ଓଡ଼ିଶା

ଧାମନଗରରେ ବନ୍ୟାସ୍ଥିତି ଗମ୍ଭୀର: କପାଳି ନଦୀର ବରୁଣା ଠାରେ ୬୦ଫୁଟର ଘାଇ, ୬୩ ହଜାର ଲୋକ ଓ ୪୪ ରାଜସ୍ୱ ଗ୍ରାମ ପ୍ରଭାବିତ, ବନ୍ୟାଞ୍ଚଳରେ ସବୋର୍ଚ୍ଚ ଯନ୍ତ୍ରୀ ଓ ବିଧାୟକ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗରରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଗତକାଲିଠାରୁ ବୈତରଣୀ ନଦୀରେ ବନ୍ୟାଆସି ବ୍ଲକର ବିଭିନ୍ନ ତଳିଆ ଅଂଚଳରେ ପରିସ୍ଥିତି ଗମ୍ଭୀର କରିଛି। ଚାଷଜମି ଜଳମଗ୍ନ ସହ ବିଭିନ୍ନ ଗ୍ରାମ୍ୟ ଓ ମୁଖ୍ୟ ରାସ୍ତା ବିଛିନ୍ନ ହେବା ଦ୍ୱାରା ଯାତାୟତ ବ୍ୟାଘାତ ଘଟିଛି। ପ୍ରକାଶ ଥାଉକି ବୈତରଣୀ ନଦୀର ଆଖୁଆପଦା ଠାରେ ଗତକାଲି ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳୁ ତାହା ହ୍ରାସ ପାଇଥିଲା ବେଳେ ଧାମନଗରରେ ବନ୍ୟାଜଳ ମାଡୁଛି। ବୈତରଣୀ ସମେତ କୋଚିଳା, ଗେଙ୍ଗୁଟୀ, ରେବ, କପାଳି ଓ ନାଳିଆ ନଦୀରେ ବନ୍ୟା ଆସିବା ଦ୍ୱାରା ବ୍ଲକର ୨୧ଟି ପଞ୍ଚାୟତର ପ୍ରାୟ ୭୦ ହଜାର ଲୋକ ବନ୍ୟା ପ୍ରଭାବିତ ହେଉଥିବା ବେଳେ ସରକାରୀ ସ୍ତରରେ ବ୍ଲକର ୧୩ ପଞ୍ଚାୟତ ୬୩ ହଜାର ଲୋକ ଓ ୪୪ଟି ରାଜସ୍ୱ ଗ୍ରାମ ପ୍ରଭାବିତ ହେଉଥିବା ରାଜସ୍ୱ ବିଭାଗ ପ୍ରାଥମିକ ଭାବେ ଆକଳନ କରିଛି। ସେହିପରି କପାଳି ନଦୀର ବରୁଣା ଠାରେ ୬୦ଫୁଟର ଘାଇ ହେବା ଦ୍ୱାରା କଟସାହି, ବୋଡକ, ବିଲଣା, କାଶିମପୁର ଆଦି ୧୪ଟି ରାଜସ୍ୱ ଗ୍ରାମରେ ବନ୍ୟାଜଳ ମାଡିଛି। ଦୁଇଦିନ ଧରି ବୈତରଣୀ ନଦୀର ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏବଂ ଗେଙ୍ଗୁଟୀ ନଦୀର ଗାଈଛନ୍ଧା, ମଠମାହାରା ଓ କନକେଇ ଏସକେପରୁ ବନ୍ୟାଜଳ ବାହାରି ଚାଷଜମି ଓ ଗାଁ ଭିତରକୁ ମାଡିଛି। ବନ୍ୟାଜଳ ଯୋଗୁଁ ଧାମନଗର-ଫଳପୁର, ଧାମନଗର-ପଧାନୀ, ହସନାବାଦ-ଧୁଷୁରୀ, ସୋହଡା-ପଧାନୀ, ଅର୍ଜୁନପୁର-ବାଲିପାଟଣା, ଅସ୍ତକ-ଅନଳଡିହ, ଧୁଷୁରୀ-ପଙ୍ଗଟା, ବମକୁରା-କାଶିମପୁର ଆଦି ରାସ୍ତାରେ ଏବେବି ବନ୍ୟାଜଳ ପ୍ରବାହିତ ଯୋଗୁଁ ଯାତାୟତ ବିଛିନ୍ନ ହୋଇଛି। ଆଜି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜଳ ସେଚନ ବିଭାଗର ଏସଇ ବିଜୟ ମିଶ୍ର, ମୁଖ୍ୟ ଯନ୍ତ୍ରୀ (ଏଲଏମବି) ପୂର୍ଣ୍ଣଚନ୍ଦ୍ର ସାହୁ, ଓସିସି ସିନିଅର ମ୍ୟାନେଜର ସଂଜିବ ନାୟକ, ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ଧାମନଗର ସହକାରୀ ଯନ୍ତ୍ରୀ ଭୁବନାନନ୍ଦ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଅରୁଣ ତ୍ରିପାଠୀ ଓ କିଶୋର ଦାସ ପ୍ରମୁଖ ଗୌରାଙ୍ଗପୁର ଓ ମଲ୍ଲୀମାହାରା ଏସକେପ ପରିଦର୍ଶନ କରି ବନ୍ୟାଜଳ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ଦୁଇଟି ଏସକେପ ଉପରେ ପୋଲ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମଣ୍ଡଳ ଅବଗତ କରାଇଥିଲେ। ବନ୍ୟା ସମୟରେ ଜରୁରୀକାଳିନ ସେବା ଓ ଜନସାଧାରଣଙ୍କ ଗତାଗତ ପାଇଁ ଏଠାରେ ପୋଲର ଆବଶ୍ୟକତା ଥିବା ଦର୍ଶାଇଥିଲେ। ତେବେ ଏସଂପର୍କରେ ଏକ ଟେକ୍ନନିକାଲ ଟିମ ବନ୍ୟା ଛାଡିବା ପରେ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ଯନ୍ତ୍ରୀ ପ୍ରକାଶ କରିଥିଲେ। ଏହି ବନ୍ୟାଞ୍ଚଳ ଗସ୍ତରେ ଉପଜିଲାପାଳ ସୁଚାରୁ ବଳ, ବିଡିଓ ଦୁର୍ଗାପ୍ରସନ୍ନ ମୁର୍ମୁ, ତହସିଲଦାର ଅଭିସ୍ଫା ପଟ୍ଟନାୟକ, ଏସଡିପିଓ ମନୋରଂଜନ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଉପଜିଲାପାଳଙ୍କ ବନ୍ୟା ପରିଦର୍ଶନ ପରେ ତହସିଲଦାର ଓ ବିଡିଓଙ୍କ ମିଳିତ ରିପୋର୍ଟ ଅନୁଯାୟୀ ବନ୍ୟା କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ଅବଗତ କରାଯିବ ବୋଲି ତହସିଲଦାର ସୂଚନା ଦେଇଥିଲେ। ବୈତରଣୀ ଓ କୋଚିଳା ନଦୀର ତରେଇସାହି, ଦାସପାରି, ଶଇଲୋ, ସାହୁସାହି, ଗଢଗଡି ଆଦି ଦୁର୍ବଳ ନଦୀବନ୍ଧ ମାନଙ୍କରେ ଜଳସେଚନ ବିଭାଗ ଓ ବିଜୁ ଯୁବ ବାହିନୀର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣମାନେ ସେଠାରେ ସଜାଗ ରହିଛନ୍ତି। ନଦୀବନ୍ଧ ନିକଟରେ ସୁଦୃଢୀକରଣ ଓ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଆଜି ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବିଭିନ୍ନ ଗ୍ରାମ ଭିତରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଜଳବନ୍ଦୀ ରହିଛନ୍ତି। ସେହିପରି ରେବ ଓ କପାଳି ନଦୀର ବନ୍ୟାଜଳ ଯୋଗୁଁ ଚୁଡାକୁଟୀ, ଦଇପୁର, ଗୋବିନ୍ଦପୁର ଆଦି ପଞ୍ଚାୟତର ବହୁ ଗ୍ରାମ ଜଳବନ୍ଦୀ ରହିଛନ୍ତି। ସେହିପରି ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ବନ୍ୟାଜଳ ପଶିଯାଇଥିବା ଦେଖିବାକୁ ମିଳିଛି। ସୋହଡା ପଞ୍ଚାୟତର ମିଶ୍ରପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୩ଫୁଟ ବନ୍ୟାଜଳ ପଶିଛି। ପ୍ରଥମେ ତିନିଦିନ ଧରି ଲଗାଣ ବର୍ଷା ଏବେ ଦୁଇଦିନ ଧରି ବନ୍ୟା ଯୋଗୁଁ ଗୃହପାଳିତ ପଶୁ ପଦାକୁ ବାହାରି ପାରୁନାହାନ୍ତି। ସେମାନଙ୍କ ପାଇଁ ଖାଦ୍ୟାଭାବ ସୃଷ୍ଟି ହୋଇଥିବା ବେଳେ ଜଳବନ୍ଦୀରେ ଥିବା ବିପନ୍ନଙ୍କୁ ତୁରନ୍ତ ରିଲିଫ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top