ଓଡ଼ିଶା

ନିଜ ପୁଅର ଶବକୁ ବାପା ନିଜ ହାତରେ ନେବା ଘଟଣା: ପୁଣି ଥରେ ଦାନ ମାଝୀ ପ୍ରସଙ୍ଗକୁ ମନେ ପକାଇ ଦେଇଛି : ବିଜେପି

– ବାରିପଦାଠାରେ ନିଜ ପୁଅର ଶବକୁ ବାପା ନିଜ ହାତରେ ନେବା ଘଟଣା ପ୍ରସଙ୍ଗରେ:
– ଜାତୀୟ ଆଦିବାସୀ ଜାତି ଓ ଜନଜାତି କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧୀଦଳ ବାରିପଦା ଘଟଣା ପୁଣି ଥରେ ଦାନ ମାଝୀ ପ୍ରସଙ୍ଗକୁ ମନେ ପକାଇ ଦେଇଛି : ବିଜେପି
– ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅମାନବୀୟ
– ମୁଖ୍ୟମନ୍ତ୍ରୀ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେବା କାରଣରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତି ହେଉଛି
– ଏଭଳି ଘଟଣା “ଆଦିବାସୀ ଜାତି ଓ ଜନଜାତି ପ୍ରିଭେନସନ ଅଫ ଆଟ୍ରୋସିଟିଜ ଆକ୍ଟ ୧୯୮୯” ଅନୁଯାୟୀ ସଂପୂର୍ଣ୍ଣ ଅକ୍ଷମଣୀୟ ଅପରାଧ

ଭୁବନେଶ୍ୱର, ତା.୧୪/୦୩ (ଓଡ଼ିଆ ପୁଅ) : ଦାନମାଝୀ ପରି ପୁଣି ଏକ ଲଜ୍ଜାକର ଘଟଣା ଲୋକଲୋଚନକୁ ଆସିବା ପରେ ଶାସକ ବିଜେଡିର ମୁଖା ଖୋଲିଯାଇଛି। କେବଳ ଯୋଜନା ଘୋଷଣା କରି ନିଜର ଆତ୍ମପ୍ରଚାରରେ ବ୍ୟସ୍ତଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ସାଧାରଣଲୋକଙ୍କ ଅଧିକାରକୁ ଗୁରୁତ୍ୱ ଦିଅନ୍ତି ନାହିଁ। ବିଭିନ୍ନ ଯୋଜନା ସାଧାରଣଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାସତ୍ୱେ ଶାସକ ବିଜେଡିର ଦଳାଲ ମାନେ ଯୋଜନାରେ ଅର୍ନ୍ତଭୃକ୍ତ କରିବା ପାଇଁ ନିରୀହ ଜନତାଙ୍କ ଠାରୁ ଅର୍ଥ ନେବାକୁ ପଛାନ୍ତିନାହିଁ। ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଶାସନ ବୋଲି ବିଜେପି ପ୍ରଶ୍ନ ଉଠାଇଛି।

କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳରେ ବିନା ଅର୍ଥରେ ଶବକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ “ମହା ପ୍ରୟାଣ” ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଏହି ଯୋଜନା ଏଯାବତ୍ ସବୁ ସ୍ଥାନରେ ପହଂଚି ପାରିନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଦାନ ମାଝୀ ନିଜ ସ୍ତ୍ରୀକୁ କାନ୍ଧରେ ବୋହିବା ଘଟଣା ଆଉ ଏବେ ବାରିପଦାରେ ବାଜୁନ ସୋରେନ ନିଜ ପୁଅର ମୃତ ଦେହକୁ ହାତରେ ନେଇ ଚାଲିବା। ଏହି ଘଟଣା ଦ୍ୱାରା ପୁଣିଥରେ ଓଡିଶା ଲଜ୍ଜିତ ହୋଇଛି ବୋଲି ବିଜେପି କହିଛି।

ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ବାଜୁନ ସୋରେନ ନାମକ ଜଣେ ଆଦିବାସୀ ନିଜ ମୃତ ପୁଅର ଶବକୁ ହାତରେ ବୋହି ନେବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ପୁଅର ଶବ ଘରକୁ ନେବା ପାଇଁ ବାପା ଜଣକ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ ଓ ଗୁହାରୀ ସତ୍ୱେ କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିଲେ। ଯଦିଓ ବ୍ୟକ୍ତି ଜଣକ ବିପିଏଲ ଶ୍ରେଣୀଭୁକ୍ତ ଏବଂ ସରକାରୀ ଯୋଜନାନୁଯାୟୀ ରାଜ୍ୟ ସରକାରଙ୍କ ମହାପ୍ରୟାଣ ଯୋଜନାରେ ଆମ୍ବୁଲାନ୍ସ ସେବା ପାଇବା ପାଇଁ ହକ୍ଦାର। ତଥାପି ସୋରେନ ନିଜ ଅଧିକାରରୁ ବଂଚିତ ହୋଇଥିଲେ। ମୃତକର ବାପା ଏହି ସେବା ପାଇଁ ଗୁହାରୀ କରିବାରୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ୪୦୦ ଟଙ୍କା ଲାଂଚ ମାଗିଥିଲେ। ଏଭଳି ଦୁର୍ଭାଗ୍ୟଜନକ ଘଟଣା ପୁଣି ଥରେ ବହୁଚର୍ଚ୍ଚିତ ଦାନ ମାଝୀ ଘଟଣାକୁ ମନେ ପକାଇ ଦେଇଛି ବୋଲି ବିଜେପି ଅଭିଯୋଗ କରିଛି।

ଏଭଳି ଘଟଣା “ଆଦିବାସୀ ଜାତି ଓ ଜନଜାତି ପ୍ରିଭେନସନ ଅଫ ଆଟ୍ରୋସିଟିଜ ଆକ୍ଟ ୧୯୮୯” ଅନୁଯାୟୀ ସଂପୂର୍ଣ୍ଣ ଅକ୍ଷମଣୀୟ ଅପରାଧ। ଆମ୍ବୁଲାନ୍ସ ଚାଳକ ଜଣକ ସରକାରୀ କର୍ମଚାରୀ ହୋଇ ଲାଂଚ ମାଗିବା କାରଣରୁ ଆଇପିସିର ଧାରା ୧୧୬ ଏବଂ ଆଦିବାସୀ ଜାତି ଓ ଜନଜାତି ଆଇନର ଉପ ଧାରା-୨ ଅନୁଯାୟୀ ଦଣ୍ଡ ପ୍ରଦାନ କରାଯିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଛି।

ବର୍ତମାନ ସୁଦ୍ଧା ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦ୍ୱାରା ଭବିଷ୍ୟତରେ ଏଭଳି ଅମାନବୀୟ ଘଟଣାର ପୁନରାବୃତିକୁ ପ୍ରୋତ୍ସାହିତ କରିବ। ତେଣୁ ଏଭଳି ଏକ ଅମାନବୀୟ ଘଟଣାରେ ଏସଟି କମିଶନ ତୁରନ୍ତ ହସ୍ତକ୍ଷେପ କରି ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି ଜଣାଇଛି।

ଆଜି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଓ ରାଜ୍ୟ ସଂପାଦକ ଶିଶିର ଗମାଙ୍ଗୋଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଜାତୀୟ ଆଦିବାସୀ ଜାତି ଓ ଜନଜାତି କମିଶନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ଯାଇ ଉପ ନିର୍ଦ୍ଦେଶକଙ୍କୁ ଭେଟି ଏ ସଂକ୍ରାନ୍ତରେ ସ୍ମାରକ ପତ୍ର ଦେଇ ଦାବି ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top