ନାବାଳିକା ବଳାତ୍କାର ମାମଲା-ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ, ୧୭/୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରିି ଫୁଲବାଣୀ ଅତିରିକ୍ତ ଦୌରାଜଜ ତଥା ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସୁଶାନ୍ତ କୁମାର ପଟେଲ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଦୋଷୀକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି। ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ଥାନା ଅଂଚଳର ଦିବାକର ନାୟକ ଓରଫ ବୁଢ଼ା। ଘଟଣାର ବିବରଣୀରୁ ପ୍ରକାଶ, ବାଲିଗୁଡା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ମା’ ବାପାଙ୍କ ସହ ବାଲିଗୁଡାରେ ରହୁଥିଲେ। ତେବେ ମା’ ବାପା ଗ୍ରାମକୁ ଚାଲି ଯିବାରୁ ସେ ତାଙ୍କ ୨ ସମ୍ପର୍କୀୟ ଭଉଣୀଙ୍କ ସହ ଏକ ଭଡା ଘରେ ରହୁଥିଲେ। ୨୦୧୪ ମସିହା ସେପ୍ଟେମ୍ବର ୨୦ ତାରିଖ ରାତି ପ୍ରାୟ ୧୦ଟାରେ ସେମାନେ ଘର ବାରଣ୍ଡାରେ କଥା ହେଉଥିବା ବେଳେ ଦିବାକର ସେଠାରେ ପହଂଚି କେହି କିଛି ବୁଝିବା ପୂର୍ବରୁ ନାବାଳିକାଙ୍କୁ ମାଡି ବସି ତାଙ୍କ ପାଟିକୁ ଜାବୁଡି ଧରିଥିଲେ। ସେଠାରେ ଥିବା ଦୁଇ ସମ୍ପର୍କୀୟ ଭଉଣୀଙ୍କୁ ଭୟଭିତ କରେଇବାରୁ ସେମାନେ ଘର ଭିତରକୁ ଚାଲି ଯାଇଥିଲେ। ଏହାପରେ ଦିବାକର ନାବାଳିକାଙ୍କ ଇଚ୍ଛା ବିରୋଧରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଘଟଣା ବିଷୟରେ କାହାରିକୁ କହିଲେ ଜୀବନରେ ମାରି ଦେବାକୁ ସେ ନାବାଳିକାକୁ ଧମକ ଦେଇଥିଲେ। ଏହି ଘଟଣାକୁ କବାଟ ଫାଙ୍କରେ ସମ୍ପର୍କୀୟ ଭଉଣୀମାନେ ଦେଖିଥିଲେ। ନାବାଳିକା ଜଣକ ଘଟଣା ବିଷୟରେ ୨୩ ତାରିଖରେ ଥାନାରେ ଏତଲା ଦେବାରୁ ପୁଲିସ ୧୨୬/୧୪ରେ ଏକ ମାମଲା ରୁଜୁ କରି ଦିବାକରଙ୍କୁ ଗିରଫ କରିଥିଲା। ବିଚାର ବେଳେ ୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସ୍ୱତନ୍ତ୍ର ସରକାରୀ ଓକିଲ ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *