ଧାମରାରେ ଜନ ଶୁଣାଣିକୁ ବିରୋଧ ୧୧ରେ ଆନ୍ଦୋଳନକୁ ଓହ୍ଲାଇବେ ବିକାଶ ମଞ୍ଚ

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମରା ବିକାଶ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭଦ୍ରକ ସ୍ଥିତ ବାଲଗୋପାଲ ମନ୍ଦିର ପରିସରରେ ସଂଘର ସଭାପତି ନରହରି ମଲ୍ଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଧାମରା ବନ୍ଦର ନିର୍ମାଣ ହେବା ଠାରୁ ଅଞ୍ଚଳବାସୀଙ୍କ ସଂପୂର୍ଣ୍ଣ ସହଯୋଗ ରହି ଆସୁଅଛି। କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ବନ୍ଦରରେ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକଙ୍କୁ ଆଣି କାର୍ଯ୍ୟ କରାଯାଉଛି। ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ। ଯେଉଁ ଶ୍ରମିକମାନେ ନିଜର ହକ୍ ପାଇଁ ପ୍ରତିବାଦ କଲେ ତାଙ୍କୁ ପୁଲିସ ଲଗାଇ ତାଙ୍କର ସ୍ୱରକୁ ଦବାଇ ଦିଆ ଯାଉଛି। ପ୍ରକାଶ ଥାଉ କି ଗତ ୬.୪.୧୮ ତାରିଖରେ ନୀରିହ ବିସ୍ଥାପିତ ଶ୍ରମିକମାନଙ୍କୁ ପୂର୍ବତନ ଏସ୍ପି ତଥା ଏବେକାର ବନ୍ଦର ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ୧୨ଜଣ ଶ୍ରମିକଙ୍କୁ ବିନା କାରଣରେ ଜେଲ୍ରେ ଅନ୍ଧାରୀ କୋଠରୀ ମଧ୍ୟକୁ ଠେଲି ଦିଆ ଯାଇଛି। ଆଶାଥିଲା ବନ୍ଦରର ବିକାଶ ହେଲେ ଅଞ୍ଚଳର ବିକାଶ ଘଟିବ, କିନ୍ତୁ ବଡ ଦୁଃଖର କଥା ବିକଶ ତ ଦୂରର କଥା ଦିନକୁ ଦିନ ଶ୍ରମିକ ଶୋଷଣ ବଢି ବଢି ଚାଲିଛି। ବିନା କାରଣରେ ସ୍ଥାନୀୟ ଅଞ୍ଚଳର ଜମିହରା ଏବଂ ବିସ୍ଥାପିତ ପରିବାରର ୩୩ ଜଣ ଶ୍ରମିକଙ୍କୁ ବହିଷ୍କାର କରାଯାଇଛି ବୋଲି ବିକାଶ ମଞ୍ଚର ସଭାପତି ଶ୍ରୀ ମଲ୍ଲିକ ଦୁଃଖ ପ୍ରକାଶ କରିଛନ୍ତି। ତୁରନ୍ତ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଡିଏଭି ସ୍କୁଲରେ ଶ୍ରମିକମାନଙ୍କ ପିଲାଙ୍କ ପାଇଁ ମାଗଣା ଶିକ୍ଷାର ବ୍ୟବସ୍ଥା, ଯୋଗ୍ୟତା ଭିତ୍ତିରେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ବନ୍ଦର ସଂଲଗ୍ନ ୮ ପଞ୍ଚାୟତକୁ ମାଗଣା ଜଳ ଓ ବିଦ୍ୟୁତ ଯୋଗାଣ, ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ, ୧୫ ଅଗଷ୍ଟ ୨୦୧୭ରେ ଅଞ୍ଚଳବାସୀଙ୍କ ଉପରେ କରାଯାଇଥିବା ମିଥ୍ୟା ମକଦ୍ଦମାକୁ ତୁରନ୍ତ ପ୍ରତ୍ୟାହାର କରିବା ପ୍ରଭୃତି ଦାବି ପୂରଣ କରା ନ ଗଲେ ଆଗାମୀ ୧୧ ରେ ବିକାଶ ମଞ୍ଚ ରାଜରାସ୍ତାଙ୍କୁ ଓହ୍ଲାଇବ ବୋଲି ଚେତାବନୀ ଦିଆ ଯାଇଛି। ଏହି ବୈଠକରେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ମୁକ୍ତିକାନ୍ତ ଶତପଥି, ବାଇଧର ଶତପଥି, ମୁକ୍ତିକାନ୍ତ ସାହୁ, ତ୍ରିଲୋଚନ ପ୍ରଧାନ, ଶର୍ମିଳା ପଣ୍ଡା, ସାଗରିକା ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମଞ୍ଚର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *