାସନ ପକ୍ଷରୁ ଏଥିରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୁଲିସ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଜରିମାନା ଆଦାୟ କରାଯାଉଛି । ଯାହାର ଆଦୈା ପ୍ରଭାବ ଚାଳକମାନଙ୍କ ଉପରେ ପଡୁନାହିଁ । ଏହି ଗାଡି ଚାଳକ ମାନଙ୍କ ଉପରେ ରୋକ ଲଗାଇବାକୁ ନୂତନ ଏସ.ପି ଚରଣ ସିଂ ମୀନା ବ୍ୟାପକ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି । ଏସ.ପିଙ୍କ ନିର୍ଦେଶରେ ଯାଜପୁର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ଗାଡିଚାଳକଙ୍କ ଉପରେ ଚଢାଉ ଚାଲିଥିବା ଦେଖିବାକୁ ମିଳିଛି । ତିନିଦିନ ହେଲା ଏହି ଯାଞ୍ଚକୁ ଆଇଆଇସି ପ୍ରଶାନ୍ତ କୁମାର ମଲ୍ଲ ଯୋରଦାର କରିଥିଲାବେଳେ ନିୟମ ମାନୁନଥିବା ଗାଡିଚାଳଙ୍କ ନିକଟରୁ ୩୦ ହଜାର ଟଙ୍କାରୁ ଅଧିକ ଜରିମାନା ଆଦାୟ କରି ସାରିଲେଣି । ଏହା ସହିତ ମାଲବୁହା ଗାଡିରେ ଲୋକଙ୍କୁ ବୋହୁଥିବା ୫ ଜଣ ଗାଡିଚାଳକଙ୍କ ଲାଇସେନ୍ସକୁ ଜବତ କରିବା ସହିତ ସେମାନଙ୍କ ନିକଟରୁ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛନ୍ତି । ଅପରପକ୍ଷେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ଏହି ଯାଞ୍ଚ ଚାଲୁଥିବା ସମୟରେ କିଛି ଚାଳକ ପୁଲିସ ସହିତ ଯୁକ୍ତିତର୍କ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । କିଛି ଚାଳକ ପ୍ରଭାବ ପକାଇବାକୁ ଚେଷ୍ଟା କରୁଥିଲାବେଳେ ଆଉ କିଛି ଚାଳକ ଜରିମାନା ଦେଇ ହସିହସି ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାହିଁ ହେଉଛି ବିଡମ୍ବନା । ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ପ୍ରଶାସନ ନିଷ୍ଠାପର ଉଦ୍ୟମ କରୁଥିଲାବେଳେ ନିଜ ସୁରକ୍ଷା ପାଇଁ ଏହାକୁ ନମାନି ଜନତା ଅମାନିଆ ହେବାକୁ ବୁଦ୍ଧିଜୀବି ନାପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *