ନିର୍ମାଣ ଶ୍ରମିକଙ୍କ ନାଁରେ ହେଉଛି ସହାୟତା ଲୁଟ୍

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ନିର୍ମାଣ ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଛି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମାଧ୍ୟମରେ କଲ୍ୟାଣବୋର୍ଡ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ମିଳୁଥିବା ଲକ୍ଷଲକ୍ଷ ଟଙ୍କା ହରିଲୁଟ ହେଉଛି। କେତେକ ନିର୍ଦ୍ଦିଷ୍ଟ ଶ୍ରମିକ ସଙ୍ଗଠନ ଗୁଡିକ ଜିଲ୍ଲାରେ ଟାର୍ଗେଟ ପୂରଣ କରିବା ନାଁରେ ପ୍ରକୃତ ହିତାଧିକାରୀ କମ ଓ ଅନ୍ୟ ମାନଙ୍କୁ ଅଧିକ ସଂଖ୍ୟାରେ ପଂଜିକୃତ କରୁଛନ୍ତି। ଆଉ କିଛି ସଙ୍ଗଠନ ସହର ଛାଡି ବିଭିନ୍ନ ବ୍ଲକର ଉପାନ୍ତ ଅଂଚଳରେ ମାତିଛନ୍ତି। ନିର୍ମାଣ ଶ୍ରମିକ ସହାୟତା ଯୋଗାଇ ଦେବାକୁ ସେମାନଙ୍କ ଠାରୁ ମନଇଚ୍ଛା ଲୁଟୁଛନ୍ତି। ଗୋଟିଏ ଗୋଟିଏ ଶ୍ରମିକ ସଙ୍ଗଠନ ମାସିକ ୩ ଶହରୁ ୪ଶହ ଶ୍ରମିକଙ୍କୁ ପଂଜିକୃତ କରି ଜବକାର୍ଡ ଦେଉଛନ୍ତି। ହେଲେ ପଂଜିକୃତ ଶ୍ରମିକ ନିର୍ମାଣ ଶ୍ରମିକ କି ନୁହେଁ, ତାହାକୁ ଠିକ ଭାବରେ ଯାଂଚ କରାଯାଇ ପାରିନାହିଁ। ପଂଜିକୃତ ଶ୍ରମିକଙ୍କୁ ଯନ୍ତ୍ରପାତିକ୍ରୟ, ନିରାପତା ସହାୟତା, ଦିଆ ନଯାଇ ଦୋକାନୀଙ୍କ ସହ ଭିତରି ସଲାସୁତରା କରି ବିଲ ଦେଖାଇ ସିଧାସଳଖ ଟଙ୍କା ଉଠାଇ ଦେଉଛନ୍ତି। କେବଳ ଯନ୍ତ୍ରପାତି କ୍ରୟ ନିରାପତା ସହାୟତା ନୁହେଁ, ସାଇକେଲ ବଂଟନରେ ମଧ୍ୟ ଅନୁରୂପ ବିଲ ଦେଖାଯାଉଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଉରକେଲା ବିଧାୟକ ପ୍ରଭାତ ମହାପାତ୍ର। ପଂଜିକୃତ ଶ୍ରମିକ ନିର୍ମାଣ କି ନୁହେଁ, ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର। ସେହିପରି ନିର୍ମାଣ ଶ୍ରମିକ ପଂଜିକରଣରେ ହୋଇଥିବା ବ୍ୟାପକ ଅନିୟମିତତାର ସିବିଆଇ ଯାଂଚ ଦାବି କରାଯାଇଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନିର୍ମାଣ ଶ୍ରମିକ ପଂଜିକରଣ ପାଇଁ ୨୦ଟଙ୍କା, ବାର୍ଷିକ ଦେୟ ୫୦ ମୋଟ ୭୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଜେଂଟ ଏବଂ ଶ୍ରମିକ ୟୁନିୟନ ଦ୍ୱାରା ୭ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି। ବର୍ତମାନ ସୁଦ୍ଧା ଶ୍ରମିକ ସଙ୍ଗଠନ ପକ୍ଷରୁ ଜିଲ୍ଲାରେ ପାଖାପାଖି ୧ ଲକ୍ଷ ୬୦ ହଜାର ପଂଜିକୃତ କରାଯାଇଛି। ଏମାନଙ୍କ ଭିତରୁ ପ୍ରାୟ ୭୦ ହଜାର ଶ୍ରମିକ ରାଉରକେଲା ସହର ଏବଂ ଏହାର ଆଖପାଖରେ ଅଛନ୍ତି। ଶ୍ରମିକ ସଙ୍ଗଠନ ଗୁଡିକ ପକ୍ଷରୁ ପଂଜିକରଣ ନାମରେ ହେଉଥିବା ବ୍ୟାପକ ଅନିୟମିତାର ତଦନ୍ତ କରାନଗଲେ ସେ ହାଇକୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଯେଉଁ ଶ୍ରମିକ ସଙ୍ଗଠନ ମାନେ ଏପରି ବ୍ରୋଇନ କାମ କରୁଛନ୍ତି ସେମାନଙ୍କୁ କଳା ତାଲିକାଭୁକ୍ତ କରିବାକୁ ସେ ଦାବି କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୨୦୦୯ରୁ ନିର୍ମାଣ ଶ୍ରମିକ ଯୋଜନା ଆରମ୍ଭ କରାଯାଇଥିଲା। ନିର୍ମାଣ ଶ୍ରମିକ ପଂଜିକୃତ ସଂଖ୍ୟା ୬ରୁ ୮ ହଜାର ମଧ୍ୟରେ ରହିଥିଲା। ସେତେବେଳେ ନିର୍ମାଣ ଶ୍ରମିକ ପଂଜିକୃତ ପାଇଁ ମାତ୍ର ହାତ ଗଣତି ୫ରୁ ୬ଟି ଶ୍ରମିକ ସଙ୍ଗଠନ କାମ କରୁଥିଲେ। ରାଉରକେଲା ଓ ସୁନ୍ଦରଗଡ଼ରେ ଥିବା ଉପଶ୍ରମ ସଂସ୍ଥାପକ କାର୍ଯ୍ୟାଳୟରେ ଶ୍ରମିକ ମାନଙ୍କୁ ପଂଜିକୃତ କରାଯାଉଛି। ନର୍ମିାଣ ଶ୍ରମିକ ସଂଖ୍ୟା ୧ ଲକ୍ଷ ୬୦ ହଜାରରେ ପହଂଚିଛି। ପଂଜିକୃତ ଶ୍ରମିକ ମାନଙ୍କ ମଧ୍ୟରୁ ଜିଲ୍ଲାରେ ପାଖାପାଖି ୫୦ ହଜାର ନିର୍ମାଣ ଶ୍ରମିକଙ୍କୁ ସାଇକେଲ, ଯନ୍ତ୍ରପାତି କ୍ରୟ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁଜନିତ ସହାୟତା, ଶିକ୍ଷାବୃତି ଓ ଅନ୍ୟାନ ସୁବିଧା ନିମନ୍ତେ ୨୦ କୋଟି ଟଙ୍କା ଦିଆଯାଇଛି। ନିର୍ମାଣ ଶ୍ରମିକ ମାନଙ୍କୁ ଅନ୍ୟାନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି।

Leave a Reply

Your email address will not be published. Required fields are marked *