ଜିଲ୍ଲା ପରିକ୍ରମା

ଧାମନଗର ନିର୍ବାଚନ ମଣ୍ଡଳୀ ବିଜେଡି ରାଜନୀତିର ନୂଆ ମୋଡ, ବିଜେଡିର ସୁରକ୍ଷା ପାଇଁ ରାଜୁ ଦାସଙ୍କ ଅଭିଯାନ ଆରମ୍ଭ

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ଦଳିତ ସେଲର ଉପସଭାପତି ରାଜେନ୍ଦ୍ର କୁମାର ଦାସ ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ସୁରକ୍ଷିତ ରଖିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ନିଜ ପଞ୍ଚାୟତ ତିହିଡି ବ୍ଲକ୍ ଅଧୀନ କାଁପଡାରେ ଏକ ଦଳୀୟ ସଭାରେ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ଘଟଣା ସଂପ୍ରତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ବିଧାନସଭା ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଧାମନଗର ବିଜେଡି ଟିକେଟ ମୁକ୍ତିକାନ୍ତ ମଣ୍ଡଳ ହାସଲ କରିଥିବାବେଳେ ରାଜୁ ଦାସ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିଲେ। ତେବେ ସେବେଠାରୁ ଧାମନଗର ନିର୍ବାଚନ ମଣ୍ଡଳୀ ରାଜନୀତିରେ ଏକ ପ୍ରକାର ନିରବତା ଅବଲମ୍ବନ କରୁଥିବା ରାଜୁ ବାବୁଙ୍କର ପୁଣି ଆବିର୍ଭାବ ହେବା ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି ଏଥିରେ ସନ୍ଦେହ ନାହିଁ। କାଁପଡା ବୈଠକରେ ବିଜେଡି କର୍ମୀମାନେ ଯୋଗ ଦେଇଥିବାବେଳେ ବର୍ତ୍ତମାନର ଜିଲା ପରିଷଦ ସଭ୍ୟ ତଥା କାଁପଡାର ପୂର୍ବତନ ସରପଞ୍ଚ କମଳା ଦାସ ସଂଗଠନକୁ ମଜଭୁତ କରିବା ସହ ରାଜୁ ଟିକଟ ପାଇଲେ ତାଙ୍କୁ ସବୁପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ବଳ ହେବା ସହ ବହୁ କର୍ମୀ ଦଳ ଛାଡି ଚାଲିଯାଉଥିବାରୁ ଦଳର ସାଂଗଠନିକ କାର୍ଯ୍ୟ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ରାଜୁ ଦାସ ସ୍ପଷ୍ଟ କହିଛନ୍ତି। ତାଙ୍କ ସମୟରେ ବିଜେଡି ତିହିଡି ଓ ଧାମନଗର ବ୍ଲକ ଦଖଲ କରିଥିବାବେଳେ ବର୍ତ୍ତମାନର ସ୍ଥିତି ଭିନ୍ନ। ଆହୁରି ମଧ୍ୟ ୬ ଗୋଟି ଜିଲା ପରିଷଦ ଜୋନ ମଧ୍ୟରୁ ତାଙ୍କ ନେତୃତ୍ୱରେ ୫ଟିରେ ବିଜେଡି ଦଖଲ କରିଥିଲା। ଏବେ କିନ୍ତୁ ଓଲଟି ଯାଇ ୪ଟି ଆସନ ବିଜେପି ଦଖଲ କରିଛି। ତେଣୁ ରାଜ୍ୟ ନେତୃମଣ୍ଡଳୀଙ୍କ ନିର୍ଦେଶରେ ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ସୁଦୃଢ କରିବା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ସେ କାର୍ଯ୍ୟକ୍ରମ ନିଜ ପଞ୍ଚାୟତ କାଁପଡାରୁ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି। ସୂଚନା ଯୋଗ୍ୟ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଓ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ମଧ୍ୟରେ ଅହିନକୁଳ ସଂପର୍କରେ ରହିଛି। ଏପରିକି ଅଶୋକ ନାୟକଙ୍କୁ ଦଳରୁ ନିଲମ୍ବନ କରି ପୁଣି ପ୍ରତ୍ୟାହାର କରାଯାଇଛି। କାରଣ ତାଙ୍କୁ ନିଲମ୍ବନ କରାଯିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଅନୁଭବ କରି ଏପରି ନିଷ୍ପତ୍ତି ନେଇଥିଲେ। ଏପରି କ୍ଷେତ୍ରରେ କିଛିଦିନ ତଳେ ତିହିଡି ବ୍ଲକ ବିଲଣାରେ ବିଧାୟକଙ୍କ ସମର୍ଥକମାନେ ମିଳିତ ହୋଇ ଏକ ଦସ୍ତଖତ ଅଭିଯାନ ମାଧ୍ୟମରେ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ଦଳରୁ ନିଲମ୍ବନ କରିବାକୁ ଯେଉଁ ଦାବି କରିଥିଲେ ତାହା ଫଳପ୍ରଦ ହୋଇପାରିନାହିଁ। ଅପରପକ୍ଷରେ ରାଜୁ ଦାସ ଓ ଅଶୋକ ନାୟକଙ୍କ ମଧ୍ୟରେ ସଂପର୍କ ରହିଛି। ଏହିସବୁ କଥା ବିଚାରକୁ ନେଲେ ଆଗାମୀ ଦିନରେ ଧାମନଗର ବିଜେଡି ରାଜନୀତିର ସମୀକରଣ କ’ଣ ହେବା ତାହା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top