ନଳାଙ୍ଗ ଜିଲା ଜଜ୍ କୋର୍ଟ କାର୍ଯ୍ୟକ୍ଷମ ହେବ

ଭଦ୍ରକ,୪/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଖୁବଶୀଘ୍ର ଭଦ୍ରକ ସହର ଉପକଣ୍ଠ ନଳାଙ୍ଗ ଠାରେ ନିର୍ମାଣାଧୀନ ଜିଲା ଜଜ୍ କୋର୍ଟ କାର୍ଯ୍ୟକ୍ଷମ ହେବ। ସହର ମଧ୍ୟଭାଗରେ ଥିବା ଏହି କୋର୍ଟ ଏବେ ନଳାଙ୍ଗ ନିକଟକୁ ସ୍ଥାନାନ୍ତର ହେବ। ସେଠାରେ ଆବଶ୍ୟକ ଗୃହ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ୧୮ କୋଟି ଟଙ୍କା ବ୍ୟୟବରାଦରେ ପ୍ରାୟ ୨ ଏକର ଜମିରେ ହେଉଥିବା କୋର୍ଟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲାପାଳ, ଜିଲା ଜଜ୍, ଏସ୍ପି, ଏନ୍ଏଚ୍ଆଇ ତଥା ବହୁ ବିଭାଗୀୟ ଅଧିକାରୀ ବୁଲି ଦେଖିଥିଲେ। ନଳାଙ୍ଗ କୋର୍ଟ କାର୍ଯ୍ୟକ୍ଷମ ହେଲେ ସେଠାରେ ଜାତୀୟ ରାଜପଥ ଉପରେ ବ୍ୟାପକ ଦୁର୍ଘଟଣା ହେବାର ଆଶଙ୍କା ଦେଖାଦେଇଛି। ନଳାଙ୍ଗ କୋର୍ଟଟି ଜାତୀୟ ରାଜପଥ ପାର୍ଶ୍ୱରେ ହୋଇଥିବାରୁ ଲୋକମାନେ ଏହି କୋର୍ଟକୁ ଯିବା ପାଇଁ ହେଲେ ଭଦ୍ରକର ରଙ୍ଗରୁଟରେ ଯିବାକୁ ପଡିବ। ଏଣୁ ଏଠି ଦୈନିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏହି ଅଧିକାରୀମାନେ ବ୍ୟାପକ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରାଥମିକ ସ୍ତରରେ ଟ୍ରାଫିକ ମୁତୟନ କରିବା ପାଇଁ ଆଲୋଚନା କରିଥିଲେ। ଦୁର୍ଘଟଣା ରୋକିବା ପାଇଁ ସ୍ଥାୟୀ ସମାଧାନ ଭିତ୍ତିରେ ୬ ଲାଇନ୍ ଜାତୀୟ ରାଜପଥ ହେବା ପରେ ସେଠାରେ ଏକ ଅଣ୍ଡର ପାସ୍ କରାଯିବା ପାଇଁ ଯୋଜନା ରଖାଯାଇଥିବା ଏନଏଚଆଇର ପ୍ରୋଜେକ୍ଟ ଡାଇରେକ୍ଟର ପି. ନାଗେଶ୍ୱର ରାଓ ଏହି ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଜିଲାପାଳ ଜ୍ଞାନ ରଂଜନ ଦାସ, ଜିଲା ଜଜ୍ ରତିକାନ୍ତ ମହାପାତ୍ର, ସିଭିଲ କୋର୍ଟ ରେଜିଷ୍ଟ୍ରାର ଲଳିତା ମଂଜରୀ ପଟ୍ଟନାୟକ, ଏସ୍ପି ଅନୁପ କୁମାର ସାହୁ, ଏନ୍ଏଚଆଇ ପ୍ରୋଜେକ୍ଟ ଡାଇରେକ୍ଟର ପି. ନାଗେଶ୍ୱର ରାଓ, ଏନ୍ଏଚ୍ଆଇ ଟେକ୍ନିକାଲ ମ୍ୟାନେଜର ଆଶୁତୋଷ ସୋନି, ଆର୍ ଏଣ୍ଡ ବି ସହକାରୀ ଯନ୍ତ୍ରୀ ସୁଧାଂଶୁ ମହାପାତ୍ର, ଗ୍ରାମାଞ୍ଚଳ ଥାନାଧିକାରୀ ସୁଦର୍ଶନ ଗାଙ୍ଗୋଇ ପ୍ରମୁଖ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଶୀଘ୍ର ସ୍ଥାନାନ୍ତର ସଂପର୍କିତ ଆଲୋଚନ କରି ଫେରିଥିଲେ।

Leave a Reply

Your email address will not be published. Required fields are marked *