ନିମନ୍ତ୍ରଣ ପତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରି ରାଜ୍ୟ ସରକାର ହୀନମାନ୍ୟତାର ଶିକାର ହୋଇଛନ୍ତି: ବିଜେପି

ବଲାଙ୍ଗୀରଠାରେ ଭିମ ଭୋଇ ମେଡିକାଲ କଲେଜର ଶୁଭ ଉଦ୍ ଘାଟନ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାମ ଉଲ୍ଲେଖ ନଥିବା ପ୍ରସଙ୍ଗରେ
ସାମୁହିକ ସମୃଦ୍ଧିର ସ୍ଲୋଗାନ ବହନ କରୁଥିବା କାର୍ଯ୍ୟକ୍ରମରେ ଦଳୀୟ ହୀନମାନ୍ୟତା ଅତ୍ୟନ୍ତ ନିନ୍ଦନୀୟ : ବିଜେପି
– ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ସରକାର ରାଜ୍ୟକୁ ଆସୁଥିବା ଅତିଥିମାନଙ୍କୁ ଅସୈାଜନ୍ୟ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛାଉନାହାନ୍ତି
– ନିମନ୍ତ୍ରଣ ପତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରି ରାଜ୍ୟ ସରକାର ହୀନମାନ୍ୟତାର ଶିକାର ହୋଇଛନ୍ତି
– ଏଭଳି ଅସୈାଜନ୍ୟ ବ୍ୟବହାର ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ସମଗ୍ର ଓଡିଶାବାସୀଙ୍କୁ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ

ଭୁବନେଶ୍ୱର, ତା.୩୦/୦୮ (ଓଡ଼ିଆ ପୁଅ): ରାଜ୍ୟର ବୈଶିଷ୍ଟତା ଓ ପରିଚୟ ହେଲା ‘ଅତିଥି ଦେବୋ ଭବଃ’। ରାଜ୍ୟକୁ ଆସୁଥିବା ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ଜଗନ୍ନାଥ ସଂସ୍କୃତିର ପରଂପରା। ମାତ୍ର କ୍ଷମତା ଲୋଭରେ ବୁଡି ରହିଥିବା ବର୍ତମାନର ରାଜ୍ୟ ସରକାର ଏହି ପରଂପରାକୁ ଦଳି ଦେଇ ରାଜ୍ୟକୁ ଆସୁଥିବା ଅତିଥିମାନଙ୍କୁ ଅସୈାଜନ୍ୟ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛାଉନାହାନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟ ସରକାରଙ୍କ ଏଭଳି ମନୋଭାବକୁ ଆମେ ଦୃଢ ନିନ୍ଦା କରୁଛୁ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ପ୍ରଚେଷ୍ଟା ବଳରେ ସାରା ଓଡିଶାରେ ୫ଟି ମେଡିକାଲ କଲେଜ ନୂତନ ଭାବେ ପ୍ରତିଷ୍ଠା ହୋଇଛି। ଏହି କ୍ରମରେ ବଲାଙ୍ଗୀରଠାରେ ଭୀମଭୋଇ ମେଡିକାଲ କଲେଜ ପତିଷ୍ଠା ହେବା ଫଳରେ ବହୁ ଦିନ ଧରି ବଲାଙ୍ଗୀର ଜିଲ୍ଲାବାସୀଙ୍କ ସ୍ୱପ୍ନ ଆଜି ସାକାର ହୋଇଛି। କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଅନୁଦାନରେ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମେଡିକାଲ କଲେଜର ଶୁଭ ଉଦ୍ ଘାଟନ ଉତ୍ସବରେ ଯୋଗ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି.ନଡ୍ଡା ବଲାଙ୍ଗୀର ଆସୁଛନ୍ତି। ଏହି ଉଦ୍ ଘାଟନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ରାଜ୍ୟ ସରକାରଙ୍କ ତରଫରୁ ଛପାଯାଇ ବଂଟା ଯାଉଥିବା ନିମନ୍ତ୍ରଣ ପତ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ନାମ ଉଲ୍ଲେଖ ହୋଇନାହିଁ। ଏହା ନିଶ୍ଚିତ ଭାବେ ଲଜ୍ଜାଜନକ ଏବଂ ରାଜ୍ୟ ସରକାରଙ୍କ ହୀନ ମାନସିକତାର ପରିଚୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେହିପରି ପର୍ଯ୍ୟାପ୍ତ ସ୍ଥାନ ଥିବା ସତ୍ୱେ ନବନିର୍ମିତ ମେଡିକାଲ କଲେଜ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ହ୍ୟାଲିକେପ୍ଟର ଅବତରଣ ପାଇଁ ହ୍ୟାଲିପେଡର ବ୍ୟବସ୍ଥା ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ହ୍ୟାଲିକେପ୍ଟର ଅବତରଣ ପାଇଁ ଅନ୍ୟତ୍ର କରାଯାଇଛି। ଏହା ମଧ୍ୟ ସାଧାରଣରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏଭଳି ସାମୁହିକ ସମୃଦ୍ଧିର ସ୍ଲୋଗାନ ବହନ କରୁଥିବା କାର୍ଯ୍ୟକ୍ରମରେ ଦଳୀୟ ହୀନମାନ୍ୟତା ଅତ୍ୟନ୍ତ ନିନ୍ଦନୀୟ। ପୂର୍ବରୁ ସଂଘୀୟ ବ୍ୟବସ୍ଥାକୁ ଅସମ୍ମାନ କରିଆସୁଥିବା ରାଜ୍ୟ ସରକାର ବର୍ତମାନ ରାଜ୍ୟ ପରଂପରାକୁ ଦଳି ପକାଇ ରାଜ୍ୟ ଅତିଥିମାନଙ୍କୁ ଅସୈାଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଲଜ୍ଜାଜନଜକ ବୋଲି କହିବା ସହ ଏଭଳି ହୀନ କାର୍ଯ୍ୟକୁ ଶ୍ରୀ ମହାନ୍ତି ଦୃଢ ନିନ୍ଦା କରିଛନ୍ତି।

ରାଜ୍ୟ ସରକାରଙ୍କ ଏଭଳି ଅସୈାଜନ୍ୟ ବ୍ୟବହାର ପ୍ରଦର୍ଶନ ପାଇଁ ସମଗ୍ର ଓଡିଶାବାସୀଙ୍କୁ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ସହ ଯଥାଶୀଘ୍ର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ମହାନ୍ତି ଦାବି ଜଣାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଓ ପୀତାମ୍ବର ଆଚାର୍ଯ୍ୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *