ଜିଲ୍ଲା ପରିକ୍ରମା

ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଙ୍କୁଶ, ବାତିଲ ହେଲା ଧର୍ମସଭା ଓ ଶୋଭାଯାତ୍ରା, ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) -ଭଦ୍ରକ ସହରରେ ମୁସଲିମ୍ ସମ୍ପ୍ରଦାୟର ପବିତ୍ର ମହରମ ତାଜିଆ / କାଫେଲା ଦୀର୍ଘ ଦଶନ୍ଧି ଧରି ଶାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇଆସୁଥିବାବେଳେ ଚଳିତବର୍ଷ ଉକ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଂକୁଶ ଯୋଗୁଁ ଏହାର ଧର୍ମସଭା ଓ ଶୋଭଯାତ୍ରାକୁ ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପାଳନ ନକରାଯିବା ନେଇ ଏକ ନିଷ୍ପତ୍ତି ନିଆଯାଇଥିବା ବିଷୟ ଆଜି ଏହାର ସଭାପତି ହାଜି ମହମ୍ମଦ ଅବଦୁଲ ବାରି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ହାଜି ମହମ୍ମଦ ଅବଦୁଲ ବାରୀ ଉକ୍ତ ପ୍ରେସ୍ ବିଜ୍ଞପ୍ତିରେ ଦେଇଥିବା ବିବୃତ୍ତି ମୂଳେ ଆଜି ପର୍ଯ୍ୟନ୍ତ ମୁସଲିମ ସମ୍ପ୍ରଦାୟର କୈାଣସି ଶୋଭାଯାତ୍ରାରେ ଗଣ୍ଡଗୋଳ ହେବାର ନଜିର ନାହିଁ। ଭଦ୍ରକରେ ଭାଇଚାରା ବଜାୟ ରହୁ ବୋଲି ସେମାନଙ୍କ ସଂପ୍ରଦାୟ ସଦାସର୍ବଦା ଯେଭଳି ଚେଷ୍ଟା କରିଆସିଅଛି, ତାହାକୁ ଜିଲ୍ଲା ପ୍ରଶାସନ କେବେ ହେଲେ ଅସ୍ୱିକାର କରିପାରିବ ନାହିଁ। ତେବେ ଭଦ୍ରକ ସହରରେ ପୂର୍ବ ପରି ପବିତ୍ର ମୋହରମ ତାଜିଆ /କାଫେଲାର ଶୋଭା ଯାତ୍ରା ପାରମ୍ପାରିକ ରାସ୍ତାରେ ବାହାର କରିବା ପାଇଁ ଗତ ଅଗଷ୍ଟ ୨୮ ତାରିଖରେ ପ୍ରଶାସନ ନିକଟରେ ଆବେଦନ କରିବା ପରେ ଗତ ୫ ସେପ୍ଟେମ୍ବରରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଉଭୟ ସମ୍ପ୍ରଦାୟର ସଭ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଶାନ୍ତି କମିଟି ବୈଠକ ବସିଥିଲା। ଏହି ବୈଠକରେ ଶାନ୍ତି କମିଟିର ସଭ୍ୟ ଏବଂ ଉପସ୍ଥିତ ଅଧିକାରୀ ମାନେ ନିଜ ନିଜର ମତା ମତ ରଖିଥିଲେ। ନିଷ୍ପତି ଅନୁଯାୟୀ ନେସ୍କୋ ଅଧିକାରୀଙ୍କୁ ଶୋଭାଯାତ୍ରା ସମୟରେ ଯେପରି ବିଦ୍ୟୁତ କାଟ ନହୁଏ ସେଥି ପ୍ରତି ଦୃଷ୍ଟି ଦେବା, ଆର ଏଣ୍ଡ ବି ଏବଂ ପୈ÷ାରପାଳିକାକୁ ଶୋଭାଯାତ୍ରା ରାସ୍ତାରେ ଥିବା ଖାଲ ଖମାକୁ ୨୦ ତାରିଖ ପୁର୍ବରୁ ମରାମତି ସାରିବା, ମୁସଲିମ ଜମାତ ରାତ୍ର ୧୦ଟା ସୁଦ୍ଧା ଡିଜେ ବ୍ୟବହାର ନକରିବା ଶାନ୍ତି ଶୃଙ୍ଖଳା ସହିତ ଶୋଭାଯାତ୍ରା ସଂପୂର୍ଣ୍ଣ କରିବା ନେଇ ଆଲୋଚନା ହୋଇଥିଲା। ଫଲରେ ଗତ ୬ ତାରିଖ ସନ୍ଧ୍ୟା ୭ଘଟିକା ସମୟରେ ମୁସଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରିଙ୍କ ସଭାପତିତ୍ୱରେ ସହରର ବିଭିନ୍ନ ସାହି ସରଦାର ମାନଙ୍କୁ ନେଇ ଏକ ବୈଠକ ମଦିନା ମୈଦାନଠାରେ ଅନୁଷ୍ଠିତ ହୋଇ ଶାନ୍ତି କମିଟ୍ ରେ ନିଅଯାଇଥିବା ନିଷ୍ପତି ଗୁଡିକୁ ଅବଗତ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଶୋଭାଯାତ୍ରା ପାଇଁ ଅନୁମତି ମାଗିବା ଦିନ ଠାରୁ ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ସମୟରେ ଆଲୋଚନା ମଧ୍ୟ ହୋଇଥିଲା। ସେତେବେଳେ ଜିଲ୍ଲା ପ୍ରଶାସନ ଶୋଭାଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ବୋଲି କେବେ ସୂଚାଇନଥିଲେ। କିନ୍ତୁ ସେମାନେ କୈାଣସି ସୁତ୍ରରୁ ଜିଲା ପ୍ରଶାସନ ସେମାନଙ୍କ ଶୋଭାଯାତ୍ରା ଓ ଧର୍ମସଭାକୁ ଅନୁମତି ଦେବାରେ କୁଣ୍ଠାବୋଧ କରୁଥିବା ବିଷୟ ଜାଣିବାକୁ ପାଇଥିଲେ। ଏପରିକି ଶେଷ ମୁହୁର୍ତ୍ତରେ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିବା ବିଷୟ ଆଭାସ ମିଳିଥିଲା। ଫଳରେ ଏ ସମସ୍ତ ବିଷୟ ମନ୍ତ୍ରୀ ପ୍ରଫୁଲ ସାମଲ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କୁ ସାକ୍ଷାତ କରି ଅବଗତ କରାଇଥିଲୁ। ଏଥିସହ ଗତ ୧୨ ତାରିଖରେ ମଧ୍ୟ ଭଦ୍ରକ ମୁସଲିମ ଜମାତ, ବୁଢା ଗଣେଶ, ଟୋକା ଗଣେସ, ଅନ୍ୟାନ୍ୟ ପୁଜା କମିଟିର କର୍ମକର୍ତ୍ତାଏବଂ ଉଭୟ ସଂପ୍ରଦାୟର ହିତାକାଂକ୍ଷୀ, ଦାୟିତ୍ୱବାନ ନାଗରିକମାନେ ମିଳିତ ଭାବେ ସବୁ ଧାର୍ମିକ ଶୋଭା ଯାତ୍ରାର ଅନୁମତି ଦିଆଯାଉ ବୋଲି ଜିଲ୍ଲା ପ୍ରଶାସନ ନିକଟରେ ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ଏବଂ ୧୪ ତାରିଖରେ ଫେକ୍ସ ଦ୍ୱାରା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ସାକ୍ଷାତ ଆଲୋଚନା ପାଇଁ ସମୟ ମଗାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା ମିଳିପାରିଲା ନାହିଁ। ଅଧିକନ୍ତୁ ଜିଲ୍ଲା ପ୍ରଶାସନ ଉଭୟ ସଂପ୍ରଦାୟର କୈାଣସି ଅନୁରୋଧକୁ ଗ୍ରହଣ ନକରି ୧୮ ତାରିଖ ସନ୍ଧ୍ୟା୬ ଘଟିକା (ଶେଷ ମୁହୁର୍ତ୍ତରେ) ପବିତ୍ର ମହରମ ପର୍ବର ତାଜିଆ/ କାଫେଲାର ଶୋଭା ଯାତ୍ରା ପାରମ୍ପାରିକ ରାସ୍ତାରେ ବାହାର କରିବାରେ ଅଂକୁଶ ଲଗାଇ ରୋକ୍ ଲଗାଇଥିଲେ। ପ୍ରଶାସନର ଏଭଳି କାର୍ଯ୍ୟ ଭଦ୍ରକର ସମସ୍ତ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ମନରେ ଶକ୍ତ ଧକା ଲାଗିଛି। ଏଣୁ ମଦିନା ମଇଦାନ ଓ ଟ୍ରେନିଂ ସ୍କୁଲ ପଡିଆଠାରେ ହେବାକୁ ଥିବା ଧର୍ମସଭାକୁ ପାଳନ ନକରିବା ନେଇ ମୁସ୍ଲିମ୍ ଜମାତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ହାଜି ମହମ୍ମଦ ଅବଦୁଲ ବାରି ଦୁଃଖର ସହ ଏହି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top