ନଦୀ ଭିତର ପୋଖରୀରୁ ବାଲି ଚୋରି ଘଟଣା,  ଦୋଷ ଲୁଚାଇବାକୁ ପ୍ରୟାସ – ଗୋଚର ଜମିରେ ଗଚ୍ଚିତ ବାଲିଗଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଯାଜପୁର, ୧୦/୬ (ଓଡ଼ିଆ ପୁଅ/ମାନସ ରାଉତ)ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଂଚାୟତ ଭଗୀରଥପୁର ଗ୍ରାମ ନିକଟସ୍ଥ ଚିଣ୍ଡା ଖରସ୍ରୋତାରୁ ବେଆଇନ ବାଲି ଚାଲଣ ହେଉଛି। ବାଲି ମାଫିଆମାନେ ଦୋଷ ଲୁଚାଇବା ପାଇଁ ଜୋରଦାର ପ୍ରୟାସ କରିଛନ୍ତି। ଏ ଦିଗରେ ତଦନ୍ତ ଅଧିକାରୀ ସୁଯୋଗ ସୃଷ୍ଟି କରିଛନ୍ତି। ଏହି ସୁଯୋଗକୁ ମାଫିଆମାନେ ହାତଛଡା କରିନାହାଁନ୍ତି। ଗୋଚର ଜମିରେ ଗଚ୍ଚିତ ଥିବା ବାଲି ଗଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ମାଫିଆମାନେ ଲାଗିପଡିଛନ୍ତି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଘଟଣାରୁ ପ୍ରକାଶ ମାଫିଆମାନେ ନଦୀ ଗର୍ଭରୁ ବାଲି ଉଠାଇ ଏକ ଗୋଚର ଜମିରେ ଗଚ୍ଛିତ ରଖିଥିଲେ। ପରେ ବାଲି ଖାଲକୁ ଜଳଛାୟା ପ୍ରକଳ୍ପ ପକ୍ଷରୁ ପୋଖରୀ ବୋଲି ଦର୍ଶାଇ ଅର୍ଥ ହଡପ କରିବାକୁ ଯୋଜନା କରାଯାଇଥିଲା। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଚଳିତ ସପ୍ତାହରେ ବିଭିନ୍ନ ସ୍ଥାନରେ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଭିତ୍ତିକରି ଜିଲା ଜଳଛାୟା ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଦିନ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ଅଧିକାରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଚାଲିଯିବା ପରେ ବାଲି ମାଫିଆଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ନଦୀ ଗର୍ଭରୁ ବାଲି ଉଠାଇ ଗୋଚର ଜମିରେ ଗଚ୍ଛିତ ରଖିଥିବା ବାଲିକୁ ସ୍ଥାନାନ୍ତରିତ କରିବାରେ ମାଫିଆମାନେ ବ୍ୟସ୍ତ ରହିଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ଛୁଟି ଥିବାରୁ ବାଲି ମାଫିଆମାନେ ଗଚ୍ଛିତ ରଖିଥିବା ସମସ୍ତ ବାଲିକୁ ନିରାପଦ ସ୍ଥାନକୁ ଟ୍ରକ ଓ ଟ୍ରାକ୍ଟର ଯୋଗେ ଉଠାଇ ନେଉଛନ୍ତି। ଛୁଟି ଦିନରେ ଅଭିଯୋଗକାରୀଙ୍କୁ ଅଭିଯୋଗ କରିବାର ସୁଯୋଗ ଜୁଟୁ ନାହିଁ। ଏଥିରୁ ବାଲି ମାଫିଆଙ୍କୁ ଫାଇଦା ମିଳୁଛି। ନଦୀ ଭିତର ପୋଖରୀରୁ ଆସି ଗଚ୍ଛିତ ବାଲିଗଦାକୁ ଜିଲା ପ୍ରକଳ୍ପ ଅଧିକାରୀ ରଞ୍ଜିତ ଦାସ ଦେଖିବି ଅଣଦେଖା କରିଛନ୍ତି। ପୋଖରୀରୁ ଉଠିଥିବା ବାଲି ସଂପର୍କରେ ଅଧିକାରୀ ଜାଣିବାକୁ ଆନ୍ତରିକତା ପଦର୍ଶନ କରିନାହାଁନ୍ତି। ଅଧିକାରୀଙ୍କ ବାଲି ମାଫିଆଙ୍କ ପ୍ରତି କୋହଳ ମନୋଭାବ ଯୋଗୁଁ ଏଭଳି ଘଟୁଛି ବୋଲି ସ୍ଥାନୀୟ ଅଂଚଳର ଲୋକେ ଅଭିଯୋଗ କରୁଛନ୍ତି। ବାଲି ଗଚ୍ଛିତ ସ୍ଥାନକୁ ପରିଦର୍ଶନ କରିନାହାଁନ୍ତି ବୋଲି ପ୍ରକଳ୍ପ ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *