ନିର୍ବାଚନ ବ୍ୟବସ୍ଥାକୁ କଳୁଷିତ କରୁଛି ଭୋଟବ୍ୟାଙ୍କ ରାଜନୀତି : ରେଢ଼ାଖୋଲରେ ଓୟୁଜେର ଆଲୋଚନାଚକ୍ର

ରେଢ଼ାଖୋଲ, ୨୦/୮ (ଓଡ଼ିଆ ପୁଅ) ଭୋଟବ୍ୟାଙ୍କ ରାଜନୀତି ନିର୍ବାଚନୀ ବ୍ୟବସ୍ଥାକୁ କଳୁଷିତ କରିବା ସହ ଭୋଟରମାନଙ୍କୁ ଅନେକ ସମୟରେ ପ୍ରତାରିତ କରୁଛି। ସାମୟିକ ଫାଇଦା ପାଇଁ ଉଦ୍ଦିଷ୍ଟ ଏହି ଧରଣର ରାଜନୀତି ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶରେ ବାଧକ ସାଜିଛି ବୋଲି ରବିବାର ରେଢ଼ାଖୋଲଠାରେ ଓଡ଼ିଶା ସାମ୍ବାଦିକ ୟୁନିଅନ(ଓୟୁଜେ) ତରଫରୁ ଅନୁଷ୍ଠିତ ‘ଭୋଟ ବ୍ୟାଙ୍କ ରାଜନୀତି ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଆଲୋଚଚକ ମାନେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏଭଳି ରାଜନୀତିରୁ ରାଜନୀତିକ ଦଳମାନେ ବିରତ ରହିବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି। ରେଢ଼ାଖୋଲ ମହିଳା କଲେଜର ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ସହଯୋଗ ଓ ରେଢ଼ାଖୋଲ ଓୟୁଜେ ଶାଖାର ଉଦ୍ୟମରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରବକ୍ତାମାନେ ଯୋଗଦେଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩ଶହରୁ ଊର୍ଦ୍ଧ୍ୱ ସାମ୍ବାଦିକ ଉପସ୍ଥିଥିଲେ। ବିଜେଡିର ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୂଝାରୀ, ବିଜେପିର ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ତଥା ଗୁଜୁରାଟ ପ୍ରଭାରୀ ଡ. ବିଶ୍ୱରଞ୍ଜନ ମହାନ୍ତି, ପ୍ରସାର ଭାରତୀର ପୂର୍ବତନ ନିର୍ଦ୍ଦେଶକ ଡ. ଅଭୟ ପାଢ଼ୀ, ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଓଟିଭିର ମନୋରଞ୍ଜନ ଯୋଶୀ ସଂଯୋଜନା କରୁଥିବାବେଳେ ଓୟୁଜେର ସାଧାରଣ ସମ୍ପାଦକ କର୍ମଶାଳା ସମ୍ପର୍କରେ କହିଥିଲେ। ଜିଲ୍ଲା ସଭାପତି ଶିବପ୍ରସାଦ ମେହେର ସ୍ୱାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭରେ କର୍ମଶାଳାର ଆବାହକ ରମାନନ୍ଦ ମହାନନ୍ଦ ଅତିଥିମାନଙ୍କୁ ସ୍ୱାଗତ ଓ ଜିଲ୍ଲା ୟୁନିଅନର ସାଧାରଣ ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଦିବଂଗତ ରାଷ୍ଟ୍ରୀୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ରେଢ଼ାଖୋଲ ଶାଖା ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ସମ୍ପାଦକ ଅମୂଲ୍ୟ ସ୍ୱାଇଁ, ଜୟନ୍ତ କୁମାର ଖଡ଼ିରତ୍ନ, ବିଜୟ କୁମାର ବେହେରା, ସରୋଜ କୁମାର ସାହୁ, ଅରୁଣ ପ୍ରଧାନ, ଶରତ କୁମାର ପ୍ରଧାନ, ଶଙ୍କର ପୃଷ୍ଟି, ନିଗମାନନ୍ଦ ସାହୁ, ରୋହିତ ଭୋଇ, ସଚୀକାନ୍ତ ସାହୁ, ରାଧାମୋହନ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମକ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *