ନିର୍ବାଚନ ଆୟୋଗଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଲା ବିଜେପି

-ଶାସକ ବିଜେଡିର ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତିନିଧିମାନେ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ଚେକ୍ ପ୍ରଦାନ କରିବା ଅଭିଯୋଗରେ – ନିର୍ବାଚନ ଆୟୋଗଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଲା ବିଜେପି
ଭୁବନେଶ୍ୱର, ତା୧୨/୧୧ (ଓଡ଼ିଆ ପୁଅ) : ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ସତ୍ୱେ ବାରମ୍ବାର ଶାସକ ବିଜେଡି ଖୋଲାଖୋଲି ଭାବରେ ଆଚରଣବିଧିକୁ ଉଲ୍ଲଂଘନ କରୁଛି। ସରକାରୀ ଦଳର ବିଭିନ୍ନ ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତିନିଧିମାନେ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ଚେକ୍ ପ୍ରଦାନ କରୁଛନ୍ତି। ଏପରି ଅର୍ଥ ବାଂଟି ଶାସକ ବିଜେଡି ଆଦର୍ଶ ଆଚରଣବିଧି ଉଂଲଘନ କରୁଛି ବୋଲି ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ବିଜେପୁରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରତିନିଧିଭାବରେ ସିଡିପିଓ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ମିଶନ ଶକ୍ତି ଯୋଜନା ଅନ୍ତର୍ଗତ ସ୍ୱଯଂସେବକ ଗୋଷ୍ଠୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଆର୍ଥିକ ସହାୟତା ମହିଳା ଗୋଷ୍ଠୀ ମାନଙ୍କୁ ପ୍ରଦାନ କରୁଛନ୍ତି। ମହିଳା ଶିଶୁ କଲ୍ୟାଣ ବିଭାଗ ଅନ୍ତର୍ଗତ ମିଶନ ଶକ୍ତି କମିଶନର ଓ ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତିକେୟନ୍ ପାଣ୍ଡିଆନ ଏହି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ କ୍ଷେତ୍ରରେ କାମ କରୁଥିବା ବିଭାଗୀୟ କର୍ମଚାରୀମାନଙ୍କୁ ନିୟୋଜନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଏପରି କାର୍ଯ୍ୟ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଥିବା କାରଣରୁ ଶ୍ରୀମତୀ ପାଣ୍ଡିଆନ ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗଙ୍କ ପାଖରେ ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛି।

ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଆୟୋଗଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାଶ, ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ସିକନ୍ଦର ଅଲ୍ଲୀ ଏବଂ ସାଧାରଣ ସଂପାଦକ ଏନ.ରାଜେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *