ନିମ୍ନମାନର ବିଦ୍ୟୁତ ସେବାରୁ କେବେ ନିସ୍ତାର ପାଇବେ ସହରବାସୀ!

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରରେ ବିଦ୍ୟୁତ ସେବା ନିମ୍ନମାନର। କୋ÷ଣସି କାରଣ ନଥାଇ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ, ମରାମତି ନାଁରେ ସପ୍ତାହରେ ଗୋଟିଏ ଦିନ ତୁଛାରେ ବିଦ୍ୟୁତ କାଟ ସାଙ୍ଗକୁ ଲୋ’ ଭୋଲଟେଜ ସମସ୍ୟାରେ ଜର୍ଜରିତ ହେଉଛନ୍ତି ସହରବାସୀ। ଏଭଳି ସମସ୍ୟାରୁ ମୁକୁଳିବା ତ ଦୂରର କଥା ଦିନକୁ ଦିନ ସମସ୍ୟା ବଢି ଚାଲିଛି। ନେସ୍କୋ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ବେପରୱା ହୋଇଯାଉଥିବା ଆରୋପ କରିଛନ୍ତି ସହରବାସୀ। ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ପୌରପାଳିକାର ବିଦ୍ୟୁତ ଉପଭୋକ୍ତାଙ୍କୁ ଚାହିଦା ମୁତାବକ ବିଦ୍ୟୁତ ଯୋଗାଣ ହେଉନାହିଁ। କେନ୍ଦ୍ର ସରକାରଙ୍କ ଏକିକୃତ ବିଦ୍ୟୁତ ବିକାଶ ଯୋଜନା(ଆଇପିଡିସି) ଏଠି ବାଟବଣା ହୋଇଛି। ଏଥିଲାଗି ନେସ୍କା ଅଧିକାରୀ ଓ ଏହା ଅଧିନରେ କାର୍ଯ୍ୟ କରୁଥିବା ଠିକାଦାର ସଂସ୍ଥାମାନଙ୍କୁ ଦାୟୀ କରାଯାଉଛି। ବିଦ୍ୟୁତ ସରବରାହରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ସହରବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋ’ ଭୋଲଟେଜ ସାଙ୍ଗକୁ ଅଘୋଷିତ ବିଦ୍ୟୁତକାଟ ସହରବାସୀଙ୍କୁ ଅତିଷ୍ଠ କରୁଛି। ଉପଭୋକ୍ତାମାନଙ୍କ ଘରେ ଲାଗିଥିବା ବିଦ୍ୟୁତ ଉପକରଣ ଲାଗି ୨୨୦ ଭୋଲଟରୁ ୨୩୦ ଭୋଲଟ ବିଦ୍ୟୁତ ଯୋଗାଣ ଆବଶ୍ୟକ ଥିବା ବେଳେ ଲୋ’ ଭୋଲଟେଜ ସମସ୍ୟା ଯୋଗୁ ଅଧିକାଂଶ ଉପକରଣ କମଦିନ ମଧ୍ୟରେ ନଷ୍ଟ ହେଉଛି। ବିନା ଷ୍ଟାବିଲାଇଜରରେ ଆଲୁଅ ଜଳିବା, ଫ୍ୟାନ ବୁଲୁନାହିଁ ବୋଲି ସହରର ଚରମ୍ପା ଅଂଚଳର ଲୋକେ ଅଭିଯୋଗ କରିଛନ୍ତି। ଗତ ଦୁଇ ଦିନ ଧରି ଭଦ୍ରକ ପୌରପାଳିକାର ଚରମ୍ପା ଅଞ୍ଚଳରେ ଦିନକୁ ୧୦ ଘଣ୍ଟାରୁ ଅଧିକ ସମୟ ପାୱାର କଟ୍ ହୋଇଛି। ସେହିଭଳି ଭଦ୍ରକର ମୁଖ୍ୟ ଅଞ୍ଚଳ କଚେରୀ ବଜାର, ନୂଆବଜାର ଅଞ୍ଚଳରେ ମଧ୍ୟ ଅନୁରୂପ ବିଦ୍ୟୁତ କାଟ ଲାଗି ରହିଛି। ଭଦ୍ରକ ପୌରପାଳିକାର ଚରମ୍ପା ଅଞ୍ଚଳର ୫ଟି ୱାର୍ଡ ପାଇଁ ଆଇପିଡିଏ ଯୋଜନାରେ ମୋଟ ୨୨ଟି ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ଥିବା ବେଳେ ନେସ୍କୋ ଅଧିକାରୀ, ଟ୍ରାନ୍ସଫର୍ମର ବସାଇବା ଦାୟିତ୍ୱ ନେଇଥିବା ଠିକା କଂପାନୀର ଖାମ୍ଖିଆଲ ନୀତି ଯୋଗୁ ଏହା ସମ୍ଭବ ହୋଇନାହିଁ। ଏହାଛଡା ଯେଉଁ କେତୋଟି ଟ୍ରାନ୍ସଫର୍ମର ରହିଛି, ସେଗୁଡିକ ଉପରେ ଅତ୍ୟଧିକ ଲୋଡ ପଡୁଛି। ଚରମ୍ପା ୪ ନମ୍ବର ୱାର୍ଡ ଷ୍ଟେସନ ବଜାର ଅଞ୍ଚଳରେ ୫୯୭ ଉପଭୋକ୍ତାଙ୍କ ଚାହିଦା ଅନୁଯାୟୀ ୭୫୯ କିଲୋୱାଟ ଓ ଷ୍ଟ୍ରିଟ ଲାଇଟକୁ ମିଶାଇ ମୋଟ ୮ଶହ କିଲୋୱାଟ ବିଦ୍ୟୁତର ଆବଶ୍ୟକତା ରହିଛି। ମାତ୍ର ଗୋଟିଏ ୪୫୦ କିଲୋୱାଟ ଟ୍ରାନ୍ସଫର୍ମର ଓ ଦୁଇଟି ୮୦ କିଲୋୱାଟର ଟ୍ରାନ୍ସଫର୍ମରକୁ ମିଶାଇ ୬୧୦ କିଲୋୱାଟ ବିଦ୍ୟୁତ ଯୋଗାଣ କ୍ଷମତା ଥିବା ଟ୍ରାନ୍ସଫର୍ମର ଉପରେ ୮ଶହ କିଲୋୱାଟର ଲୋଡ ଦିଆଯାଉଛି। ଏହା କେଉଁମାନର ବିଦ୍ୟୁତ ସେବା ତାହା ବୁଝିହେଉଛି ବୋଲି କହିଛନ୍ତି ସଂଜୟ ବାରିକ। ଏଥିଯୋଗୁ ସଂପୃକ୍ତ ଅଂଚଳରେ ଲୋ’ ଭୋଲଟେଜ ସମସ୍ୟା ଲାଗି ରହୁଛି। କହିବା ବାହୁଲ୍ୟ ଯେ ବିଦ୍ୟୁତ ଉପଭୋକ୍ତାଙ୍କ ଲୋଡ ଡିମାଣ୍ଡ ଅନୁଯାୟୀ ନେସ୍କା କର୍ତ୍ତୃପକ୍ଷ କିଲୋୱାଟ ପିଛା ୨୦ ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରୁଥିବା ବେଳେ ସମାନୁପାତିକ କ୍ଷମତା ବିଶିଷ୍ଟ ଟ୍ରାନସଫରମର ବସାଇବା କଥା। ମାତ୍ର ତାହା ହେଉନାହିଁ। ସହରାଞ୍ଚଳ ବିଦ୍ୟୁତକରଣ ଯୋଜନାରେ ଆବଶ୍ୟକତା ଅନୁଯାୟୀ ଖୁଣ୍ଟ ଓ ତାରର ବ୍ୟବସ୍ଥା ରହିଛି, ଟ୍ରାନସଫର୍ମର ବସାଇବାର ସ୍ଥାନ ନିରୂଣ କରିଥାନ୍ତି ନେସ୍କୋ ଅଧିକାରୀ। ରାଜପଥ କଡରେ ଦୁର୍ଘଟଣାକୁ ଏଡାଇବା ଲାଗି ୧୬ ନଂ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ରାଜପଥ କଡରେ ଖୁଣ୍ଟ, ତାର ନଟାଣିବା ଲାଗି ନେସ୍କୋ କର୍ତ୍ତୃକ୍ଷଙ୍କୁ ବାରମ୍ବାର ଚିଠି କରିଥିଲେ ମଧ୍ୟ ଭଦ୍ରକ ନେସ୍କା କର୍ତ୍ତୃପକ୍ଷ ଏହାକୁ ଖାତିର କରୁନାହାନ୍ତି। ଫଳତଃ ଅଧିକାଂଶ ସମୟରେ ଦୁର୍ଘଟଣାର