ଓଡ଼ିଶା

ଧାମନଗରରେ ବନ୍ୟା ସ୍ଥିତି ସୁଦୁରୁଛି: ୨୩ ପଞ୍ଚାୟତ ୭୫ ହଜାର ୯୦୬ ଲୋକ ପ୍ରଭାବିତ, ପହଞ୍ଚିଲା ୨୫୦ କୁଇଣ୍ଟାଲ ଗୋଖାଦ୍ୟ, ଜିଲାପାଳଙ୍କ ସମୀକ୍ଷା

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଧାମନଗରରେ ବନ୍ୟା ପରିସ୍ଥିତି ଧିରେ ଧିରେ ସୁଦୁରିବାରେ ଲାଗିଛି। ବୈତରଣୀ ନଦୀର ଆଖୁଆପଦା ଠାରେ ବନ୍ୟାଜଳ ଆଜି ସନ୍ଧ୍ୟା ୭ଟା ବେଳକୁ ହ୍ରାସ ପାଇଁ ବିପଦ ସଂକେତ ନିମ୍ନକୁ ଖସି ଆସିଛି। ଫଳରେ ବୈତରଣୀ ନଦୀ ସମେତ କୋଚିଳା, ଗେଙ୍ଗୁଟୀ, ରେବ ଓ କପାଳି ନଦୀରେ ଜଳସ୍ତର କମିଥିଲେ ମଧ୍ୟ ବ୍ଲକର ତଳିଆ ଅଂଚଳରେ ଆଜିବି ଚାଷଜମି ଓ କେତେକ ଗ୍ରାମ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଧିରେ ଧିରେ ବନ୍ୟାସ୍ଥିତି ସୁଦୁରିବାରେ ଲାଗିଥିବା ବେଳେ ଆଜି ଜିଲାପାଳ ଜ୍ଞାନରଂଜନ ଦାସ ଧାମନଗର ବ୍ଲକ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସମସ୍ତ ବିଭାଗ ଅଧିକାରୀ ମାନେ ଯୋଗଦେଇ ବନ୍ୟାର କ୍ଷୟକ୍ଷତି ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ସରକାରୀ ସ୍ତରରେ ପ୍ରାଥମିକ ଆକଳନ ଅନୁଯାୟୀ ବ୍ଲକର ୨୩ଟି ପଞ୍ଚାୟତର ୫୫ ରାଜସ୍ୱ ଗ୍ରାମର ୭୫ ହଜାର ୯୦୬ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ତନ୍ ମଧ୍ୟରୁ ୧୦ ପଞ୍ଚାୟତ ୧୬ଟି ରାଜସ୍ୱ ଗ୍ରାମର ୨୨ ହଜାର ୫୩୧ ଲୋକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ସେଗୁଡିକ ହେଲା ହସନାବାଦ ପଞ୍ଚାୟତର ହସନାବାଦ, ଅସ୍ତକ ଓ ପଙ୍ଗଟା, ସୋହଡା ପଞ୍ଚାୟତର ବାଲିପଡା, ପଧାନୀ ପଞ୍ଚାୟତର କଣ୍ଟଦା ଓ ପଧାନୀ, ଚୁଡାକୁଟୀ ପଞ୍ଚାୟତର ତାମ୍ପଳା ଓ ପଳସା, ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା, ଅର୍ଜୁନପୁର ଓ ଡୋବାବିଲ, କଟସାହି ପଞ୍ଚାୟତର ଇଟାପାଳ ଓ ଛତିଶନୁନ୍ଦର, ଖପରପଦା ପଞ୍ଚାୟତର ଲୁଣିଆ, କୋଠାର ପଞ୍ଚାୟତର ପତ୍ରିସାହି, ବମକୁରା ପଞ୍ଚାୟତର ଖଡିମାହାରା ଓ କାଶିମପୁର ପଞ୍ଚାୟତର ପଛାଲ ଆଦି ରାଜସ୍ୱ ଗ୍ରାମ କ୍ଷତିଗସ୍ତ ହୋଇଛି। ଅନ୍ୟପକ୍ଷେ ରଇପୁର ପଞ୍ଚାୟତର କାଠମୁଣ୍ଡା, ନିନ୍ଦିବିନ୍ଧା, ରଇପୁର, ମଉଦପୁର, କଣ୍ଟିକା, ଫତେପୁର ପଞ୍ଚାୟତ ଧର୍ମାଗତପୁର, ଖଡିପଦା ପଞ୍ଚାୟତର ଦକ୍ଷିଣକୁରୁଆ ଓ ସୁକଦେଇପୁର, ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁର, କରଦା ପଞ୍ଚାୟତର ଚଷାଖଣ୍ଡ, ଅଲ୍ଲୀନଗର, କରଦା, ଛତିଶବେଦପୁର, ଗଢିଆଳିର କାକୁଡିଗଡିଆ, ଦଇପୁର ପଞ୍ଚାୟତ ତାଳସିଠା, ଅସୁରାଳି ପଞ୍ଚାୟତର ହାତିଆପଡା, ତୋରବନ୍ତିଆ, ସଂହପୁର, ନଦୀଗାଁ ପଞ୍ଚାୟତର ନଦୀଗାଁ, ପାଳସାହି ପଞ୍ଚାୟତର ପାଳସାହି, ଦଳାଙ୍ଗ ପଞ୍ଚାୟତର ବାଘୁଆରି ଓ ପାଟୁଳି, ଭଟ୍ଟସାହି ପଞ୍ଚାୟତର ଭଟ୍ଟସାହି ଓ ଫଳପୁର ଆଦି ପଞ୍ଚାୟତର ଲୋକ ଏବଂ ଚାଷଜମି କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିସହ ୨୩ ପଞ୍ଚାୟତର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଗାଈଗୋରୁ ଏବଂ ପ୍ରାୟ ୬ ହଜାର ଛେଳି ଓ ମେଣ୍ଢା ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ପାଇଁ ୨୫୦ କୁଇଣ୍ଟାଲ ଗୋଖାଦ୍ୟ ଆଜି ବନ୍ୟା ପ୍ରଭାବିତ ପଞ୍ଚାୟତକୁ ପଠାଇ ଦିଆଯାଇଛି। ତେବେ ଚାଷଜମି ଓ ବିଭିନ୍ନ ଗ୍ରାମରୁ ବନ୍ୟାଜଳ କମିବା ପରେ ସରକାରୀ ସ୍ତରରେ କ୍ଷତିଗସ୍ତ ଚାଷଜମି ଓ ଘରଦ୍ୱାର ଆକଳନ କରାଯାଇ ସରକାରୀ ନିତି ନିୟମ ଅନୁଯାୟୀ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ ଶ୍ରୀ ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ସୁଚାରୁ ବଳ, ବିଡିଓ ଦୁର୍ଗାପ୍ରସନ୍ନ ମୁର୍ମୁ, ତହସିଲଦାର ଅଭିସ୍ଫା ପଟ୍ଟନାୟକଙ୍କ ସମେତ ପ୍ରାଣୀ ଚିକିତ୍ସାଧିକାରୀ ଦୀଗବିଜୟ ଗିରି, ନିରାକାର ଜେନା ଓ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରିଣୀ ଯୋଗମାୟା ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top