ନାବାଳିକାଙ୍କୁ ଗଣ ବଳାତ୍କାର ଘଟଣା: ୩ ବର୍ଷ ବାଳ ସୁଧାର ଗୃହରେ ରହିବେ ନାବାଳକ

ଫୁଲବାଣୀ, ୧୭/୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଗତ ୨୦୧୪ ମସିହାରେ ସଂଘଟିତ ଏକ ନାବାଳିକା ଗଣ ବଳାତ୍କାର ମାମଲାର ବିଚାର କରି, ଶୁକ୍ରବାର ଫୁଲବାଣୀ ବାଳ ନ୍ୟାୟିକ ସମିତି(ଜୁଭେନାଇଲ ଜଷ୍ଟିସ ବୋର୍ଡ)ର ପ୍ରମୁଖ ବିଚାରପତି ଅଭିଜିତ୍ ପଲେଇ ସମ୍ପୃକ୍ତ ନାବାଳକଙ୍କୁ ୩ ବର୍ଷ ବାଳ ସୁଧାର ଗୃହରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ନାବାଳକ ଜଣକ ଜାମିନରେ ଯାଇଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ, ୨୦୧୪ ମସିହା ଜୁଲାଇ ୨୨ତାରିଖ ସନ୍ଧ୍ୟାରେ ସମ୍ପୃକ୍ତ ନାବାଳିକା ଗ୍ରାମରେ ଥିବା ତାଙ୍କ ବଡବାପାଙ୍କ ଘରୁ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋ ଗାଡିରେ ୬ ଜଣ ଆସି ନାବାଳିକା ଜଣଙ୍କୁ ଉଠାଇ ନେଇ ସାରଂଗଡ ନିକଟ ଜଂଗଲରେ ଗଣ ବଳାତ୍କାର କରିବା ପରେ ସେଠାରେ ଛାଡି ପଳାଇଥିଲେ। ନାବାଳିକା ଜଣକ ରାତି ସାରା ଚାଲି ଚାଲି ସକାଳେ ସାରଂଗଡଠାରେ ପହଂଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଘରକୁ ଅଣାଯାଇଥିଲା। ୨୩ ତାରିଖରେ ନାବାଳିକା ଫିରିଂଗିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ୬୬/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଥିବା ବେଳେ ସମ୍ପୃକ୍ତ ନାବାଳକଙ୍କୁ ମଧ୍ୟ ଧରି କୋର୍ଟରେ ହାଜର କରିଥିଲା। ୧୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ପ୍ରତାପ ପାତ୍ର ମାମଲା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗୋପିନାଥ ନାୟକଙ୍କୁ ପୂର୍ବରୁ ଜିଲା ଜଜ୍ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *