ଓଡ଼ିଶା

ଧୁଲିଯୋର ଓ ମାଲତୀଯୋର ସେତୁ ନିର୍ମାଣ ପାଇଁ ମଞ୍ଜୁରି ଦ୍ୱାରା ଦୀର୍ଘଦିନର ଆଶା ପୂରଣ ହୋଇଛି : ଇଂ. ପୂଜାରୀ

ସମ୍ବଲପୁର, ୨/୯ (ଓଡ଼ିଆ ପୁଅ) – ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନେଶ୍ୱର, ନାକଟିଦେଉଳ, ରେଢ଼ାଖୋଲ ଓ ଯୁଯୁମୁରା ବ୍ଲକରେ ଗମନାଗମନର ସ୍ଥାୟୀ ବ୍ୟବସ୍ଥା ସକାଶେ ରାସ୍ତା ଏବଂ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏତଦ୍ଦ୍ୱାରା ଅଗଣିତ ଲୋକଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ ହେବାକୁ ଯାଉଛି ତଥା ଲୋକେ ସମ୍ମୁଖୀନ ହୋଇ ଆସିଥିବା ନାହିଁ ନଥିବା ସମସ୍ୟାର ଅନ୍ତ ଘଟିବାକୁ ଯାଉଛି ବୋଲି ଇଂ. ପୂଜାରୀ କହିଛନ୍ତି। ବିଜେଡ଼ି ସରକାର ଲୋକଙ୍କର ସୁଖଦୁଃଖରେ ସାଥୀ ହୋଇ ବହୁ ଦିନର ସମସ୍ୟାର ନିରାକରଣ କରିପାରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ପ୍ରକଳ୍ପ ମଧ୍ୟରେ ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ଅନ୍ତର୍ଗତ ଜାଦୁ ଲୁଇସିଂ ଠାରୁ ଯୁଯୁମୁରା ବ୍ଲ୍କର ଇଚ୍ଛାପାଲିକୁ ସଂଯୋଗକାରୀ ରାସ୍ତା ଏବଂ ଧୂଳିଯୋର ଉପରେ ସେତୁ ନିର୍ମାଣର ପ୍ରସ୍ତାବ ରହିଛି। ସେତୁ ନିର୍ମାଣ ହେଲେ ଧମାରୁ ଯୁଯୁମୁରା ଅଞ୍ଚଳକୁ ରାସ୍ତାର ଦୂରତା ୨୫ କିଲୋମିଟର ପର୍ଯ୍ୟନ୍ତ କମିଯିବ। ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ପାଇଁ ଉଭୟ ପଟର ଲୋକେ ଖୁବ୍ ସୁବିଧା ପାଇବେ। ତେଣୁ ଏହି ପୋଲ ପାଇଁ ଦୀର୍ଘ ସମୟରୁ ଦାବି ହୋଇଆସୁଥିଲା। ସେହିଭଳି ଯୁଯୁମୁରା ବ୍ଲକ ବାହାମ ପଞ୍ଚାୟତର କୁସନପୁରୀ ଠାରୁ ଗିରିପାଲି ମଧ୍ୟରେ ଥିବା ମାଳତୀ ଯୋର ଉପରେ ଏକ ଉଚ୍ଚସେତୁ ନିର୍ମାଣ ପ୍ରକଳ୍ପକୁ ମଧ୍ୟ ରାଜ୍ୟ ସରକାର ସ୍ୱୀକୃତି ଦେଇଛନ୍ତି।

ଉଭୟ ସେତୁ ‘ବିଜୁ ସେତୁ ଯୋଜନା-୨୦୧୮-୧୯’ରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରାଯିବ। ସର୍ଭେ ଏବଂ ଅନ୍ୟାନ୍ୟ ଅନୁସଙ୍ଗିକ କାର୍ଯ୍ୟପାଇଁ ତୁରନ୍ତ ପାଣ୍ଠି ମଞ୍ଜୁର ହୋଇଛି। ଆସନ୍ତା ନଭେମ୍ବର ମାସ ସୁଦ୍ଧା ଉଭୟ ସେତୁ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଯେକୌଣସି ପ୍ରକାରେ ଆରମ୍ଭ କରିଦିଆଯିବ ବୋଲି ଇଂ. ପୂଜାରୀ କହିଛନ୍ତି। ଏଥି ସହିତ କନ୍ଧରା ଭୀମଭୋଇ ସ୍ମୃତିସ୍ଥଳର ପୁନଃନିର୍ମାଣ ଓ ସୌନ୍ଦର୍ଯ୍ୟକରଣ, ଦେଓଝରନ ଓ ହୁମା ପର୍ଯ୍ୟଟନ କ୍ଷେତ୍ରର ବିକାଶ କାର୍ଯ୍ୟ, ରେଢ଼ାଖୋଲରେ ଟାଉନହଲ ଓ ପାଠାଗାର, ରେଢ଼ାଖୋଲ ଓ ଯୁଯୁମୁରାରେ ଆଦର୍ଶ ବିଦ୍ୟାଳୟ ଓ ହଷ୍ଟେଲ ନିର୍ମାଣ ସହିତ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top