ଓଡ଼ିଶା

ନିର୍ମିତ ହେବ ବହୁପ୍ରତୀକ୍ଷିତ ବୌଦ୍ଧ ଜିଲ୍ଲାର ମର୍ଜାକୁଦ ସେତୁ : ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବୌଦ୍ଧ ଏନ୍.ଏ.ସି.ବାସୀ

ଭୁବନେଶ୍ୱର, ୦୮/୦୬  (ଓଡ଼ିଆ ପୁଅ) ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ମର୍ଜାକୁଦର ଦୁଇଟି ଓ୍ୱାର୍ଡକୁ ଗମନାଗମନ ସୁବିଧା ପାଇଁ ସେତୁ ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଥିବା ବୌଦ୍ଧବାସୀଙ୍କ ପାଇଁ ଏକ ଖୁସିର ବିଷୟ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିବାସୀମାନେ ତାଙ୍କର ଏହି ବଳିଷ୍ଠ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତୀପ୍ରଭା ସ୍ୱାଇଁଙ୍କ ସମେତ ସେହି ଅଞ୍ଚଳର କାଉନସିଲର ଓ ବୁଦ୍ଧିଜୀବୀମାନଙ୍କ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିନିଧି ଦଳରେ କାଉନସିଲର ଲତା ସେଠୀ, ଅମ୍ବିକା ବିଶ୍ୱାଳ, କାଦମ୍ବିନୀ ତରିଆ, ମହାଦେବ ବେହେରା, ଲଳିତ ମେହେର, ତପନ ରାଉତରାୟ, ଆଡ୍ଭୋକେଟ୍ ପୃଥ୍ୱୀରାଜ ମେହେର, ସାଂସଦଙ୍କ ପ୍ରତିନିଧି ବସନ୍ତ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ସେତୁର ନାମକରଣ କରାଯିବାକୁ ଏହି ପ୍ରତିନିଧିମଣ୍ଡଳୀ ପ୍ରସ୍ତାବ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ମାନ୍ୟବର ବାଚସ୍ପତି ଶ୍ରୀ ପ୍ରଦିପ କୁମାର ଅମାତଙ୍କ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଏହି ଦୁଇଟି ଓ୍ୱାର୍ଡର ଗମନାଗମନ ସମସ୍ୟା ଦୀର୍ଘ ଦିନରୁ ରହିଆସିଛି। ଏକ ଦ୍ୱୀପାଞ୍ଚଳ ଭାବରେ ରହି ମର୍ଜାକୁଦ ଦୀର୍ଘ ବର୍ଷ ଧରି ବୌଦ୍ଧ ସହରାଞ୍ଚଳରୁ ଏକ ରକମ ବିଚ୍ଛିନ୍ନ ରହିଥିଲା ଓ ପରିବହନ ତଥା ଗମନାଗମନ କ୍ଷେତ୍ରରେ ଡଙ୍ଗା ବ୍ୟତୀତ ମର୍ଜାକୁଦବାସୀଙ୍କ ପାଇଁ କୌଣସି ବିକଳ୍ପ ନଥିଲା। ମର୍ଜାକୁଦବାସୀଙ୍କ ଦୀର୍ଘ ଦିନର ଏହି ଦାବି ପୂରଣ କ୍ରମେ ସେତୁ ନିର୍ମାଣ ମଞ୍ଜୁରି ମିଳିଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।

ପ୍ରସ୍ତାବିତ ମର୍ଜାକୁଦ ସେତୁର ଦୈର୍ଘ୍ୟ ହେବ ୯୧୦ ମିଟର ଓ ଏହାର ନିର୍ମାଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ସେତୁ ନିର୍ମାଣ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏହି ସେତୁ ନିର୍ମାଣ ହେବା ଫଳରେ ସେଠାରେ ଥିବା ୫ରୁ ୮ ହଜାର ଜନସାଧାରଣ ଉପକୃତ ହେବେ। ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top