ନିଜର କେହି ନଥିବା ଏଡ଼୍ସ ରୋଗାକ୍ରାନ୍ତ ବୃଦ୍ଧା ଓ ୧୦ବର୍ଷର ଝିଅ ଡ଼ାକ୍ତରଖାନାରେ ସାହାଯ୍ୟ କରିବ କିଏ?

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନିଜର ବୋଲି କେହି ନାହାନ୍ତି। ଏଡ଼୍ସ ରୋଗାକ୍ରାନ୍ତ ୬୦ ବର୍ଷର ବୃଦ୍ଧା ପାଖରେ ଏକମାତ୍ର ୧୦ବର୍ଷର ଝିଅ। ଚେନାଇରେ କାମକରି ଦେହଖରାପ ହେବାରୁ ଘରକୁ ଆସି ଶେଷରେ ଏବେ ଭଦ୍ରକ ମେଡ଼ିକାଲ ମହିଳା କକ୍ଷ ୨୨୪ନଂ ଶଯ୍ୟାରେ ୭ଦିନ ହେବ ଚିକିତ୍ସାଧିନ ଅଛନ୍ତି। ପାଖରେ କିଛିନାହିଁ। ନିଜର ବି କେହି ଲୋକ ନାହାନ୍ତି। ନିହାତି ରକ୍ତର ଆବଶ୍ୟକତା ରହିଛି। ୧୦ ବର୍ଷର ଝିଅଟି ପାଖରେ ଅଛି। ପାଖ ଦୋକାନୀ, ଜଣେ ଡ଼ାକ୍ତର ଆଉ ମେଡ଼ିକାଲରେ ବୁଲୁଥିବା କିଛି ଲୋକ ଯାହା ଖାଇବାକୁ ଦେଉଛନ୍ତି ସେଇଥିରେ ଚାଲିଛି ତାଙ୍କର ଜୀବନ। ଏଭଳି ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଯାହା ମେଡ଼ିକାଲରୁ ମିଳୁଛି ସେହି ଔଷଧ ସବୁକିଛି। ତାଙ୍କ ନାମ ଝୁନା ନାୟକ (୬୦) ବାପଘର ଚାନ୍ଦବାଲି ମତୋ ଦିଗଛିଆ ଗାଁରେ। ସ୍ୱାମୀ ଲକ୍ଷ୍ମିଧର ନାୟକ ଅନ୍ୟତ୍ର ବିବାହ କରି ତାଙ୍କୁ ଛାଡ଼ିଦେଇଛନ୍ତି। ଶଶ୍ୱର ଘର ବନ୍ତ ବ୍ଲକ ଦୋଳପଦୀ ଗ୍ରାମ। କିନ୍ତୁ ତାଙ୍କର ବାପଘର କିମ୍ବା ଶଶ୍ୱରଘର କିମ୍ବା ନିଜର କେହି ନାହାନ୍ତି। ଏହି ୬୦ ବର୍ଷର ଝୁନା ଦୀର୍ଘ ୧୦ବର୍ଷ ହେବ ଝିଅକୁ ନେଇ ଚେନାଇର ସୂତା ମିଲ୍ରେ କାମ କରି ଚଳୁଛନ୍ତି। ନିଜ ବାପଘର ବୋଲି ଜମିବାଡ଼ି କି ଘର ବି କିଛି ନାହିଁ। କେବଳ ବାପଘର ଗାଁ ବୋଲି ଗାଁକୁ ଆସିଲେ ସେଠାରେ ଏକ ମାଟିଘର କହିବୁଲି ଅଳ୍ପ ପଇସାରେ ନେଇ ରହିଥାନ୍ତି। ପୁଣି ଚେନାଇ ପଳାନ୍ତି। ଏହି ଅବସ୍ଥାରେ ତାଙ୍କୁ ମାଡ଼ି ବସିଲା ଏଡ଼୍ସ ରୋଗ, ଯାହା ଚିକିତ୍ସାରେ ବଞ୍ଚିଛନ୍ତି, କିନ୍ତୁ ତାଙ୍କର ସାହସ ବଳରେ ସେ ଝିଅକୁ ନିଜେ ଖଟି ପାଖରେ ରଖି ଚଳୁଛନ୍ତି। କିନ୍ତୁ ଦେହଖରାପ ହେବାରୁ ଭଦ୍ରକ ମେଡ଼ିକାଲରେ ଆସି ପଡ଼ିଛନ୍ତି। ଛୁଆଟି ପାଖରେ ରହି ମାଗିଯାଚି ଯାହା ଆଣୁଛି ସେଇଥିରେ ଖାଉଛନ୍ତି। ଏହି ପରିସ୍ଥିତିରେ ମେଡ଼ିକାଲ ପାଖରେ ଥିବା ପଦ୍ମା ଡ଼ିଜିଟାଲ ଏକ୍ସେର ମାଲିକ ପ୍ରକାଶ ସାମଲ ତାଙ୍କୁ ଭାତ, ତରକାରୀ, ମଗ, କିଛି ପଇସା ମଧ୍ୟ ଦେଇ ଚଳାଇଛନ୍ତି। ଗାଁର ଏକ ଶୁଖୁଆ ବେପାରୀ ତାଙ୍କୁ ଦେଖି ମଧ୍ୟ କିଛି ଖାଇବାକୁ ଆଜି ଦେଇଛନ୍ତି। ତାଙ୍କର ରକ୍ତ ଦରକାର ଥିବା ବେଳେ ଦିଆଯିବ ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କୁ ବେଡ଼ ଛାଡ଼ି ଡ଼ିସ୍ଚାର୍ଜ କରିବାକୁ ବାରମ୍ବାର କୁହାଯାଉଥିବା ଆଜି କହିଛନ୍ତି। ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ସେ ରହିବା ପାଇଁ ଡ଼ାକ୍ତରଙ୍କୁ କୁହାଯାଇଛି। ଏହି ପରିପ୍ରେକ୍ଷିରେ ଭଦ୍ରକର ସେବାଦଳ ୟୁଡ଼ିଗ୍ରୁପ୍, ବିଏସଏସ ଟିମ୍, ସ୍ମାଇଲ୍ ଗ୍ରୁପ୍, ସାମାଜିକ ସୁରକ୍ଷାମହିଳା ସେଲ୍ର ରାଜଲକ୍ଷ୍ମୀ ମହାପାତ୍ର ଏବଂ ଭଦ୍ରକରେ ଥିବା ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ତାଙ୍କୁ ସାହାଯ୍ୟ କରି ବଞ୍ଚାଇବା ଏବଂ ଛୁଆଝିଅଟିକୁ ଆଶ୍ରା ଦେବା ପାଇଁ ଝୁନା ଆଜି ଗଣମାଧ୍ୟମ ସହାୟତାରେ ବିନମ୍ର ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *