ନବ ଦମ୍ପତିଙ୍କ ଆତ୍ମହତ୍ୟା:ଶୋକାକୂଳ ପରିବେଶରେ ଜଳିଲା ଦୁଇଟି ଜୁଇ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କେତେ ଆଶା କେତେ ସ୍ପପ୍ନ ନେଇ ଦୁହେଁ ଦୁହିଁଙ୍କୁ ଅଗ୍ନିକୁ ସାକ୍ଷୀ ରଖି ଇହକାଳ ପରକାଳକୁ ଏକମନ ଏକ ହୃଦୟ ରହି ନୂଆ ସଂସାର ଗଢିବା ଆଶା ନେଇ ନବ ଦମ୍ପତ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଦୁହିଁଙ୍କର ନୂଆ ସଂସାର ଗଢିବା ପୂର୍ବରୁ ପୂର୍ଣ୍ଣିମାଙ୍କ ଜୀବନରେ ଅମାବାସ୍ୟାର କାଳରାତ୍ର ଘଟିଗଲା। ସାଙ୍ଗ ହୋଇ ବଞ୍ଚିବା ଓ ସାଙ୍ଗ ହୋଇ ମରିବା ଦୁହେଁ ଯେମିତି ଶପଥ ନେଇଥିଲେ ଆଜି ସେହିପରି ଏକ ନବ ଦମ୍ପତିଙ୍କର ମୃତ୍ୟୁ ଓ ଗୋଟିଏ ଦିନରେ ଗୋଟିଏ ମଶାଣୀରେ ଦୁହିଁଙ୍କର ଜୁଇଁ ଜଳିବା ଘଟଣା ସମଗ୍ର ଭଦ୍ରକ ଜିଲାରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଯେ ଭଦ୍ରକ ଜିଲା ଧାମନଗର ନିକଟସ୍ଥ ଦକ୍ଷିଣବାଡ ଶାମପୁର ଗ୍ରାମର ସତ୍ୟରଂଜନ ତ୍ରିପାଠୀ (ବାବୁ)ଙ୍କ ପୁଅ ଧର୍ମେନ୍ଦ୍ର ତ୍ରିପାଠୀ (୩୦) ଚଳିତ ବର୍ଷ ମେ ମାସ ୯ ତାରିଖ କଟକ ବାଙ୍କି ଅଞ୍ଚଳର ନିଳମଣି ଦାଶଙ୍କ ଝିଅ ପୂର୍ଣ୍ଣିମା (୨୩)ଙ୍କୁ ବିବାହ କରିଥିଲେ। ବିବାହର ୪ମାସ ମଧ୍ୟରେ ଉଭୟ ଦମ୍ପତ୍ତି ବେଶ ହସଖୁସିରେ ଦିନ କଟାଉଥିବା ବେଳେ ହଠାତ ଗତକାଲି ରାତିରେ ଉଭୟଙ୍କ ପାଇଁ ଏକ କାଳରାତ୍ରୀ ଘୋଟିଥିଲା। ବିଳମ୍ବିତ ରାତିରେ ଧର୍ମେନ୍ଦ୍ର କୌଣସି ବିଷାକ୍ତ ଦ୍ରବ୍ୟ ଖାଇ ଗୁରୁତର ହୋଇଥିଲେ। ଏହା ଦେଖି ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଇତସ୍ତିତ ହୋଇ ଶଶୁର ସତ୍ୟରଂଜନଙ୍କୁ ଜଣାଇଥିଲେ। ଏହାପରେ ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ନିକଟସ୍ଥ ଧାମନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ସମୟରେ ପରିବାର ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ପୂର୍ଣ୍ଣିମା ନିଜ ସ୍ୱାମୀର ଜୀବନ ସଂକଟାପନ୍ନ ଅବସ୍ଥା ଦେଖି ଅନୋନପାୟ ହୋଇ ସେ ବିସ ପାନ କରି ଦେଇଥିଲା। ସେ ଗୁରୁତର ହୋଇ ପଡିବାରୁ ତାଙ୍କୁ ମଧ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଉଭୟଙ୍କୁ ଡାକ୍ତରଖାନାରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପାରିବାରିକ ସମସ୍ୟା ଯୋଗୁଁ ଏପରି ଘଟଣା ଘଟିଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି। ଶବ ବ୍ୟବଚ୍ଛେଦ ହୋଇ ନବ ଦମ୍ପତ୍ତିଙ୍କ ମର ଶରୀର ନିଜ ଘରକୁ ଆସିବା ପରେ ଗୋଟିଏ ମଶାଣିରେ ଦୁହିଁଙ୍କ ଜୁଇଁ ଜଳିଥିଲା। ଏହି ସମୟରେ ସ୍ଥାନୀୟ ଅଂଚଳର ଶହଶହ ଲୋକ ଏକତ୍ରିତ ହୋଇଥିବା ବେଳେ ସମସ୍ତଙ୍କ ଆଖିରେ ଲୁହର ଧାର ସୃଷ୍ଟି ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *