ନିଗମାନନ୍ଦ ସରସ୍ୱତୀଙ୍କ ୬୭ତମ ପ୍ରାଦେଶିକ ସମ୍ମିଳନୀ ପାଇଁ ପ୍ରସ୍ତୃତି ବୈଠକ

ଯାଜପୁର-୧୭/୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ରୋଡ ସ୍ଥିତ, ବ୍ୟାସନଗର ଠାରେ ନିଳାଚଳ ସାରସ୍ୱତ ସଂଘ, ପୁରୀ ଆନୁକୂଲ୍ୟରେ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଉତ୍କଳ ପ୍ରାଦେଶିକ ୬୭ତମ ଭକ୍ତ ସମ୍ମିଳନୀ ଚଳିତ ମାସ ୨୯ ତାରିଖଠାରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀକୁ ଶାନ୍ତି, ଶୃଙ୍ଖଳାର ସହ ଆୟୋଜନ ପାଇଁ ଏକ ପ୍ରସ୍ତୃତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ପ୍ରାଦେଶିକ ସମ୍ମିଳନୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଯୋଗଦାନର ସମ୍ଭାବନା ଥିବାରୁ ଏହାକୁ ସଠିକ୍ ଭାବରେ ପରିଚାଳନା କରିବାକୁ ଗୁରୁତ୍ୱ ଦେଇଥିଲେ। ବାହାରୁ ଆସୁଥିବା ଏହି ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ପାନୀୟ ଜଳ ଯୋଗାଣ, ଆଇନ୍ ଶୃଙ୍ଖଳା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ସ୍ଥଳ ବ୍ୟବସ୍ଥା, ଶୌଚାଳୟ ଓ ସ୍ୱଚ୍ଛତା ଇତ୍ୟାଦି ପ୍ରତି ବିଶେଷ ଭାବରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ସେ ସଂପୃକ୍ତ ବିଭାଗମାନଙ୍କୁ ପରାମର୍ଶ ଦେବା ସହ ସମ୍ମିଳନୀ କର୍ମକର୍ତା ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏସ୍.ପି. ଚରଣ ସିଂ ମୀନା ଭକ୍ତ ଓ ଶ୍ରଦ୍ଧାଳୁଙ୍କର ରହଣୀ ସ୍ଥଳ, ସମ୍ମିଳନୀ ସ୍ଥଳ, ଆଲୋଚନା ମଣ୍ଡପ ଇତ୍ୟାଦିକୁ ଉପଯୁକ୍ତ ଭାବେ ପ୍ରସ୍ତୃତି, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ କୌଣସି ଘଟଣା ସମୟରେ ଗାଡି ଗୁଡିକ ଯେପରି ସୁରୁଖୁରୁରେ ସମ୍ମିଳନୀ ସ୍ଥଳରେ ଯାତାୟତ କରିପାରିବ ସେଥିପ୍ରତି ପର୍ଯ୍ୟାପ୍ତ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ସମ୍ମିଳନୀର ଉପସଭାପତି ଶରତ ଚନ୍ଦ୍ର ସିଂ ଦେଓ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବଂଧୁ ଭୋଳ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲିମ ଖାଁ, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ରୋଡ ଏସ୍.ଡି.ପିଓ କେଦାନନାଥ ସାହୁ, ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ କ୍ଷେତ୍ରମୋହନ ସାହୁ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ କୁମାର ମିଶ୍ର, ସମ୍ମିଳନୀ ଆୟୋଜନ ସଦସ୍ୟ ଚିନ୍ମୟ ସୂରୁପ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *