ଓଡ଼ିଶା

ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ପତ୍ନୀଙ୍କ ମୃତ୍ୟୁ ମାନସିକ ବିକାରଗ୍ରସ୍ତ ଗାର୍ଡକୁ ବନ୍ଧୁକ ଲାଇସେନ୍ସ ଓ ନିଯୁକ୍ତି ମିଳିବା ନେଇ ପ୍ରଶ୍ନବାଚୀ!

ଭଦ୍ରକ, ୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଜଣେ ଘରୋଇ ନିରାପତ୍ତା ରକ୍ଷୀର ଗୁଳିମାଡରେ ତାର ପତ୍ନୀର ଶୋଚନୀୟ ମୃତ୍ୟୁ ହେବା ଘଟଣା ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଭଦ୍ରକ ସହରାଞ୍ଚଳ ଥାନାରେ ଏକ ନରହତ୍ୟା ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରାଯିବା ପରେ ତଦନ୍ତ ଚାଲୁରହିଛି। ଭଦ୍ରକ ସହରାଞ୍ଚଳ ଥାନାରେ ମୃତକାଙ୍କ ଭାଉଜ ସସ୍ମିତା ରାଉତ ଦେଇଥିବା ଅଭିଯୋଗ ପତ୍ର ଓ ପୁଲିସ୍ ସୂତ୍ରରୁ ମିଳିଥିବା ତଥ୍ୟ ମୂଳେ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଅର୍ଜୁନପୁର ଗ୍ରାମନିବାସୀ ଗୌତମ ପୁହାଣ (୪୫) ଧାମନଗର ଥାନା ଅଧୀନସ୍ଥ ଦଶନ୍ଧିକୁଳ ଗ୍ରାମର ଅର୍ଣ୍ଣପୂର୍ଣ୍ଣା (୪୦) ଙ୍କୁ ପ୍ରାୟ ୨୨ ବର୍ଷ ପୂର୍ବେ ବିବାହ କରିଥିଲେ। ସେତେବେଳେ ଗୌତମ ନିରାପତ୍ତା ରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। ବିବାହର କିଛିଦିନ ସୁଖରେ ରହିବା ମଧ୍ୟରେ ସେମାନଙ୍କର ଦୁଇଟି ପୁତ୍ର ଓ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। ମାତ୍ର ପ୍ରାୟ ୧୦/୧୧ ବର୍ଷ ପୂର୍ବେ ଗୌତମ ମାନସିକ ସନ୍ତୁଳନ ହରାଇଥିଲେ। ପରିବାର ପକ୍ଷରୁ ତାଙ୍କର ଚିକିତ୍ସା କଟକରେ କରାଯାଇଆସୁଥିଲା। ଇତିମଧ୍ୟରେ ପତ୍ନୀ ଅର୍ଣ୍ଣପୂର୍ଣ୍ଣା ଶ୍ୱଶୁରଘର ଅର୍ଜୁନପୁରରେ ନିଜର କନ୍ୟା ରାଣୀ ସହ ରହିଆସୁଥିଲେ। ଏବେ ରାଣୀ ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ବଡପୁତ୍ର ଗୌରୀଶଙ୍କର ଭଦ୍ରକର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରିଆସୁଛି। ସାତମାସ ତଳେ ଗୌତମ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଡାହାଣୀଗଡିଆ ଛକ ନିକଟରେ ଥିବା ବିଶିଷ୍ଟ ଶିଳ୍ପପତି ଅଜୟ ଅଗ୍ରୱାଲଙ୍କ କାର୍ଯ୍ୟାଳୟରେ ନିରାପତ୍ତା ରକ୍ଷୀ ଭାବେ ଯୋଗଦେଇଥିଲା। ଆଜି ଗୌତମଙ୍କୁ କଟକ ଡାକ୍ତରଖାନା ନେଇ ଚିକିତ୍ସା କରାଇବା ଲକ୍ଷ୍ୟରେ ପତ୍ନୀ ଅର୍ଣ୍ଣପୂର୍ଣ୍ଣା ନିଜ ଭାଉଜ ସସ୍ମିତାଙ୍କ ସହ ଭଦ୍ରକରେ ଥିବା ଗୌତମଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୯ଟାରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଗୌତମ ଚିକିତ୍ସା ନିମନ୍ତେ ଯିବାକୁ ଅନିଚ୍ଛା ପ୍ରକାଶ କରି ପାଟିମୁଣ୍ଡ କରିଥିଲେ। ସେତେବେଳେ ସେଠାରେ ଭାଉଜ ସସ୍ମିତାଙ୍କ ସହ ଅନ୍ୟ ଦୁଇଜଣ କର୍ମଚାରୀ ଉପସ୍ଥିତ ଥିଲେ। ହଠାତ୍ ଗୌତମ ଉତ୍ତେଜିତ ହୋଇ ଅର୍ଣ୍ଣପୂର୍ଣ୍ଣାଙ୍କୁ ନିଜ ପାଖରେ ଥିବା ଡବଲ୍ ବ୍ୟାରେଲ୍ ବ୍ରିଜ୍ ଲୋଡିଂ ଗନ୍ (ଡିବିବି ଏଲ୍ ଗନ୍) ଦ୍ୱାରା ଗୁଳି ମାରିଥିଲେ। ଏହି ଘଟଣାରେ ଗୁଳିଟି ଅର୍ଣ୍ଣପୂର୍ଣ୍ଣାଙ୍କ ଡାହାଣ ପଟ ବେକ ଓ ଛାତିର ମଧ୍ୟସ୍ଥଳୀରେ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ଟଳିପଡିଥିଲେ। ଏହା ଦେଖି ପ୍ରତ୍ୟେକ୍ଷଦର୍ଶୀ ସସ୍ମିତା ଓ ଅନ୍ୟ ଦୁଇଜଣ କର୍ମଚାରୀ ଭୟରେ ଘରୁ ବାହାରକୁ ବାହାରି ଆସି ମୋବାଇଲ୍ ଯୋଗେ ପୁଲିସ୍କୁ ଖବର ଦେବାରୁ ସହରାଞ୍ଚଳ ଥାନାଧିକାରୀ ମନୋଜ ରାଉତ ଆମ୍ବୁଲାନ୍ସ ସହ ସେଠାରେ ପହଞ୍ଚିଥିଲେ। ଏବଂ ଅର୍ଣ୍ଣପୂର୍ଣ୍ଣାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିିତ୍ସାଳୟ ପଠାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ଡରେ ଶ୍ରୀ ରାଉତ ଅଭିଯୁକ୍ତ ସ୍ୱାମୀ ଗୌତମଙ୍କୁ ଗିରଫ କରି ବନ୍ଧୁକ ଜବତ ପରେ ଥାନାକୁ ଆଣି ପଚରାଉଚୁରା କରୁଥିବାର ଜଣାପଡିଛି। ତେବେ କେଉଁ କାରଣରୁ ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ଗୌତମ ଏଭଳି ଅଘଟଣ ଘଟାଇଲା, ତାହା ଏବେବି ରହସ୍ୟ ହୋଇ ରହିଥିବାବେଳେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ କିଭଳି ଗନ୍ ଲାଇସେନ୍ସ ଦିଆଯାଇ ତାଙ୍କୁ ସଂପୃକ୍ତ କଂପାନୀ ନିରାପତ୍ତା ରକ୍ଷୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲା, ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଶେଷ ଖବର ଅନୁଯାୟୀ ଟାଉନ୍ ଥାନାଧିକାରୀ ଶ୍ରୀ ରାଉତ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଗୌତମର ହାତ ଓ ସେ ଚଳାଇଥିବା ଗନ୍ଟିର ପରୀକ୍ଷା କରିବା ପରେ ତା ନାମରେ ଏକ ନରହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଅର୍ଣ୍ଣପୂର୍ଣ୍ଣାର ଶବ ଭଦ୍ରକ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top