ନିଶା ନିବାରଣ ଆଇନ୍ କାର୍ଯ୍ୟକାରୀ ଦାବି – ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସ୍ମାରକପତ୍ର

ବାଲେଶ୍ୱର,୧୮/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ରାଜସ୍ୱ ଆଦାୟ ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାମଛଡ଼ା ମଦ ଦୋକାନ ଲାଇସେନ୍ସ ପ୍ରଦାନକୁ ବିରୋଧ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ। ରାଜ୍ୟକୁ ନିଶାମୁକ୍ତ କରିବା ଦାବିରେ ସଂଗଠନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବର୍ଷକୁ ମାତ୍ର ୨୫ ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପାଇଁ ସରକାର ଓଡ଼ିଶାର ସାମାଜିକ ବ୍ୟବସ୍ଥା ପ୍ରତି ବିପଦ ଡାକି ଆଣୁଛନ୍ତି। ଯେଉଁଠି ସେଇଠି ମଦ ଦୋକାନ ଖୋଲି ଚାଲିଥିବା ବେଳେ ଏହା ରାଜ୍ୟ ଆର୍ଥିକ ସ୍ଥିତି ଓ ସାମାଜିକ ବ୍ୟବସ୍ଥାକୁ ବେଶ୍ ପ୍ରଭାବିତ କରିଛି ବୋଲି ଅଭିଯାନର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି। ଯୁବଗୋଷ୍ଠୀ ବାଟବଣା ହେଉଥିବା ବେଳେ ଲୋକଙ୍କଠାରେ ମାନବିକତା ନଷ୍ଟ ହୋଇଯାଉଛି। ସବୁଠାରୁ ବଡ଼କଥା ହେଲା ମଦର ବ୍ୟାପକ ପ୍ରସାର ନାରୀ ସମାଜର ସୁରକ୍ଷା ପ୍ରତି ମହା ବିପଦ ଦେଖାଦେଇଛି ବୋଲି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆରୋପ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ପାଇଁ ୧୯୫୬ ମସିହାରେ ଓଡ଼ିଶା ବିଧାନସଭାରେ ପାରିତ ନିଶା ନିବାର ଆଇନ୍ ତୁରନ୍ତ କାର୍ଯ୍ୟକାରୀ ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି। ଏହି ପରିପ୍ରେକ୍ଷୀରେ ସଂଗଠନର ସଭାପତି ପ୍ରଭାକର ସାହୁ ଓ ସାଧାରଣ ସମ୍ପାଦିକା ମମତା ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସାମ୍ପ୍ରତିକ ସ୍ଥିତିରେ ଜିଲ୍ଲାରେ ବଡ଼ି ଚାଲିଥିବା ମଦ କାରବାର ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଚୋରାମଦ ଓ ବ୍ରାଉନସୁଗାର ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ସୁବ୍ରତ କର, ଡାକ୍ତର ସୁପ୍ରଭା ଦାସ, ଡାକ୍ତର ଶ୍ରୀସା କୁମାର ଦାଶ, ଡାକ୍ତର ତାରାକାନ୍ତ ନନ୍ଦ, ଯତୀନ୍ଦ୍ର କୁମାର ମହାନ୍ତି, ନିରଂଜନ ରାଉତ, ଭାରତୀ ପଣ୍ଡା, ବିକାଶ କୁମାର ଦାସ ପମୁଖ ଏଥିରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *