ଓଡ଼ିଶା

ନିରାମୟ ଯୋଜନାରେ ବାର୍ଷିକ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଔଷଧ ବିତରଣ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ନିରାମୟ ଯୋଜନାରେ ସରକାର ବାର୍ଷିକ ପ୍ରାୟ ୫ କୋଟି ଟଙ୍କାର ମାଗଣା ଔଷଧ ବିତରଣ କରୁଛନ୍ତି। ସରକାର ଇତିମଧ୍ୟରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନା ସହିତ ୭ଟି ସିଏଚ୍ସି ଏବଂ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମାଗଣା ଔଷଧ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଯୋଜନା କର୍ଯ୍ୟକାରୀ ହେବା ବେଳକୁ ଯୋଜନାରେ ମାତ୍ର ୧୫୦ ରୁ ୧୭୦ କିସମର ଔଷଧ ଯୋଗାଇ ଦେଉଥିବା ବେଳେ ଏବେ ତାହା ୩୨୮ କୁ ବୃଦ୍ଧି ପାଇଛି। ଦିନକୁ ଦିନ ସରକାରୀ ଡାକ୍ତରଖାନାରେ ନିରାମୟ ଯୋଜନାରେ ଔଷଧ ବିତରଣ ଲୋକଙ୍କ ଦ୍ୱାରା ଅଧିକରୁ ଅଧିକ ଆଦୃତି ଲାଭ କରୁଥିବାବେଳେ ସରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧ ଭଣ୍ଡାରରେ ଔଷଧ ଭେରାଇଟି ବଢାଇବାରେ ଲାଗିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ସୂଚନା ଅନୁଯାୟୀ ଯୋଜନା କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷରେ ଆଉଟ୍ଡୋର ଏବଂ ଇନ୍ଡୋର ରୋଗୀଙ୍କୁ ମିଶାଇ ନିରାମୟ ଯୋଜନାରେ ପ୍ରାୟ ୨ ଲକ୍ଷ ୪୫ ହଜାର ରୋଗୀଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଦୁଇବର୍ଷ ପରେ ଅର୍ଥାତ୍ ଗତ ୨୦୧୭-୧୮ ମସିହାରେ ଏହି ସଂଖ୍ୟା ୪ ଲକ୍ଷ ୨୬ ହଜାର ୫୮୧ ରେ ପହଞ୍ଚିଛି। ଏଥିରେ କେବଳ ଆଉଟ୍ଡୋର୍ରେ ସର୍ବାଧିକ ୩ ଲକ୍ଷ ୫୧ ହଜାର ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିବାବେଳେ ଇନ୍ଡୋର୍ରେ ୭୫ ହଜାର ୫୬୯ ଜଣ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରାଯାଇଛି। ସବୁଠାରୁ ବଡକଥା ହେଲା ଆଉଟ୍ଡୋର ଆସୁଥିବା ରୋଗୀଙ୍କ ମଧ୍ୟରୁ ୮୦ ରୁ ୯୦ ପ୍ରତିଶତ ଲୋକ ନିରାମୟ ଔଷଧ ବ୍ୟବହାର କରୁଥିବାବେଳେ ଇନ୍ଡୋରରେ ୯୦ ରୁ ଶହେ ପ୍ରତିଶତ ଲୋକ ନିରାମୟ ଔଷଧ ବ୍ୟବହାର କରୁଛନ୍ତି। ସେହିଭଳି ନିରାମୟ ଭଣ୍ଡାରରେ ଔଷଧର ଚାହିଦାକୁ ଦୃଷ୍ଟିରେ ରଖି ଲୋକଙ୍କୁ ବିତରଣ କରାଯାଉଥିବା ଔଷଧର ମାନ ନିୟମିତ ଯାଞ୍ଚ କରାଯାଉଛି। ଫଳରେ ନିରାମୟ ଯୋଜନାରେ ବିତରଣ କରାଯାଉଥିବା ଔଷଧର ମାନକୁ ନେଇ ଅଦ୍ୟାବଧି କୌଣସି ଆପତ୍ତି ଅଭିଯୋଗ ଆସିନଥିବା କଥା କର୍ତ୍ତୃପକ୍ଷ କହିଛନ୍ତି। ତେବେ ସରକାରୀ ଡାକ୍ତରଖାନାରେ ନିରାମୟ ଯୋଜନା ପାଖରେ ମଳିନ ପଡିଯାଇଛି ଜନଔଷଧି ଭଣ୍ଡାର। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଲୋକଙ୍କୁ ରିହାତି ଦରରେ ଔଷଧ ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ପାଖରେ ଅସହାୟ ହୋଇପଡିଥିବା ଜଣାପଡିଛି। ଗୋଟିଏ ପଟରେ ନିରାମୟ ଯୋଜନାରେ ବାର୍ଷିକ ୪ ଲକ୍ଷରୁ ଉଦ୍ଧ୍ୱର୍ରୋଗୀ ଉପକୃତ ହେଉଥିବାବେଳେ ଜନ ଔଷଧୀ ଭଣ୍ଡାର ଜରିଆରେ ମାତ୍ର କେଇ ହଜାର ରୋଗୀ ଉପକୃତ ହେଉଛନ୍ତି। ଏହି ସୂଚନା ଅନୁଯାୟୀ ଗତ ୨୦୧୭-୧୮ ବର୍ଷରେ ଜିଲା ଜନଔଷଧୀ ଭଣ୍ଡାର ଜରିଆରେ ମାତ୍ର ୪ ହଜାର ୮୯୫ ଜଣ ରୋଗୀ ଉପକୃତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top