ନଦୀ ତଟବର୍ତ୍ତୀ ଗ୍ରାମରେ ହାତୀ ପଲ’ଙ୍କ ଆଡ୍ଡା;ଆତଙ୍କିତ ଅବସ୍ଥାରେ ଲୋକେ

ତାଳଚେର, ୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର ନଦୀ ତଟବର୍ତ୍ତୀ କଙ୍କିଳି, କିଶୋରିପାଳ, କାକୁଡି, ଧରମପୁର, ହରିହରପୁର ଆଦି ଗ୍ରାମ ପାଖ ବିଲ ଏବଂ ରାସ୍ତାରେ ବଣୁଆ ହାତୀ ପଲକୁ ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ରାତିରେ ବସୁଲେଇ ଅଂଚଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ଏହି ନଇକୂଳିଆ ଗ୍ରାମଗୁଡ଼ିକୁ ହାତୀ ପଶି ଆସିଥିବାର ଅନୁମାନ କରାଯାଇଛି। ଏମାନଙ୍କର ସଂଖ୍ୟା ପ୍ରାୟ ୨୪ ହୋଇ ଥିବାବେଳେ ତନ୍ମଧ୍ୟରେ ୨ଟି ଦନ୍ତା ହାତୀ, ୩ଟି ଛୁଆ ହାତୀ ଓ ଅବଶିଷ୍ଟ ମାଇ ହାତୀ ରହିଛନ୍ତି। ତେବେ ଏପରି ବହୁ ସଂଖ୍ୟାରେ ହାତୀ ଗ୍ରାମର ଅତି ନିକଟରେ ଆଡ୍ଡା ଜମାଇଥିବାରୁ ପ୍ରଥମେ ଗ୍ରାମବାସୀମାନେ ମିଳିତଭାବେ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସୁଫଳ ମିଳିନାହିଁ। ତେବେ ଗାଁର କିଛି ଲୋକଙ୍କର ପରିବା ବଗିଚା, କଦଳୀ ଗଛ, ଆଖୁକିଆରୀ ଆଦି ନଷ୍ଟ କରିଥିବାର ଅଭିଯୋଗ କରାଯାଇଛି। ଅପରପକ୍ଷରେ ସୂଚନା ପାଇ ତାଳଚେର ବନବିଭାଗ, ହାତୀ ଘଉଡ଼ାଇବା ସ୍କ୍ୱାର୍ଡ଼ ଏବଂ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ଉପରେ ନଜର ରଖିଛନ୍ତି। ସନ୍ଧ୍ୟାପରେ ପୁନର୍ବାର ଉକ୍ତ ହାତୀ ପଲକୁ ଘଉଡ଼ାଇବାକୁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି। ତେବେ ରାତି ତମାମ ସେମାନେ ଗ୍ରାମ ନିକଟରେ ରହିଲେ ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟିର ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *