ନବରଙ୍ଗପୁର ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କର ମୃତ୍ୟୁ ହେବା ପ୍ରସଙ୍ଗରେ: ଦୀର୍ଘ ୧୯ ବର୍ଷର ଶାସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଖାଦ୍ୟ ଯୋଗାଇ ନପାରିବା ଅତ୍ୟନ୍ତ ଲଜ୍ଜାଜନକ : ବିଜେପି

– ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ନଣନ୍ଦ ଓ ଭାଉଜ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
– ରାଜ୍ୟରେ ଦିନକୁ ଦୁଇ ଓଳି ଖାଇବାକୁ ନପାଉଥିବା ଲୋକଙ୍କର ଏକ ଚିଠା କରନ୍ତୁ ଏବଂ କାହିଁକି ଏମାନେ ଖାଦ୍ୟରୁ ବଂଚିତ ହେଉଛନ୍ତି ତାହାର ଉତର ତୁରନ୍ତ ଦିଅନ୍ତୁ ରାଜ୍ୟସରକାର

ଭୁବନେଶ୍ୱର, ତା୨୧/୦୮(ଓଡ଼ିଆ ପୁଅ): ଯେଉଁ ରାଜ୍ୟରେ ସାଧାରଣ ଲୋକ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇ ମୃତ୍ୟୁକୁ କୋଳେଇ ନିଅନ୍ତି। ଯେଉଁ ରାଜ୍ୟରେ ଶିଶୁମାନେ ଅପପୃଷ୍ଟିର ଶିକାର ହୋଇ ଜୀବନ ହାରନ୍ତି। ଯେଉଁ ରାଜ୍ୟରେ ନାବାଳିକା ସୁରକ୍ଷିତ ଭାବେ ପଦାକୁ ବାହାରି ପାରେନି ସେହି ରାଜ୍ୟର ମୁଖମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀର ପୁରସ୍କାର ଯୋଗାଡ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବଡ ବଡ ବିଜ୍ଞାପନ ମାଧ୍ୟମରେ ନିଜର ଆତ୍ମପ୍ରଚାର କରିବା କେତେ ଯଥାର୍ଥ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଗୁରୁସିଘାଂ ପଂଚାୟତ ମଇନାପଦର ଗାଁରେ ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ନଣନ୍ଦ ଓ ଭାଉଜ ମୃତ୍ୟୁବରଣ କରିବା ସହ ଅନ୍ୟ ୨ ଜଣ ଚିକିତ୍ସାଧୀନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୀର୍ଘ ୧୯ ବର୍ଷର ଶାସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଖାଦ୍ୟ ଯୋଗାଇ ନପାରିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଗୋଟିଏ ରାଜ୍ୟର ବିକାଶ ପାଇଁ ଦୀର୍ଘ ୧୯ ବର୍ଷ ଗୋଟିଏ ଲମ୍ବା ସମୟ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ‘କଥା ନୁହେଁ କଠିନ ପରିଶ୍ରମର’ ବଡ ବଡ ବିଜ୍ଞାପନ ମାରି ନିଜ ନାଁରେ ମିଥ୍ୟା ପ୍ରଚାର କରୁଥିବା ସମୟରେ ଅନ୍ୟପଟେ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇ ସାଧାରଣ ଗରୀବ ଲୋକଟିଏ ତା’ ଜୀବନ ହରାଇବା ସବୁଠୁ ଦୁଃଖ ପରିତାପର ବିଷୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

କେବଳ ଏ ଗୋଟିଏ ଘଟଣା ନୁହେଁ ଏହା ପୂର୍ବରୁ ରାୟଗଡା ଜିଲ୍ଲା କାଶିପୁରଠାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିଲେ। ରାଜ୍ୟ ସରକାର ଏମାନଙ୍କୁ ନା କୌଣସି ସହାୟତା ଅବା ଭତା ପ୍ରଦାନ କରୁଛନ୍ତି ନା ରୋଜଗାରକ୍ଷମ କରାଉଛନ୍ତି। ଅର୍ଥ ଅଭାବରୁ ଏହି ଗରିବ ଲୋକମାନେ ଚାଉଳ, ଡାଲି, ଅଟା ତଥା ଅତ୍ୟାବଶକୀୟ ଖାଦ୍ୟ ଯୋଗାଡ କରିବାରେ ମଧ୍ୟ ଅସମର୍ଥ ହେଉଛନ୍ତି। ଏହା ଶ୍ରେଷ୍ଠ ପ୍ରଶାସକର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ପରିଚୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରାଜ୍ୟରେ କେତେ ସ୍ଥାନରେ ଅପରି ଲୋକ ଅଛନ୍ତି ଯେଉଁମାନେ ଦୁଇ ଓଳି ଖାଇବାକୁ ପାଉନାହାଁନ୍ତି ତାହାର ଏକ ଚିଠା କରନ୍ତୁ ଏବଂ କାହିଁକି ସେମାନେ ଖାଦ୍ୟରୁ ବଂଚିତ ହେଉଛନ୍ତି ତାହାର ଉତର ରାଜ୍ୟସରକାର ତୁରନ୍ତ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *