ନିମ୍ନମାନର ପୋଖରୀ ଖୋଳା, ଚାଷଜମିରେ ପାଣିକୁ ନେଇ ଭୟରେ ଚାଷୀ, ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନାହିଁ

ହରିଚନ୍ଦନପୁର, ତା୨୫ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମପଞ୍ଚାୟତ ଖଷାପଦା ଗ୍ରାମ ଦୁଦୁପାଣି ସାହିର ଖଲାରୀ ପୋଖରୀରୁ ପଙ୍କ ଉଦ୍ଧାର ନାମରେ ନିମ୍ନମାନର କାର୍ଯ୍ୟ କରାଯାଇଥିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଉକ୍ତ ପୋଖରୀଟିର କାର୍ଯ୍ୟକୁ ଜଣେ ଠିକାଦାର ହାତକୁ ନେଇ ବିନା ସୂଚନା ଫଳକରେ ନିମ୍ନମାନର କରିବା ସହ ଅଧପନ୍ତରିଆ ଅବସ୍ଥାରେ ପକାଇଥିବାର ଜଣାପଡିଛି। ପୋଖରୀଟିର କାର୍ଯ୍ୟ ଗତ ମେ ମାସରେ ମେସିନ ସାହାଯ୍ୟରେ ଆରମ୍ଭ କରାଯାଇଥିଲା। ପୁରୁଣା ବନ୍ଧ ହିଡକୁ ଭାଙ୍ଗିବା ସହ ନିକଟରେ ଥିବା କେନାଲକୁ ବନ୍ଦ କରିଦେଇଥିବାର ଅଭିଯୋଗ ହୋଇଛି। ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବାକୁ ନେଇ ବନ୍ଧ ଭାଙ୍ଗି ନିଜ ନିଜର ଚାଷ ଜମିରେ ପାଣି ମାଡି ଚାଷ ଜମି ନଷ୍ଟ ହେବାକୁ ନେଇ ଚାଷୀକୂଳ ଭୟଭୀତ ଅବସ୍ଥାରେ ଗତି କରୁଥିବାର ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟକୁ ନେଇ ଗ୍ରାମର କେତେ ଜଣ ବୁଦ୍ଧିଜୀବି ହରିଚନ୍ଦନପୁର ବିଡିଓ ବିଜୟାନନ୍ଦ ସେଠୀଙ୍କ ପାଖରେ ଗତ ଜୁନ ୪ତାରିଖରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି। ଅଭିଯୋଗ ପାଇବା ପରେ ବିଡିଓ ଦୁଇ ଦିନ ମଧ୍ୟରେ ଘଟଣାସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ଦେଇଥିବାର ଗ୍ରାମବାସୀ ଜଣାଇଛନ୍ତି କିନ୍ତୁ, ଆଜି ପର୍ଯ୍ୟନ୍ତ ବିଡିଓ କିମ୍ବା କୈାଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନଥିବାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଯଥାଶିଘ୍ର ବିଡିଓଙ୍କ ସହ ଆଲୋଚନା କରି କେନାଲ କାର୍ଯ୍ୟକୁ କରିବାର ପ୍ରତିଶୃତି ଦେଇଥିଲେ। କେନାଲ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାନଗଲେ ପୋଖରୀ ନିକଟରେ ଥିବା ଚାଷ ଜମିର ଚାଷୀମାନେ ଚାଷ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଯଥାଶୀଘ୍ର କେନାଲ କାର୍ଯ୍ୟ କରିବାକୁ ଜନସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *