ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତରେ ପ୍ରବାହିତ ହେଉଥିବା କପାଳୀ ନଦୀରୁ ହାଣ୍ଡିରେ ଭାସିଯାଉଥିବାବେଳେ ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁପୁତ୍ରକୁ ଆଜି ଜିଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ପୁଲିସ୍ ସହାୟତାରେ ଅଣାଯାଇ ଭଦ୍ରକ ସହରାଞ୍ଚଳର ଚାରିଘରିଆସ୍ଥିତ ବାତ୍ସଲ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଗତ ୧୬ ତାରିଖ ଦିନ କଲେଇ ଆଦିବାସୀ ସାହିର ଜଣେ ମହିଳା ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଭାସିଯାଉଥିବା ହାଣ୍ଡିଟିକୁ ଦେଖିଥିଲା। ସେଥିମଧ୍ୟରୁ ଶିଶୁଟିର କାନ୍ଦଣା ସ୍ୱର ଶୁଭିବାରୁ ସେ ତାକୁ ଉଦ୍ଧାର କରିଥିଲା। ଏବଂ ସେ ଅସୁସ୍ଥ ଥିବାରୁ ତାକୁ ଭଦ୍ରକର ନ୍ୟୁ ବର୍ଣ୍ଣ କେୟାରରେ ଚିକିତ୍ସା କରାଇ ଘରେ ରଖିଥିଲା। ପରେ ଏହି ଖବର ପାଇ ଉପରୋକ୍ତ ବିଭାଗର ଅଧିକାରୀ ଓ ସଦସ୍ୟମାନେ ସେଠାରେ ପହଞ୍ଚି ଶିଶୁଟିକୁ ଆଣି ସମାଜସେବିକା ନମିତା ବଳଙ୍କ ଦ୍ୱାରା ଚାରିଘରିଆ ସ୍ଥିତ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ “ବାତ୍ସଲ୍ୟ”ରେ ଆଜି ରଖାଇଛନ୍ତି। ଶିଶୁଟି ଏବେ ସୁସ୍ଥ ଥିବାର ଜଣାପଡିଛି।
