ନିଶୁଳ୍କ ଆଇନସେବା ସଂସ୍ଥା ‘ନ୍ୟାୟ ସଂଯୋଗ’ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦ୍ଘାଟିତ

କଟକ,୨୩/୦୬ (ଓଡ଼ିଆ ପୁଅ/ ତପନ କୁମାର ସାହୁ): ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ କ୍ୟାଣ୍ଟନମେଣ୍ଟସ୍ଥିତ ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ନିଶୁଳ୍କ ଆଇନସେବା ସଂସ୍ଥା ‘ନ୍ୟାୟ ସଂଯୋଗ’ ହାଇକୋର୍ଟର ମୁଖ୍ୟ ବିଚାରେପତିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ବି.କେ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ପ୍ରାଧିକରଣର ମୁଖ୍ୟ ପୃଷ୍ଟପୋଷକ ଭିନୀତ୍ ଶରଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ସଂସ୍ଥା ନ୍ୟାୟିକ ପ୍ରକ୍ରିୟାରୁ ବଞ୍ଚିତ ହେଉଥିବା ହିତାଧିକାରୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଇନ ସହାୟତା ଆବଶ୍ୟକ କରୁଥିବା ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ଆଇନ ସହାୟତା ପ୍ରଦାନ କରିବ ବୋଲି ହାଇକୋର୍ଟର ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ପ୍ରକାଶ କରିଛନ୍ତି। ଏହା ହିତାଧିକାରୀ ଓ ଆଇନସେବା ପ୍ରାଧିକରଣର କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରକ୍ଷା କରିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ଆଇନସେବା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ଗରିବ ହିତାଧିକାରୀଙ୍କୁ ମାଗଣା ଆଇନସେବା ମାଧ୍ୟମରେ ତ୍ୱରିତ ନ୍ୟାୟ/ଦୁଆର ମୁଁହରେ ନ୍ୟାୟ ପ୍ରଦାନ ପାଇଁ ପ୍ରଚେଷ୍ଠା କରାଯିବ ବୋଲି ଜଷ୍ଟିସ୍ ମହାନ୍ତି ଗୁରୁତ୍ୱାରୋପ କରିଛନ୍ତି। ସେ କହିଲେ ଯେ ରାଜ୍ୟର ଯେକୌଣସି ସ୍ଥାନରେ ଥିବା ହିତାଧିକାରୀଙ୍କୁ ‘ନ୍ୟାୟ ସଂଯୋଗ’ ମାଧ୍ୟମରେ ଆଇନ ସହାୟତା / ପରାମର୍ଶ/ ଉପଦେଶ ଦିଆଯାଇପାରିବ। କ୍ୟାଣ୍ଟନମେଣ୍ଟରୋଡ଼ ସ୍ଥିତ ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠରେ ପ୍ରତିଦିନ ଜଣେ ପାରାଲିଗାଲ ସ୍ୱେଛାସେବୀ ଓ ଜଣେ ପ୍ୟାନେଲ ଆଇନଜୀବୀ ନିୟୋଜିତ ରହିବେ। ଏଥି ପାଇଁ ହିତାଧିକାରୀମାନେ କାର୍ଯ୍ୟାଳୟର ହେଲପ୍ ଲାଇନ୍ ଫୋନ୍ ୦୬୭୧-୨୩୦୭୪୩୨ ଓ ୱେବସାଇଟ ମାଧ୍ୟମରେ ମଧ୍ୟ ଆଇନ ସହାୟତା ପାଇ ପାରିବେ। ଏହି ନ୍ୟାୟ ସଂଯୋଗ ଉଦ୍ଘାଟନ କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ସଞ୍ଜୁ ପଣ୍ଡା, ବିଚାରପତି ସଞ୍ଜୟ ମିଶ୍ର, ବିଚାରପତି ଡ. ଅକ୍ଷୟ ରଥ, ବିଚାରପତି ସଙ୍ଗମ ସାହୁ, ବିଚାରପତି ବିଶ୍ୱଜିତ୍ ମହାନ୍ତି, ବିଚାରପତି ବିଶ୍ୱନାଥ ରଥ, ବିଚାରପତି ଡି.ପି ଚୌଧୁରା, ବିଚାରପତି ବି.କେ ନାୟକ, କଟକ ଜିଲ୍ଲା ଓ ଦୌରାଜଜ୍ ସତ୍ୟ ନାରାୟଣ ମିଶ୍ର, ଆଡ୍ଭୋକେଟ୍ ଜେନେରାଲ୍ ସୂର୍ଯ୍ୟ ପ୍ରସାଦ ମିଶ୍ର, କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଗାର୍ଗୀ ପଟ୍ଟନାୟକ, ରାଜ୍ୟ ଆଇନସେବା ପ୍ରାଧିକରଣର ସହକାରୀ ସଚିବ ଶଙ୍ଖ ଚକ୍ରବର୍ତ୍ତୀ ଓ ଉପ ସଚିବ ଦୀପକ୍ ରଞ୍ଜନ ସାହୁ, ବହୁ ବିଚାର ବିଭାଗୀୟ ଅଧିକାରୀ, ନବ ନିଯୁକ୍ତ ପ୍ୟାନେଲ୍ ଆଇନଜୀବୀ ଏବଂ ପାରା ଲିଗାଲ୍ ସ୍ୱେଛାସେବୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *