ଜିଲ୍ଲା ପରିକ୍ରମା

ନଦୀଘାଟରେ କାର୍ଯ୍ୟକାରୀ ହେଉନି ଚାନ୍ଦବାଲି ବିଡିଓଙ୍କ ନିର୍ଦ୍ଦେଶ ବିନା ନିଲାମରେ ଫେରିଘାଟ, ଲାଭରେ ନେତା

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ପ୍ରଶାସନ ତରଫରୁ ବାରମ୍ବାର ତାଗିଦ କଲେ ମଧ୍ୟ ସାଳନ୍ଦୀ, ମନ୍ତେଇ ଓ ବୈତରଣୀ ନଦୀର ଘାଟ ନିଲାମ ନେଉଥିବା ନେତାଙ୍କ ଖାତିର ନାହିଁ। ଯେଉଁଥିପାଇଁ ୭ଟି ଫେରିଘାଟ ଏବେ ବିନା ନିଲାମରେ କାର୍ଯ୍ୟ କରୁଛି। ଏଥିପାଇଁ ସରକାର ଓ ପ୍ରଶାସନକୁ ଲକ୍ଷ ଲକ୍ଷ ଟଙ୍କାର ଘାଟା ମିଳିଛି। ମିଳିଥିବା ତଥ୍ୟ ଅନୁଯାୟୀ ଚାନ୍ଦବାଲି ବ୍ଲକ୍ ବିଡିଓ ତାଙ୍କର ପୂର୍ବ ଚିଠି ନଂ ୨୦୧୫/୧୫, ୧୬୧୧/୧୫ ଏବଂ ୧୩୩୬/୧୮ ଆଦେଶକୁ କୌଣସି ବ୍ୟକ୍ତି ବି କାର୍ଯ୍ୟକାରୀ କରୁନାହାଁନ୍ତି। ଚାନ୍ଦବାଲି ବ୍ଲକ୍ ବିଡିଓ ତାଙ୍କର ଏହି ପୂର୍ବ ଓ ବର୍ତ୍ତମାନର ଆଦେଶକୁ ମିଶାଇ ୨୦-୦୬-୧୮ ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ବଳରେ ଆରଡି, ଭୂଇଁବୃତ୍ତି, ନାନ୍ଦପୁର, ତେନ୍ତୁଳିଡିହ, ବଜରାପୁର, ଧାମରା, ଖଦାଳପୋଖରୀ, ପଂଚୁଟିକ୍ରୀ, ବାଁଂଶଡା, ନୂଆଗାଁ ଓ ଚରଦିଆ ପଂଚାୟତ ସରପଞ୍ଚମାନଙ୍କୁ ପତ୍ର ଲେଖାଯାଇଥିଲା। ଏହି ପତ୍ର ବଳରେ ନିର୍ଦ୍ଦେଶ ହୋଇଥିଲା। ସେମାନଙ୍କ ପଂଚାୟତରେ ଥିବା ଘାଟ, ପୋଖରୀ ଓ ନଈକୁ ନିଲାମ କରି ସରକାରୀ ରାଜସ୍ୱ ସଂଗ୍ରହ କରିବାକୁ। ନିୟମାନୁସାରେ ଆରଡି ଓ ତେନ୍ତୁଳିଡିହ ପଂଚାୟତକୁ ନେଇ ଚାଲିଛି ତିନିତର ଘାଟ। ନାନ୍ଦପୁର ଓ ଭୂଇଁବୃତ୍ତି ପଂଚାୟତକୁ ନେଇ ଚାଲିଛି ଧାନଖଣିଆ ଘାଟ। ଧାମରା ଓ ଚରଦିଆ ପଂଚାୟତକୁ ନେଇ ଚାଲିଛି ହବାଳି ଘାଟ। ବାଂଶଡା ଓ ନୂଆଗାଁ ପଂଚାୟତକୁ ନେଇ ଚାଲିଛି ବାଂଶଡା ଘାଟ। ଧାମରା ଓ ଚରଦିଆକୁ ନେଇ ଚାଲିଛି ଚୌଧୁରୀ ଘାଟ। ଖଦାଳପୋଖରୀ ଓ ପଂଚୁଟିକ୍ରୀ ପଂଚାୟତକୁ ନେଇ ଚାଲିଛି ପଂଚୁଟିକ୍ରୀ ଘାଟ। ବଜରାପୁର ଓ କରଂଜଆଡିଆ ପଂଚାୟତକୁ ନେଇ ଚାଲିଛି ବାଲିଆପାଳ ଘାଟ। ମନ୍ତେଇ ଓ ସାଳନ୍ଦୀ ନଦୀରେ ଏହି ୭ ଟି ଘାଟ ସହ ମୁଆଁ ଘାଟ ବି ସାମିଲ ହୋଇଛି। ଏହି ଘାଟ ପାଇଁ ନିୟମ ହେଉଛି – ଘାଟରେ ଜଣେ ଲୋକ ପାରି ହେଲେ ୨ ଟଙ୍କା ଦେବାକୁ ପଡିବ, ଜଣେ ଲୋକ ସାଇକେଲ୍ ନେଇ ଘାଟ ପାରି ହେଲେ ୫ ଟଙ୍କା ଦେବ। ସେହିପରି ଜଣେ ଲୋକ ମୋଟର ସାଇକେଲ୍ ସାଙ୍ଗରେ ଧରି ପାରି ହେଲେ ୧୦ ଟଙ୍କା ଦେବାକୁ ପଡିବ ଏବଂ ଜଣେ ଲୋକ ଗାଈ କିମ୍ବା ଗୋରୁ ଗୋଟିଏ ନେଇ ଡଙ୍ଗାରେ ଘାଟ ପାରି ହେଲେ ୨୦ ଟଙ୍କା ଦେବାକୁ ପଡିବ। ବିଡମ୍ବନା ହେଲା ଘାଟରେ ଥିବା ଘାଟିଆ ଓ ଘାଟ ନେଇଥିବା ନିଲାମଧାରୀ ବ୍ୟକ୍ତି ଏହାକୁ ଖୋଲମଖୋଲା ଅବମାନନା କରୁଛନ୍ତି। ବିଜ୍ଞପ୍ତି ଅନୁସାରେ ଜଣେ ଲୋକ ଦୁଇ ଟଙ୍କା ଦେବାକୁ ଥିଲାବେଳେ ତାଙ୍କ ଠାରୁ ୧୦ ଟଙ୍କା ଆଦାୟ କରାଯାଉଛି। ମୋଟର ସାଇକେଲ୍ ନେଇ ଜଣେ ଲୋକ ପାରି ହେଲେ ତାଙ୍କ ଠାରୁ ୨୦ ଟଙ୍କା ଆଦାୟ କରାଯାଉଛି। ରାତି ବିକାଳେ ଘାଟ ପାରି ହେଲେ ତାହା ୩୦ ଧରିଯାଉଛି। ଅନ୍ୟପକ୍ଷରେ ୨୦୧୮-୧୯ ବର୍ଷ ପାଇଁ ଏହି ଘାଟଗୁଡିକ ନିଲାମ ହୋଇପାରୁନି। ଏଥିପାଇଁ ସଂପୂର୍ଣ୍ଣ ରୂପେ ପ୍ରଶାସନ ଦାୟୀ ବୋଲି ବିରୋଧୀମାନେ ଆରୋପ କରିଛନ୍ତି। ଯଦି ଜିଲା ପ୍ରଶାସନ ତରଫରୁ କାହିଁକି ଏହି ଘାଟ ଗୁଡିକ ନିଲାମ ହୋଇନାହିଁ ଏବଂ ଘାଟରେ ଚାଲିଥିବା ଜାଲିଆତି ବିଷୟରେ ତଦନ୍ତ ହୁଅନ୍ତା ବହୁ ରହସ୍ୟ ପଦାକୁ ଆସନ୍ତା ବୋଲି ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top