ଆଶଙ୍କା ରହିଛି। ରାଜପଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ନେସ୍କା କର୍ତ୍ତୃପକ୍ଷ ଓଲଟି ରାଜପଥ କଡରେ ଟ୍ରାନସଫରମର ବସିବାର ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଛି। ତାର ଓ ଟ୍ରାନସଫର୍ମର ବସାଉଥିବା ଠିକାଦାରଙ୍କ ମିଶି ନେସ୍କୋ କର୍ତ୍ତୃପକ୍ଷ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି ନାରାୟଣ ବିଶ୍ୱାଳ। ଏହାଦ୍ୱାରା ସହରବାସୀଙ୍କ ଧନଜୀବନ ପ୍ରତି ବିପଦ ରହିଥିବା ବେଳେ କେହି ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଲୋ’ ଭୋଲଟେଜ ସମସ୍ୟାରୁ ନିସ୍ତାର ପାଇଁ ୫ ନଂ ୱାର୍ଡର ବାସିନ୍ଦା ନେସ୍କାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବାରମ୍ବାର ସାକ୍ଷାତ କରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ ୫ ନଂ ୱାର୍ଡର ସ୍କୁଲ ରୋଡରେ ୨ଟି ଟ୍ରାନସଫରମର ବସାଇବାକୁ ଠିକାଦାରଙ୍କୁ ଚିଠି କରିବାର ୯ ମାସ ପରେ ବି ତାହା କାର୍ଯ୍ୟକାରୀ ହେଉନାହିଁ। ଏବେ ସେହି ଦୁଇଟି ଟ୍ରାନସଫର୍ମର ମଧ୍ୟରୁ ଗୋଟିଏ ୫ ନଂ ୱାର୍ଡରେ ଓ ଅନ୍ୟଟି ଗ୍ରାମାଞ୍ଚଳ ଇଲାକାରେ ବସାଇବାକୁ ଯୋଜନା କରୁଛନ୍ତି ନେସ୍କୋର ଅଧିକାରୀ। ଚରମ୍ପା ଅଂଚଳର ବିଦ୍ୟୁତ ଉପଭୋକ୍ତାଙ୍କ ପ୍ରତି ଏଭଳି ଅବହେଳା ତଥା ବୈମାତୃକ ମନୋଭାବ କ’ଣ ପାଇଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ମୋଟାମୋଟି ଭାବେ ବିଦ୍ୟୁତ ସେବାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ବେଳେ ନେସ୍କୋ କର୍ତ୍ତୃକ୍ଷ ଏହାକୁ ଯେତିକି ଗୁରୁତ୍ୱ ଦେବାକଥା ଦେଉନାହାନ୍ତି। ଅନୁରୂପ ଭାବେ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ ଏହି ସମସ୍ୟା ପ୍ରତି ଉଦାସୀନ ରହୁଥିବା କାରଣରୁ ସମସ୍ୟାର ସମାଧାନ ଅସମ୍ଭବ ହୋଇପଡୁଛି ବୋଲି ସହରବାସୀ ମତ ରଖନ୍ତି।

Leave a Reply

Your email address will not be published. Required fields are marked *