ତାଳଚେର, ୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଇଂରାଜୀ ନବବର୍ଷର ପ୍ରଥମ ଦିବସ ଅବସରରେ ସୋମବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କୁ ଗୋପାଳପ୍ରସାଦସ୍ଥିତ ପୀଠରେ ଦର୍ଶନ କରିବାସହ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥିଲେ। ନୂଆ ବର୍ଷର ପ୍ରାରମ୍ଭରେ ମା’ଙ୍କ ପହିଲି ଦର୍ଶନ କରିବା ତଥା ମା’ଙ୍କ କୃପାଲାଭ କରିବା ନିମନ୍ତେ ଆଜି ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନଙ୍କ ବ୍ୟାପକ ଭିଡ଼ ଜମାଇଥିଲେ। ଭକ୍ତମାନେ ଧାଡି ବାନ୍ଧି ଶୃଙ୍ଖଳାର ସହ ମା’ଙ୍କ ଦୁର୍ଲ୍ଲଭ ଦର୍ଶନ କରିବାସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଭକ୍ତମାନଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ମା’ ଙ୍କର ସ୍ୱତନ୍ତ୍ର ଭୋଗ ବଣ୍ଟନ କରା ଯାଇଥିଲା। ଏହି ଅବସରରେ ନିର୍ମାଣାଧିନ ମା’ଙ୍କ ନୂତନ ଭବ୍ୟ ମନ୍ଦିର କାର୍ଯ୍ୟ ନିମନ୍ତେ ଶ୍ରଦ୍ଧାଳୁମାନେ ଅକୁଣ୍ଠ ଚିତରେ ଦାନ କରିବାକୁ ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିବେଦନ କରା ଯାଇଥିଲା। ନବ ବର୍ଷ ଉପଲକ୍ଷେ ସେହିପରି ବ୍ରାହ୍ମଣୀ ନଦୀ ସଂଲଗ୍ନ ପଶ୍ଚିମେଶ୍ୱର ମନ୍ଦିର, ସୋଲଡା ଗ୍ରାମସ୍ଥିତ ବାବା ବାଲୁଙ୍କେଶ୍ୱର ଶିବ ମନ୍ଦିର, ନତଡ଼ା, ଡଅଁରା, କୁମୁଣ୍ଡା, ସାଉଥ ବଲଣ୍ଡା ଆଦି ଅଂଚଳରେ ଥିବା ଶୈବପୀଠ ଗୁଡିକରେ ବହୁ ଭକ୍ତଙ୍କର ସମାଗମ ହୋଇଥିଲା।
