ନଭେମ୍ବର ୧୨ ରୁ ‘ଯୁଆନ୍ ପରବ୍-୨୦୧୮’, ଭାଗ ନେବେ ୧୧୩ ବିଶ୍ୱବିଦ୍ୟାଳୟ

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ଆଗାମୀ ନଭେମ୍ବର ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଗଠନ୍ ପକ୍ଷରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କେନ୍ଦ୍ରାଂଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ଉତ୍ସବ ‘ଯୁଆନ୍ ପରବ-୨୦୧୮’ ଆୟୋଜନ କରାଯିବ। ବିଶ୍ୱବିଦ୍ୟାଳୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଏହି ଉତ୍ସବ ଆୟୋଜନ କରାଯାଇଆସୁଛି। ଏବର୍ଷ ଏହାର ଆୟୋଜନ ଦାୟିତ୍ୱ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଛନ୍ତି। ଏଥିରେ ଏଥର ଓଡ଼ିଶା, ଛତିଶଗଡ଼, ଉତରପ୍ରଦେଶ, ଝାର୍ଖଣ୍ଡ ପ୍ରଭୃତି ରାଜ୍ୟର ୧୧୩ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଉତ୍ସବର ସଂଯୋଜକ ପ୍ରଫେସର ବୁଲୁ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନୃତ୍ୟ, ସଂଗୀତ, ସାହିତ୍ୟ, ନାଟକ, ଚାରୁକଳା ଭଳି ପାଂଚଟି ବିଷୟରେ ୨୭ଟି ପ୍ରତିଯୋଗିତାରେ ଏବର୍ଷ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ଯୁଆନ ପରବର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜୋରସୋରରେ ଚାଲିଛି। ୧୫ ଟି ଉପ କମିଟି ଗଠନ କରାଯାଇଛି। ଉତ୍ସବରେ ଛାତ୍ର ସଂସଦକୁ ସାମିଲ୍ କରାଯିବ। ଉତ୍ସବ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରଫେସର ମହାରଣା ସୂଚନା ଦେବା ସହିତ ଅକ୍ଟୋବର ୨୨ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ ବଲି ସେ କହିଛନ୍ତି। ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଫି ଧାର୍ଯ୍ୟ କରାଯାଇଛି। ରହଣୀ ଏବଂ ଅନ୍ୟାନ୍ୟ ସୁବିଧା ବିଶ୍ୱବିଦ୍ୟାଳୟ ଯୋଗେଇ ଦେବ। ଫି ଏବଂ ବିଶ୍ୱବିଦ୍ୟାଳୟ ସୂତ୍ରରୁ ଉତ୍ସବ ଆୟୋଜନ ପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ସେହିଭଳି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଗଠନ ମଧ୍ୟ କିଛି ପାଣ୍ଠି ଯୋଗେଇ ଦେବ। ବିଶ୍ୱବିଦ୍ୟାଳୟରେ ଥିବା ଚାରୋଟି ପ୍ରେକ୍ଷାଳୟ ସହିତ ଭୀମ୍ସାର୍ ଏବଂ ଭିଏସଏସୟୁଟିର ପ୍ରେକ୍ଷାଳୟ ଗୁଡ଼ିକୁ ଉତ୍ସବ ସକାଶେ ବ୍ୟବହାର ପାଇଁ ଯୋଜନା ରହିଛି। ୧୯୬୭ ମସିହାରେ ସ୍ଥାପିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୮୯ ମସିହାରେ ଜାତୀୟ ବିଶ୍ୱବିଦ୍ୟାଳୟ ଯୁବ ଉତ୍ସବ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *