ଧାମନଗର:୧୨୦ ନାଗ ସାପ ଉଦ୍ଧାର

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହ ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ଶାମପୁର ପାଇକସାହି ଗ୍ରାମର ବିଜୟ ସାହୁଙ୍କ ଘରୁ ଆଜି ୧୨୦ ନାଗ ସାପଛୁଆ ଉଦ୍ଧାର ହୋଇଛି। ପ୍ରକାଶ ଥାଉକି ବିଜୟଙ୍କ ପଡୋଶୀ ସନ୍ତୋଷ ଭୂୟାଁଙ୍କ ଘରେ ପ୍ରାୟ ୨୦ ବର୍ଷ ପୂର୍ବେ ଏକ ଉଇହୁଙ୍କା ଥିବା ବେଳେ ସେଠାରେ ପୂଜାର୍ଚ୍ଚନା କରାଯାଉଥିଲା। ପରବର୍ତ୍ତୀ ସମୟରେ ସନ୍ତୋଷଙ୍କ ଘରେ ଅଗ୍ନିକାଣ୍ଡ ଘଟି ଘର ଭସ୍ମୀଭୂତ ହୋଇଯିବା ପରେ ବିଜୟଙ୍କ ଘରେ ଏହି ଉଇହୁଙ୍କାଟି ଆରମ୍ଭ ହୋଇଥିଲା। ହୁଙ୍କାରେ ନାଗସାପ ଯିବା ଆସିବା କରୁଥିବା ଦେଖିଥିଲେ। ପରେ ବିଜୟଙ୍କ ପରିବାର ଲୋକ ଉଇହୁଙ୍କାକୁ ପୂଜାର୍ଚ୍ଚନା କରୁଥିଲେ। ଦୀର୍ଘ ବର୍ଷ ପରେ ଗତକାଲି ବିଜୟଙ୍କ ଘରେ ପ୍ରାୟ ୪/୫ଟି ନାଗସାପ ଛୁଆ ଖେଳୁଥିବା ପରିବାର ଲୋକ ଦେଖିଥିଲେ। ଭୟଭିତ ହୋଇ ଭଦ୍ରକର ସ୍ନେକ ହେଲପ ନାଇନର ସେକ ମିର୍ଜାକୁ ଖବର ଦେଇଥିଲେ। ସେକ ମିର୍ଜା ଘଟଣାସ୍ଥଳେ ପହଞ୍ଚି ଗତକାଲି ଓ ଆଜି ବିଜୟଙ୍କ ମାଟିଘରର ବିଭିନ୍ନ ବଖରାରୁ ଖୋଳି ପ୍ରାୟ ୧୨୦ଟି ନାଗସାପ ଛୁଆ ଜବତ କରିଥିଲେ। ହେଲେ ୪/୫ଟି ବଡ ନାଗସାପ ଥିବା ଅନୁମାନ କରାଯାଉଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ତାହା ଧରା ହୋଇପାରିନାହିଁ। ବିଜୟ ଏକ ଗରିବ ପରିବାରର ଲୋକ, ମାଟିଘରର ସମସ୍ତ ବଖରା ଖୋଳା ହୋଇଥିବାରୁ ଘରଟି ନଈଁ ଗଲାଣି। ଭୟଭିତରେ ତାଙ୍କ ପରିବାର ଧରିବା ସମ୍ଭବପର ନୁହେଁ। ତୁରନ୍ତ ତାଙ୍କୁ ସରକାରୀ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ଏ ସଂପର୍କରେ ଧାମନଗର ତହସିଲଦାର ଓ ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ତେବେ ଧାମନଗରରେ ଶତାଧିକ ସାପ ଦେଖିବାରୁ ବିଜୟଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଖବରପାଇ ପୁଲିସ ଓ ବନ ବିଭାଗ ଘଟଣାସ୍ଥଳେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *