ନିଯୁକ୍ତି ଦାବିରେ ହିଲୋଇ ଗ୍ରାମବାସୀଙ୍କ ଖଣି ବନ୍ଦ ଆନେ୍ଦାଳନ

ତାଳଚେର,୩୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନିଯୁକ୍ତି ଓ ଥଇଥାନ ଦାବୀରେ ତାଳଚେର ବ୍ଲକ ପଦ୍ମାବତୀପୁର ପଞ୍ଚାୟତ ଅନ୍ତର୍ଗତ ହିଲୋଇ ଗ୍ରାମବାସୀଙ୍କ ପକ୍ଷରୁ ଆଜି ଏମ୍.ସି.ଏଲ ଅନନ୍ତ ଓ ଭରତପୁର କୋଇଲା ଖଣିରେ ବନ୍ଦ ଆନେ୍ଦାଳନ କରାଯାଇଥିଲା । ଆନେ୍ଦାଳନକାରୀମାନେ ଶୁକ୍ରବାର ସକାଳ ୫ଟାରୁ ଅନନ୍ତ କୋଇଲା ଖଣିର ଟାଇମ୍ ଅଫିସ,ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ,ଭରତପୁର କୋଇଲା ଖଣିର ଟାଇମ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ,ସିଏଚ୍ପି,ରେଲୱେ ସାଇଡିଙ୍ଗ୍ ଓ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ଆନେ୍ଦାଳନ କରିବାରୁ ଉଭୟ ଖଣିର କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଥିଲା । ସୂଚନାରୁ ପ୍ରକାଶ,୨୦୦୯ ମସିହାରୁ ଏମ୍.ସି.ଏଲ ଦ୍ୱାରା ହିଲୋଇ ଗ୍ରାମର ସମସ୍ତ ଜମି ଓ ଘରଦ୍ୱାର ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନିଯୁକ୍ତି ଓ କ୍ଷତିପୂରଣ ମିଳିନାହିଁ । ଏସମ୍ବନ୍ଧରେ ଏମ.୍ସି.ଏଲ କର୍ତୃପକ୍ଷଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ସେମାନେ ଜାଣିଶୁଣି ବିଳମ୍ବ କରିବା ସହ ନାନା ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ନିଯୁକ୍ତି ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେମାନେ ନାନା ଅଭାବ ଅସୁବିଧାରେ ଦିନ କାଟୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୌଣସି ସୁଫଳ ମିଳୁ ନଥିବାରୁ ଗ୍ରାମ ସଭାପତି ବସନ୍ତ କୁମାର ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନଙ୍କ ନେତୃତ୍ୱରେ ହିଲୋଇ ଗ୍ରାମବାସୀଙ୍କ ପକ୍ଷରୁ ଏହି ଖଣି ବନ୍ଦ ଆନେ୍ଦାଳନ କରାଯାଇଥିଲା । ସମସ୍ୟାର ସମାଧାନ ନିମନ୍ତେ ଘଟଣାସ୍ଥଳରେ ତାଳଚେର ଉପ-ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଓ ଏମ୍ସିଏଲ୍ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ସମାଧାନୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀ ଓ ଖଣି କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଆଗାମୀ ଜୁଲାଇ ମାସ ୫ତାରିଖ ସୁଦ୍ଧା ନିଯୁକ୍ତି ଓ କ୍ଷତିପୂରଣ ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣି କର୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ଦିନ ୧୨ଟାବେଳେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରାନଗଲେ ଗ୍ରାମବାସୀମାନେ ଅନିଦ୍ଦିଷ୍ଟ କାଳ ପାଇଁ ଖଣି ବନ୍ଦ ଆନେ୍ଦାଳନ କରିବେ ବୋଲି ଏହି ଅବସରରେ ଚେତାବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *