ନିଶା ତାଙ୍କର ଚାରାରୋପଣ ; ପରିବେଶବିତ୍ ଉଦ୍ଧବ ଚରଣ ମଲ୍ଲ

ଯାଜପୁର-୨୨/୮(ଓଡିଆ ପୁଅ/ଏ.ରାଉତ) ବୟସର ଅପରାହ୍ନରେ ଉପନୀତ ହୋଇ ମଧ୍ୟ ଚାରାରୋପଣ କରିବା ନିଶାରୁ ଆଜି ସେ ନିବୃତ୍ତ ହୋଇନାହାଁନ୍ତି। ସନ୍ତୁଳିତ ପରିବେଶ ତଥା ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଏହି କ୍ରମେ ଶିକ୍ଷକତାରୁ ଅବସର ପରେ ନିଜକୁ ସାମିଲ କରିଛନ୍ତି ପରିବେଶ ସୁରକ୍ଷା ଆନ୍ଦୋଳନରେ। ଉପାନ୍ତ ଅଞ୍ଚଳର ଗାନ୍ଧୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ଗ୍ରାମର ଉଦ୍ଧବ ଚରଣ ମଲ୍ଲ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତଥାପି ସେ ଥକି ନାହାଁନ୍ତି ତାଙ୍କ କର୍ମମୟ ଜୀବନରୁ। ହାତରେ ବାଡିଟିଏ ଧରି ଗେରୁଆ ବସ୍ତ୍ର ପରିଧାନ କରି ଘରୁ ଆଶ୍ରମକୁ ଓ ଆଶ୍ରମରୁ ଘରକୁ ଯିବା ଆସିବା କରୁଥିବା ଦେଖିବାକୁ ମିଳେ ତାଙ୍କୁ। ପରିବେଶବିତ୍ ଓ ସଂଗଠକ ଭାବରେ ମଧ୍ୟ ତାଙ୍କର ବେଶ୍ ସୁଖ୍ୟାତି ରହିଛି। ସେ ପରିବେଶକୁ ଗୁରୁତ୍ୱ ଦେଇ ଦୀର୍ଘଦିନ ହେବ ଆଶ୍ରମରେ ଚାରାରୋପଣ କରି ସ୍କୁଲ ପିଲାମାନଙ୍କୁ ମାଗଣାରେ ବଣ୍ଟନ କରିଥାନ୍ତି। ଏପରିକି ବିଭିନ୍ନ ସଂଗଠନକୁ ମଧ୍ୟ ଚାରା ପ୍ରଦାନ କରିଥାନ୍ତି। ତାଙ୍କ ଉଦ୍ୟମରେ ଐତିହ୍ୟ ସମ୍ପନ୍ନ ରାମଗଡ଼ ପାହାଡ଼ ଆଜି ସବୁ ଜିମାରେ ପରିପୂର୍ଣ୍ଣ ହୋଇଛି। ପୂର୍ବରୁ ତାହା ମାଫିଆମାନଙ୍କ କବ୍ଚାରେ ରହିଥିଲା। ସବୁଜ ବିପ୍ଳବ ଭଳି ଏକ ଆନ୍ଦୋଳ କରି ଉପାନ୍ତ ଅଞ୍ଚଳରେ ବିଭିନ୍ନ ପାହାଡ଼କୁ ସବୁଜିମାଭରା କରିବା ସହିତ ସେଠାରେ ଗଢ଼ି ଉଠିଥିବା ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ଓ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୦୪-୦୫ ମସିହାରେ ତାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ସମ୍ପର୍କରେ ତାଙ୍କୁ ପଚାରିଲେ ସେ କହନ୍ତି ପୁରସ୍କାର କେବଳ ଅନ୍ୟକୁ ପ୍ରେରଣା ମାତ୍ର। ତାହା ନିଶ୍ଚିତ ଭାବରେ ମୋତେ ପ୍ରେରଣା ଦେଇଛି। ପରିବେଶ ସୁରକ୍ଷିତ ରହିଲେ ମଣିଷ ଜୀବନ ସୁରକ୍ଷିତ ରହିପାରିବବୋଲି ସେ କହିଛନ୍ତି। ଏଥିନେଇ ସେ ତାଙ୍କର ·ରାରୋପଣ କାର୍ଯ୍ୟକ୍ରମକୁ କୌଣସି ପ୍ରକାରରେ ଆଗେଇ ନେବାପାଇଁ ସଦାସର୍ବଦା ଚିନ୍ତା କରୁଛନ୍ତି। ଗ୍ରାମର ବିଭିନ୍ନ ଯୁବକ ସଂଘକୁ ଏକତ୍ରିତ କରି ଚାରାରୋପଣ କାର୍ଯ୍ୟକ୍ରମ ଜୁଲାଇ ମାସ ତମାମ୍ ଜାରି ରଖୁଛନ୍ତି। ଏଭଳି ପରିଣତ ବୟସରେ ଏଭଳି କାର୍ଯ୍ୟକ୍ରମକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରୁଥିବାରୁ ତାଙ୍କ ସମ୍ପର୍କରେ ଖବର ପ୍ରକାଶ କରିବାପାଇଁ ଚିନ୍ତା କରି ତାଙ୍କ ବାସଭବନକୁ ଯିବାକୁ ପଡ଼ିଥିଲା। ଖାଲି ସେତିକି ନୁହେଁ ସେ ତାଙ୍କ ଜୀବନ କାଳ ମଧ୍ୟରେ ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ବିଭିନ୍ନ ଶିକ୍ଷାନୁଷ୍ଠା, ଧର୍ମାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନ ଗୁଡ଼ିକ ତାଙ୍କ ହାତ ତିଆରି ବୋଲି ସ୍ଥାନୀୟ ଲୋକମାନେ ମତପ୍ରଦାନ କରନ୍ତି। ଆଜି ସେ ଘର ଠାରୁ ଅନତି ଦୂରରେ ନିଜ ହାତରେ ଗଢ଼ିଥିବା ଆଶ୍ରମରେ ଜୀବନ ବିତାଉଛନ୍ତି। ସେହି ଆଶ୍ରମରେ ତାଙ୍କ ଶେଷ ଜୀବନ ଅତିବାହିତ କରିବ ବୋଲି ସେ ସୂଚନା ଦେଇଛନ୍ତି। ଦୈନିକ ସମାଜ ଖବର କାଗଜକୁ ସେ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ହେବ ପଢ଼ିଆସୁଛନ୍ତି। ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷକତାକୁ ଆପଣାଇଥିଲେ। ଗୋପବନ୍ଧୁ ଥିଲେ ଦେବଦୂତ। ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ମୁଁ ଦାସିଆ ବାଉରୀ ନୁହେଁ କିମ୍ବା ବନ୍ଧୁ ମାହାନ୍ତି ନୁହେଁ। କେବଳ ସାଧାରଣ ମଣିଷଟିଏ। ସମାଜ ଓ ସତ୍ୟବାଦୀ ପତ୍ରିକା ମୋର ସବୁଠୁ ପସନ୍ଦ। ଅବସର ପରେ ବିଭିନ୍ନ ଜନ ଆନ୍ଦୋଳନ ଓ ଶିକ୍ଷାର ପ୍ରସାର ତଥା ଐତିହ୍ୟ ସମ୍ପନ୍ନ ପାହାଡ଼ର ସୁରକ୍ଷା ଦୃଷ୍ଟିରୁ ମୋର ଏହି ଅଭିଯାତ୍ରା। ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ଦୃଢ଼କ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *