ଜିଲ୍ଲା ପରିକ୍ରମା

ଧାମରାରେ ହେବ ଉଡାଜାହାଜ ପଡିଆ ସିଆରଜେଡ ଜମିର ସୀମା ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ରକୁ ଚିଠି

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରାର ଆଦାନୀ ବନ୍ଦରର ଅଭିବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ଅନୁରୋଧରେ ଧାମରାଠାରେ ଏକ ଉଡାଜାହାଜ ପଡିଆ କରିବା ପାଇଁ ସ୍ଥାନ ଚୟନକରିବାକୁ ଆଦେଶ ଦେଇଛନ୍ତି। ସ୍ଥାନ ଚୟନ ଆଦେଶ ପାଇବା ପରେ ଭଦ୍ରକ ଜିଲାପାଳ ଚାନ୍ଦବାଲି ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ଆଦେଶ ଦେଇଛନ୍ତି। ଏହି ଆଦେଶ ବଳରେ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧୀନରେ ଥିବା କଇଥଖୋଲା ପଞ୍ଚାୟତର ହୃଦୟପ୍ରସାଦ ମୌଜାରେ ଥିବା ୩ ଶହରୁ ଊର୍ଦ୍ଧ୍ୱ ଏକର ଜମି ଚିହ୍ନଟ ହୋଇଥିଲା। ସେହି ଜମିଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସିଆରଜେଡ ଜୋନର ଅନ୍ତର୍ଭୁକ୍ତ। ଏହି ଜମିରେ ଉଡାଜାହହ ପଡିଆ କରିବାକୁ ହେଲେ ସିଆରଜେଡ ଜୋନର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ଜିଲାପାଳ କେନ୍ଦ୍ର ସରକାରଙ୍କୁ ଚିଠି କରିଛନ୍ତି। ଏହି ପଡିଆ ପାଇଁ ପ୍ରାଥମିକ ସ୍ତରରେ ଯାତାୟତ ରାସ୍ତା ପାଇଁ ଓସାର ୪ ଶହ ମିଟର ହେବା ଜରୁରୀ ଥିବାବେଳେ ଅତି କମରେ ଲମ୍ବ ୩ କିମି ଏବଂ ଜମିର ପରିମାଣ ୩ ଶହ ଏକର ହେବା ଜରୁରୀ ବୋଲି ଜଣାଯାଇଛି। କଇଥଖୋଲା ପଞ୍ଚାୟତରେ ଏହି ସିଆରଜେଡ ଜୋନର ପୁନଃ ସୀମା ନିର୍ଧାରଣ ହେବା ଜରୁରୀ ଥିବାବେଳେ ଉଡାଜାହାଜ ପଡିଆ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଏହି ସ୍ଥାନ ସର୍ବୋକ୍ରୃଷ୍ଟ ହୋଇ ପାରିବ ବୋଲି ଜଣାଯାଇଛିି। କଇଥଖୋଲା ପଞ୍ଚାୟତରେ ସମୁଦାୟ ୩ ଶହ ଏକର ଜମି ଉପଲବ୍ଧ। ସେହିପରି ଚାନ୍ଦବାଲି ତହସିଲ ଏବଂ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧୀନରେ ଥିବା କରଣପଲ୍ଲୀ ପଞ୍ଚାୟତରେ କରଣପଲ୍ଲୀ, ବିଜୟପାଟଣା, କୁଆମରା ମୌଜାରେ ୧୭୫ ଏକର ଜମି ରହିଥିବା ବେଳେ ଆବଶ୍ୟକ ପଡୁଥିବା ଅବଶିଷ୍ଟ ଜମି ବାସୁଦେବପୁର ତହସିଲ ତଥା ନାୟକାଣିଡିହ ରାଜସ୍ୱ ଅଧିକାରୀଙ୍କ ଅଧୀନ ନନ୍ଦପାଟଣା ପଞ୍ଚାୟତରେ ୧୨୫ ଏକର ଜମି ଅଛି ବୋଲି ଚାନ୍ଦବାଲି ତହସିଲ ପକ୍ଷରୁ ସର୍ଭେ ହୋଇ ଥିବା ଜଣାଯାଇଛି। ଏହି ଦୁଇ ତହସିଲ ଅଧୀନରେ ୪ଶହ ଏକର ଜମି ଥିବାବେଳେ ଏହି ଜମିର କିସମ ଲୁଣାପଟା ଏବଂ ବାଲିଚର ବୋଲି ଜଣାଯାଇଛି। ଏହି ଜମିରେ ମଧ୍ୟ ଉଡାଜାହାଜ ପଡିଆ ନିର୍ମାଣ ସମ୍ଭବ ବୋଲି ଜଣାଯାଇଛି। ତେବେ କଇଥଖୋଲା ପଂଚାୟତରେ ଗୋଟିଏ ସ୍ଥାନରେ ୩ ଶହ ଏକର ଜମି ଥିବା ବେଳେ ଯାତାୟତ ପାଇଁ ୪ ଶହ ମିଟର ରାସ୍ତା ଏବଂ ଲମ୍ବ (ପରିସୀମା) ୩ କିମି ହୋଇଥିବା ବେଳେ ନନ୍ଦପାଟଣା, ବିଜୟପାଟଣା, କରଣପଲ୍ଲୀ ଏବଂ କୁଆମରାଠାରେ ୪ ଶହ ଏକର ଜମି ଉପଲବ୍ଧ। ମାତ୍ର ଏହି ସ୍ଥାନରେ ଯାତାୟତ ପାଇଁ ଓସାର ୩ ଶହ ମିଟର ଏବଂ ପରିସୀମା ୩ କିମିରୁ କମ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଏହି ସମସ୍ତ ଜମି ଉଡାଜାହଜ ପଡିଆ ପାଇ ଉପଯୁକ୍ତ ହୋଇଥିବା ବେଳେ ଏହି ସମସ୍ତ ଜମି ସିଆରଜେଡ ଜୋନରେ ଅନ୍ତର୍ଭୁକ୍ତ। ଏହି ଜୋନର ୫ ଶହ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ। ଯଦି କେନ୍ଦ୍ର ସରକାର ଏହି ସିଆରଜେଡ ଜମିର ପୁନଃ ସୀମା ନିର୍ଦ୍ଧାରଣ କରିବେ, ତାହେଲେ ଏହି ୨ଟି ସ୍ଥାନ ମଧ୍ୟରୁ କଇଥଖୋଲା ପଂଚାୟତରେ ଥିବା ହୃଦୟପ୍ରସାଦ ମୌଜା ସର୍ବୋତମ ସ୍ଥାନ ହେବା ସହ ଧାମରା ବନ୍ଦରର ପାଶ୍ୱବର୍ତ୍ତୀ ସ୍ଥାନ ହେବ। ତେବେ ଏହି ସମସ୍ତ ସିଆରଜେଡ ଜମିର ପୁନଃ ସୀମା ନିର୍ଧାରଣ ପାଇଁ ଭଦ୍ରକ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଜଣାଇବା ସହ କେନ୍ଦ୍ର ସରକାରଙ୍କୁ ଚିଠି କରି ଏହି ସମସ୍ତ ଜମି(ସିଆରଜେଡ) ଜୋନର ପୁନଃ ସୀମା ନିର୍ଦ୍ଧାରଣ କରିବା ପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିବା ପରେ ଖୁବଶୀଘ୍ର ଏହି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top