ଓଡ଼ିଶା

ନାହାନ୍ତି ଶିକ୍ଷକ : ହିନ୍ଦୀରେ ଆଗ୍ରହ ଥିବା ପିଲା ପଢୁଛି ସଂସ୍କୃତ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଛାତ୍ରଛାତ୍ରୀଙ୍କ ହିନ୍ଦୀ ଶିକ୍ଷା ପ୍ରତି ଶିକ୍ଷା ବିଭାଗର ଦରଦ ନାହିଁ। ବର୍ଷ ବର୍ଷ ଧରି ବିଦ୍ୟାଳୟଗୁଡିକରେ ହିନ୍ଦୀ ଶିକ୍ଷକ ପଦ ଖାଲି ପଡିଛି। କେଉଁ ବିଦ୍ୟାଳୟରେ ୫ ବର୍ଷ ତ ଆଉ କେଉଁଠି ୮ ବର୍ଷ ହେଲା ହିନ୍ଦୀ ଶିକ୍ଷକ ପଦ ପୂରଣ ହୋଇପାରୁନି। ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ହିନ୍ଦୀପାଠ ପଢିବାକୁ ଚାହୁଁଥିଲେ ବି ଶିକ୍ଷକ ଅଭାବରୁ ସଂସ୍କୃତ ବିଷୟ ରଖିବାକୁ ବାଧ୍ୟ ହେଉଛନ୍ତି। ଚାନ୍ଦିମାଳ କେକେଜିପି ହାଇସ୍କୁଲରେ ୨୦୧୧ ମସିହାରୁ ହିନ୍ଦୀ ଶିକ୍ଷକ ପଦ ଖାଲି ପଡିଛି। ହିନ୍ଦୀ ଶିକ୍ଷକଙ୍କ ଅବସର ପରେ ଆଜି ଯାଏ ଶିକ୍ଷକ ପଦ ପୂରଣ ହୋଇପାରିନି। ଏବେ ନବମରେ ୨୪୬ ଓ ଦଶମ ଶ୍ରେଣୀରେ ୨୫୭ ଜଣ ପିଲା ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ପିଲା ହିନ୍ଦୀ ବିଷୟ ରଖିବାକୁ ଚାହିଁଥିଲେ ବି ଶିକ୍ଷକ ନଥିବାରୁ ହିନ୍ଦୀ ବଦଳରେ ସଂସ୍କୃତ ପଢିବାକୁ ବାଧ୍ୟ ହେଉଛନ୍ତି। ଭେଡା ସହଯୋଗ ବାଲିମେଦ ହାଇସ୍କୁଲର ଛାତ୍ରଛାତ୍ରୀ ସମଦଶା ଭୋଗୁଛନ୍ତି। ଏବେ ସେଠାରେ ନବମ ଶ୍ରେଣୀର ୧୬୬ ଓ ଦଶମର ୧୯୮ ଛାତ୍ରଛାତ୍ରୀ ପଢୁଛନ୍ତି। ୨୦୧୪ରୁ ହିନ୍ଦୀ ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟରେ ହିନ୍ଦୀ ପଢା ବନ୍ଦ ରହିଛି। ପ୍ରତିବର୍ଷ ନାମଲେଖା ପରେ ହିନ୍ଦୀ ପଢିବାକୁ ଚାହୁଁଥିବା ପିଲା ଶିକ୍ଷକ ନଥିବାରୁ ସଂସ୍କୃତ ପଢୁଛି। ମାଟିପକା ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ପଦ ଖାଲି ଡିଛି। ସେହିପରି ବରଣ୍ଡୁଆ ଉଚ୍ଚ ବିଦ୍ୟାଳୟ, ବାଲିମୁଣ୍ଡା, ବିଦେଇପୁର ଆଦି ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ପଦ ଖାଲି ପଡିଛି। ହିନ୍ଦୀ ଶିକ୍ଷକ ନଥିବା କଥାକୁ ବିଦ୍ୟାଳୟର ଶିକ୍ଷକମାନେ ବାରମ୍ବାର ଜିଲା ଶିକ୍ଷା ବିଭାଗକୁ ଅବଗତ କରି ଆସୁଥିବା କହୁଛନ୍ତି। ହେଲେ ଆଜିଯାଏ ଶିକ୍ଷକ ପଦ ପୂରଣ ହୋଇପାରୁନି। ତେବେ ଶିକ୍ଷକ ଅଭାବ ନା ଶିକ୍ଷା ବିଭାଗର ଆନ୍ତରିକତାରେ ଅଭାବ ପାଇଁ ହିନ୍ଦୀ ଶିକ୍ଷକ ପଦ ପୂରଣ ହୋଇପାରୁନି, ସେନେଇ ଅବିଭାବକମାନେ ପ୍ରଶ୍ନ କରୁଛନ୍ତି। ଅପରପକ୍ଷରେ ଶିକ୍ଷକ ପୋଷ୍ଟିଂ ହେଲେ ତୁରନ୍ତ ଯେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ପଠାଇବାର ବ୍ୟବସ୍ଥା କରିବୁ ବୋଲି ଜିଲା ଶିକ୍ଷାଧିକାରୀ କହିଛନ୍ତି। ତେବେ ଯେଉଁ ସ୍କୁଲ ଚାହୁଁଛି, ସପ୍ତାହରେ ଦୁଇ ତିନି ଦିନ ପଠାଇବାର ବ୍ୟବସ୍ଥା କରୁଛି ବୋଲି ମଧ୍ୟ ସେ କହିଛନ୍ତି। ତେବେ ରାଷ୍ଟ୍ର ଭାଷା ପଢିବାକୁ ବିଦ୍ୟାଳୟରେ କେବେ ହିନ୍ଦୀ ଶିକ୍ଷକ ପଦ ପୂରଣ ହେଉଛି, ତାହା ସମୟ କହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top