ଧାମରା ବନ୍ଦର ନାମରେ ନିଯୁକ୍ତିି ଠକେଇ : ଜଣେ ଗିରଫ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ଧାମରା ବନ୍ଦରର ଏକ ଅବିକଳ ୱେବ୍ସାଇଟ୍ ତିଆରି କରି ଶିକ୍ଷିତ ଆଶାୟୀ ଯୁବପିଢୀଙ୍କ ଠାରୁ ବନ୍ଦରରେ ନିଯୁକ୍ତି କରାଇ ଦେବା ବାବଦକୁ ଅର୍ଥ ଆହ୍ୱାନ କରୁଥିଲେ। ବନ୍ଦର କର୍ତ୍ତୃପକ୍ଷ ଏହି ଖବର ଜାଣିବା ପରେ ସ୍ଥାନୀୟ ବାଂଶଡ଼ା ଥାନାରେ କେଶ୍ ନଂ ୨୯୫ /୨୦୧୭ ଧାରା ନଂ ୪୨୦, ୪୬୫, ୬୬ ସି ଡି ଅଫ୍ ଆଇଟି ଆକ୍ଟରେ ଏଫ୍ଆଇଆର୍ ରୁଜୁ କରିଥିଲେ। ଏହାର ପ୍ରତିକ୍ରିୟା ସ୍ୱରୂପ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନୁପ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ବାସୁଦେବ ସ୍ୱାଇଁ ଏହି କେଶ୍ର ତଦନ୍ତ କରୁଥିଲେ। ବିଭିନ୍ନ ଅନୁଷ୍ଠାନ ଓ ବ୍ୟାଙ୍କ ଗୁଡ଼ିକରେ ଅନୁସନ୍ଧାନ କଲାପରେ ଗତ ୧୦ ତାରିଖ ଶନିବାର ସନ୍ତୋଷ କୁମାର ପଣ୍ଡା (୩୩)କୁ ନୟାପଲ୍ଲୀ ଥାନା ଆଇଆଇସି ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି। ସେ ଏହି ଅପରାଧ ସ୍ୱୀକାର କରିଥିବା ବେଳେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ଏହି ଘଟଣାରେ ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ ଯୁବପିଢୀଙ୍କୁ ଭବିଷ୍ୟତରେ ଏହିପରି ମିଥ୍ୟା ୱେବ୍ସାଇଟ୍ (ଆଇଡି ) ପ୍ରତି ସତର୍କ ତଥା ସଚେତନ ରହିବା ପାଇଁ ଅନୁରୋଧ କରିଛନ୍ତି। ଧାମରା ପୋର୍ଟରୁ ମିଳିଥିବା ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି ଯେ, ପୋର୍ଟ କମ୍ପାନୀ ପ୍ରଥମରୁ ହିଁ ଏହି ମାମଲାରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ଏହି ମାମଲା ନେଇ ୨୦୧୭ ନଭେମ୍ବର ମାସ ମଧ୍ୟଭାଗରେ ଧାମରା ପୋର୍ଟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ବନ୍ଦର ତରଫରୁ ଥାନାରେ ଏକ ଏଫ୍ଆଇଆର୍ ଦିଆଯାଇଥିଲା। ସମଗ୍ର ଜନସାଧାରଣଙ୍କୁ ବିଭିନ୍ନ ଖବରକାଗଜରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ଅପରାଧିକ କାର୍ଯ୍ୟକଳାପ ବିଷୟରେ ସଚେତନ କରିବା ପୋର୍ଟ ମ୍ୟାନେଜମେଂଟର ମୁଖ୍ୟ ପ୍ରାଥମିକତା ଥିଲା। ପରେ ନିରନ୍ତର ତଦନ୍ତ ପାଇଁ ପୋଲିସ ବିଭାଗ ଏବଂ ପୋର୍ଟ ଆଇଟି ବିଭାଗର ସହାୟତା ଲୋଡା ଯାଇଥିଲା।

Leave a Reply

Your email address will not be published. Required fields are marked *