ନନ୍ଦିପଦା ଥାନାରୁ ୱାରେଣ୍ଟି ଚମ୍ପଟ ଘଟଣାର ୬ଦିନ ବିତିଲା, ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ

ହାଟଡ଼ିହି,୧୨ । ୮ : ହାଟଡିହି ବ୍ଲକ ନନ୍ଦିପଦା ଥାନାରୁ ଜଣେ ୱାରେଣ୍ଟି ଚମ୍ପଟ ମାରିବା ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିନି । ଏପଟେ ଅଭିଯୁକ୍ତ ଫେରାରକୁ ନେଇ ଦୁଇ ଏସ.ଆଇଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଥାନାରେ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗି ରହିଥିବା ଅର୍ନ୍ତଦ୍ୱନ୍ଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଥାନା ପରିସରରୁ ଜଣେ ଅଭିଯୁକ୍ତ ଫେରାରକୁ ଥାନାଟି ସର୍ବସମ୍ମୁଖରେ ନିନ୍ଦିତ ହୋଇପଡିଥିବାବେଳେ ଏଥିପ୍ରତି ପୁଲିସର ନଜର ନାହିଁ । ଜଣେ ଅନ୍ୟ ଜଣକୁ ଦୋଷାରାପ କରି ନିନ୍ଦିତ କରିବାକୁ ଚେଷ୍ଟା ଚଳାଇଥିବାବେଳେ କିପରି ଆସାମୀକୁ ଠାବ କରାଯିବ ସେନେଇ ପଦକ୍ଷେପ ନିଆଯାଉନି ।
ଏଠାରେ ସୁଚନାଯୋଗ୍ୟ ଯେ ଡଅଁର ଗ୍ରାମରେ ଗତ ୨୦୧୭ରେ ମସିହାରେ ଟ୍ରାକ୍ଟରରେ ମାଟି ପକାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଆଟ୍ରୋସିଟ ଦଫା ଲାଗିଥିବାବେଳେ ଅଭିଯୁକ୍ତ କାଳିଆ ଜେନା ହାଜର ନହେବାରୁ ସେମାନଙ୍କ ନାମରେ ୱାରେଣ୍ଟ ବାହାରିଥିଲା । ଗତ ୬ତାରିଖ ରାତିରେ ନନ୍ଦିପଦା ପୁଲିସ ତାଙ୍କ ଘରେ ଚଢ଼ାଉକରି କାଳିଆକୁ ଗିରଫ କରି ଥାନାକୁ ଆଣିଥିଲେ । ମାତ୍ର ତାକୁ କୋର୍ଟ ଚାଲାଣ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବାବେଳେ ଖାଇସାରି ଧୋଇ ହେବାକୁ ବାହାରକୁ ଯାଇ ଫେରାର ହୋଇଯାଇଥିଲା ।
ନନ୍ଦିପଦା ଥାନାର ଇନିସପେକ୍ଟର ପଦବି ଦୀର୍ଘଦିନ ହେବ ଖାଲି ପଡିଥିବାବେଳେ ଜଣେ ଏସ.ଆଇ ଥାନାଅଧିକାରୀ ଦାୟିତ୍ୱ ନେଇଥିଲେ । ତାଙ୍କ ସମୟରେ ଅନେକ ଅନିୟମିତତା ବଢ଼ିବା ସହ ଥାନାଟି ଦଲାଲଙ୍କ ଇଶାରାରେ ଚାଲିଥିଲା । କିନ୍ତୁ ଛୁଟିରେ ଥିବା ଜଣେ ମହିଳା ଏସ.ଆଇ କାର୍ଯ୍ୟରେ ଯୋଗଦେବାପରେ ସେ ସିନିୟର ହୋଇ ଥିବାରୁ ସେ ଅଧିକାରୀ ଦାୟିତ୍ୱ ନେଇଥିଲେ । ସେହିଦିନ ଠାରୁ ଥାନାରେ ବିବାଦ ଆରମ୍ଭ ହୋଇଛି । ଶାଳଣିଆଁରେ ଏକ ଜମିରୁ ଜବରଦଖଲ ଉଚ୍ଛେଦ କରିବାପାଇଁ ଯାଇଥିବା ବେଳେ ପୁଲିସର ଅର୍ନ୍ତଦ୍ୱନ୍ଦ ପଦାରେ ପଡିଥିଲା । ଏପରିସ୍ଥଳେ ସାଧାରଣ ଲୋକେ ଥାନାରୁ କିପରି ସୁରକ୍ଷା ଆଶା କରିବେ ସେନେଇ ପ୍ରଶ୍ନ ଉଙ୍କି ମାରିବା ସହିତ ଥାନା ଉପରୁ ଲୋକଙ୍କ ଭରଷା ତୁଟିବାରେ ଲାଗିଛି । ଜିଲ୍ଲା ଏସ.ପି ଏଥିପ୍ରତି ଗୁରୁତ୍ୱ ଦେଇ ଏଠାରେ ତୁରନ୍ତ ଜଣେ ଆଇ.ଆଇ.ସିଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *