ନିଯୁକ୍ତି ଦାବୀରେ ହିଙ୍ଗୁଳା ମହାପ୍ରବନ୍ଧକ କାର୍ଯ୍ୟାଳୟ ଅବରୋଧ

ତାଳଚେର,୧୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନିଯୁକ୍ତି ଓ ଥଇଥାନ ଦାବୀରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବନବାସପୁର ଗ୍ରାମବାସୀମାନେ ଗୁରୁବାର ସକାଳୁ ବଉଳପୁରସ୍ଥିତ ହିଙ୍ଗୁଳା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଅବରୋଧ କରିଥିଲେ । ଗ୍ରାମର ଶତାଧିକ ବ୍ୟକ୍ତି କାର୍ଯ୍ୟାଳୟ ଫାଟକ ପାଖରେ ବସି ରହିବାରୁ କୌଣସି କର୍ମଚାରୀ ଓ ଅଧିକାରୀ କାର୍ଯ୍ୟାଳୟ ଭିତରକୁ ଯାଇ ପାରିନଥିଲେ । ଫଳରେ ଅଫିସ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ପ୍ରକାଶ ଥାଉକି,ବହୁ ବର୍ଷ ହେବ ଏମ୍.ସି.ଏଲ୍ ଦ୍ୱାରା ବନବାସପୁର ଗ୍ରାମ ଅଧିଗ୍ରହଣ କରାଯାଇଛି । ଗ୍ରାମର ୪୫ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କର ମେଡିକାଲ୍ ଟେଷ୍ଟ ହୋଇସାରଥିବା ବେଳେ ନିଯୁକ୍ତି ନିମନ୍ତେ ଆବଶ୍ୟକୀୟ କାଗଜପତ୍ରକୁ ଏଫ୍.ଡି. କରିବା ନିମନ୍ତେ ସମ୍ବଲପୁରସ୍ଥିତ ଏମ୍.ସି.ଏଲ୍ ମୂଖ୍ୟାଳୟକୁ ପଠାଯାଇଛି । ମାତ୍ର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏ ସମ୍ପର୍କରେ ଅନୁଗୋଳ ଜିଲ୍ଲାପାଳ,ତାଳଚେର ଉପ-ଜିଲ୍ଲାପାଳ ଏବଂ ଖଣି କର୍ତୃପକ୍ଷଙ୍କୁ ଗ୍ରାମବାସୀମାନେ ଆପତ୍ତି ଅଭିଯୋଗ କରିଥିଲେ ହେଁ ଖଣି କର୍ତୃପକ୍ଷ ପ୍ରତିଶୃତି ଦେଇ ସମୟ ଗଡାଇ ଚାଲିଛନ୍ତି ବୋଲି କ୍ଷତିଗ୍ରସ୍ଥ ପ୍ରଜାମାନେ ଅଭିଯୋଗ କରିଛନ୍ତି । ତେଣୁ ୪୫ ଜଣ ଜମିହରା ପ୍ରଜାଙ୍କ ଏଫ୍.ଡି କରି ଯଥାଶିଘ୍ର ନିଯୁକ୍ତି ପ୍ରଦାନ ଦାବୀରେ ବନବାସପୁର ଗ୍ରାମ ସଭାପତି ତପନ ଜ୍ୟୋତିଷ ଓ ସମ୍ପାଦକ ରାଜେଶ ବେହେରାଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ପ୍ରଜାମାନେ ଅନିଦ୍ଦିଷ୍ଟ କାଳ ପାଇଁ ଆନେ୍ଦାଳନ ଆରମ୍ଭ କରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ କିମ୍ବା ଖଣି କର୍ତ୍ତୃପକ୍ଷ ପକ୍ଷରୁ ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା ହୋଇ ନଥିଲା । ଗୁରୁବାର ସନ୍ଧ୍ୟା ବେଳକୁ ମଧ୍ୟ ଆନେ୍ଦାଳନ ଜାରି ରହିଥିବାର ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *